ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନ୍ତ୍ରୀ ସ୍ତରୀୟ ବୈଠକରେ ହୋଇପାରୁନି ନିଷ୍ପତ୍ତି। ଟ୍ରେନ୍‌ ଓ ବିମାନ ଚଳାଚଳକୁ ନେଇ ଅନିଶ୍ଚିତତା।

କେବେ ଚାଲିବ ଟ୍ରେନ୍‌ ଓ ବିମାନ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି। ମେ’ ୩ ପରେ ଟ୍ରେନ୍‌ ଓ ବିମାନ ଚଳାଚଳ ଦେଶରେ ସ୍ୱାଭାବିକ ହେବ ନା ନାହିଁ ତାହା ଏବେ ଅନିଶ୍ଚିତତା ଭିତରେ ରହିଛି। ଶନିବାର ବସିଥିବା ମନ୍ତ୍ରୀ ସ୍ତରୀୟ ବୈଠକରେ ଟ୍ରେନ୍‌ ଓ ବିମାନ ଚଳାଚଳ ଉପରେ ଆଲୋଚନା ହୋଇଥିଲା। ହେଲେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେ’ ୩ ପରେ ଟ୍ରେନ୍‌ ଓ ବିମାନ ଚଳାଚଳ ଉପରୁ କଟକଣା ହଟିବା ସହଜ ନୁହେଁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଶନିବାର ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ବିମାନ ଟ୍ରେନ୍‌ ଚଳାଚଳ ଉପରେ ଆଲୋଚନା ହୋଇଥିଲା। କିନ୍ତୁ କିଛି ମନ୍ତ୍ରୀ ଟ୍ରେନ୍‌ ଓ ବିମାନ ଚଳାଚଳ ଉପରେ ଅସହମତି ପ୍ରକାଶ କରିଥିଲେ।

ଟ୍ରେନ୍‌ ଏବଂ ବିମାନରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହଜ ହେବ ନାହିଁ ବୋଲି ମନ୍ତ୍ରୀମାନେ ମତ ଦେଇଥିଲେ। ମନ୍ତ୍ରୀ ସ୍ତରୀୟ ବୈଠକରେ ଯାହା ଆଲୋଚନା ହୋଇଛି ତାର ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି।

ଗତକାଲି ଏୟାର ଇଣ୍ଡିଆ ବିମାନ କମ୍ପାନି ମେ’ ୪ରୁ ବୁକିଂ ଆରମ୍ଭ କରିବ ବୋଲି କହିଥିଲା। ଘରୋଇ ବିମାନ ଚଳାଚଳ ଉପରେ ଏହି କମ୍ପାନି ଗୁରୁତ୍ୱ ଦେଇଥିଲା। ଜୁନ୍‌ ପହିଲାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କମ୍ପାନି ସ୍ପଷ୍ଟ କରିଥିଲା। ଗତ କିଛିଦିନ ତଳେ ଇଣ୍ଡିଗୋ କମ୍ପାନି ମଧ୍ୟ ମେ’ ୩ ପରଠୁ ଉଡ଼ାଣ ଆରମ୍ଭ କରିବାକୁ କହିଥିଲା। ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଥିରେ ରୋକ ଲଗାଯାଇଥିଲା।

coronaକେନ୍ଦ୍ର ସରକାର ବିମାନ ଚଳାଚଳ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସରକାର ନିଷ୍ପତ୍ତି ନନେବା ଯାଏଁ ବିମାନ ଚଳାଚଳ ହୋଇପାରିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

ମାର୍ଚ୍ଚ ୨୪ରୁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହେବା ପରଠୁ ବିମାନ ଚଳାଚଳ ବାତିଲ କରାଯାଇଥିଲା। ଏପ୍ରିଲ ୧୪ରେ ପୁଣି ଥରେ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ ରହିଛି।

Comment