ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଉତ୍ତରାଖଣ୍ଡରେ ହିମାଳୟରେ ରହିଛି ରୂପକୁଣ୍ଡ ହ୍ରଦ। ଏହି ହ୍ରଦରେ ୫ଶହରୁ ଅଧିକ ନରକଙ୍କାଳ ଦେଖିବାକୁ ମିଳିଥାଏ। ଏଥିପାଇଁ ଏହାକୁ କଙ୍କାଳ ହ୍ରଦ ମଧ୍ୟ କୁହାଯାଏ। ଏହି ନର କଙ୍କାଳ କେଉଁଠୁ ଓ କେମିତି ଆସିଲା ସେନେଇ ଆଜିଯାଏଁ କୌଣସି ଠୋସ୍ ତଥ୍ୟ ମିଳିପାରିନାହିଁ। ତେବେ ବୈଜ୍ଞାନିକ ପରୀକ୍ଷଣରୁ ଜଣା ପଡ଼ିଛି ଏହି ନରକଙ୍କାଳ ୧୨ଶହ ପୁରୁଣା।

ହିମାଳୟ ପର୍ବତ ମଝିରେ ରହିଥିବା ରୂପକୁଣ୍ଡ ହ୍ରଦ କମ୍ ତାପମାତ୍ରା ଯୋଗୁଁ ସବୁବେଳେ ବରଫରେ ଜମି ରହିଥାଏ। କିନ୍ତୁ ଖରାଦିନେ ଯେତେବେଳେ ଏହି ବରଫ ପାଣିରେ ପରିଣତ ହୁଏ ଏଥିରେ ୫ଶହରୁ ଅଧିକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥାଏ।

୧୯୪୨ ମସିହାରେ ନନ୍ଦାଦେବୀ ରିଜର୍ଭ ରେଞ୍ଜର ହରି କିଶନ ମାଧୱାଲ ଏହି ନରକଙ୍କାଳ ଆବିଷ୍କାର କରିଥିଲେ। ନରକଙ୍କାଳ ସହ ସେଠାରୁ କିଛି ଚମଡା ଚପଲ, ଲୁହା ବର୍ଚ୍ଛା ଓ କାଠ ମଧ୍ୟ ଉଦ୍ଧାର ହୋଇଥିଲା।  ନରକଙ୍କାଳକୁ ଅନେକ କାଳ୍ପନିକ ଓ ପୌରାଣିକ କିମ୍ବଦନ୍ତୀ ରହିଛି।

ଲୋକକଥା

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କନୌଜର ରାଜା ଜସ୍‌ୱାଲ ଓ ତାଙ୍କ ପତ୍ନୀ ବାଳାମ୍ପା ସେମାନଙ୍କ ସେବକଙ୍କ ସହ ନନ୍ଦାଦେବୀ ତୀର୍ଥ କରିବାକୁ ଯାଇଥିଲେ। ସେହି ସମୟରେ ଅତ୍ୟଧିକ ତୁଷାରାପାତ ଯୋଗୁଁ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

କିଛି ଇତିହାସକାରମାନଙ୍କ ଅନୁଯାୟୀ ୧୮୪୧ ସମିହାରେ କାଶ୍ମିରର ଜେନେରାଲ ଜୋରାବର ସିଂ ଓ ତାଙ୍କ ସୈନ୍ୟମାନେ ତିବ୍ବତ ଯୁଦ୍ଧରୁ ଫେରୁଥିଲେ। ତେବେ ସେହି ସମୟରେ ଅତ୍ୟଧିକ ତୁଷାରପାତ ଯୋଗୁଁ କିମ୍ବା କିଛି ସଂକ୍ରମକ ରୋଗ ଯୋଗୁଁ ସେମାନେ ପ୍ରାଣ ହରାଇଥିଲେ।

ପୌରାଣିକ କିମ୍ବଦନ୍ତୀ

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାଦେବ ଶିବ ଏବଂ ପାର୍ବତୀ ହିମାଳୟ ଫେରୁଥିଲେ। ତେବେ ସେହି ସମୟରେ ଦେବୀ ମା’ ପାର୍ବତୀଙ୍କୁ ଶୋଷ ଲାଗିବାରୁ ମହାଦେବ ଶିବ ତ୍ରୀଶୁଳ ମାରି ଏହି ରୂପକୁଣ୍ଡ ହ୍ରଦ ତିଆରି କରିଥିଲେ। ଏଥିପାଇଁ ରୂପକୁଣ୍ଡ ଥିବା ପାହାଡ଼କୁ ତ୍ରୀଶୁଳି ପାହାଡ଼ କୁହାଯାଏ। ଏହି ପାହାଡ଼ରେ ମା’ ନନ୍ଦାଦେବୀ ପୂଜା ପାଆନ୍ତି।

 

ପୂର୍ବରୁ ଏହି ନର କଙ୍କାଳଗୁଡ଼ିକ ଗୋଟିଏ ସମୁଦାୟର ହୋଇଥାଏପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ୨୦୧୮ ମସିହାରେ ଏକ ରିପୋର୍ଟ ମୁତବକ ଏହି କଙ୍କାଳଗୁଡ଼ିକ ଦୁଇଟି ଅଲଗା ଅଲଗା ସମୁଦାୟର ବୋଲି ଜଣା ପଡ଼ିଥିଲା। ଏହାସହ ସବୁଠାରୁ ବିଶ୍ମୟର କଥା ହେଉଛି ଏହି ସମସ୍ତ ନରକଙ୍କାଳର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ନରକଙ୍କାଳ ନବମ ଶତାବ୍ଦୀର ହୋଇଥାଇପାରେ ବୋଲି ଆକଳନ କରାଯାଉଛି।

ଆଜି ବି ଏହି କଙ୍କାଳକୁ ନେଇ ବିଭିନ୍ନ ଗବେଷଣା ଚାଲିଛି। ଏହି କଙ୍କାଳ କେଉଁ ସମୁଦାୟର ରୂପକୁଣ୍ଡ ନିକଟକୁ କେମିତି ଆସିଲା ସେନେଇ ଆଜିଯାଏଁ କୌଣସି ଠୋସ୍ ପ୍ରମାଣ ମିଳିନାହିଁ।

ରୂପକୁଣ୍ଡ ଉତ୍ତରାଖଣ୍ଡର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଟ୍ରାକିଂ ପାଇଁ ଆସିଥାନ୍ତି। ଏହାଛଡ଼ା ପ୍ରତ୍ୟେକ ବର୍ଷ ଏଠାରେ ମା’ ନନ୍ଦାଦେବୀଙ୍କ ଯାତ୍ରା ହୋଇଥାଏ।

Comment