ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନ ଉଠିବା ପରେ ଭୁବନେଶ୍ୱରରେ ହୋଟେଲ ଖାଇବା ଢାଞ୍ଚା ଓ ବ୍ୟବସ୍ଥା ପୂରାପୂରି ବଦଳିବାକୁ ଯାଉଛି। ଏଣିକି ପ୍ରି ଅର୍ଡର, କ୍ଲାଉଡ଼ କିଚେନ ଓ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ତାଛଡ଼ା, ଟେବୁଲ ଉପରେ ଆଉ ମେନୁ କାର୍ଡ ତ ବିଲକୁଲ ରହିବ ନାହିଁ। ତା’ ବଦଳରେ ଡିଜିଟାଲ ମେନୁ କାର୍ଡ ବ୍ୟବସ୍ଥା ଆରମ୍ଭ ହେବ।

ଏଣ୍ଟ୍ରାନ୍ସରେ ଗ୍ରାହକମାନଙ୍କ ସ୍କ୍ରିନିଂ ବି ବାଧ୍ୟତାମୂଳକ ହେବ। କରୋନା ସଂକ୍ରମଣକୁ ଦୂରରେ ରଖିବା ପାଇଁ ରାଜଧାନୀର ବଡ଼ ବଡ଼ ହୋଟେଲ ଇତି ମଧ୍ୟରେ ନିଜ ନିଜ ନିୟମାବଳୀ ବା ଏସଓପି ତିଆରି କରିସାରିଛନ୍ତି। FSSAI ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଷ୍ଟାର ହୋଟେଲମାନେ ନିରାପଦ ଖାଦ୍ୟ ପରିବେଷଣ ଉପରେ ଏଣିକି ଜୋର ଦେବେ।

ସେହି ଅନୁସାରେ ଟେବୁଲ ଉପରେ ଆଉ ମେନୁ କାର୍ଡ ଦେଖିବାକୁ ମିଳିବ ନାହିଁ। ଆଉ କିଛି ହୋଟେଲ ପୃଷ୍ଠିକିଆ ଫୋପାଡ଼ି ଦେବା ଭଳି ମେନୁ କାର୍ଡ  ରଖିପାରନ୍ତି। ଆହୁରି ମଧ୍ୟ ହୋଟେଲଗୁଡ଼ିକ ଗ୍ରାହକମାନଙ୍କଠାରୁ ଆଗୁଆ ଅର୍ଡର ନେବେ ଯେମିତିକି ଆପଣ ହୋଟେଲରେ ପହଂଚିବା ବେଳକୁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିବ। ଗ୍ରାହକମାନଙ୍କୁ ନିର୍ଦ୍ଦିଷ୍ଟ ଟେବୁଲ ଓ ନିର୍ଦ୍ଦିଷ୍ଟ ସମୟ  ଦିଆଯିବ ଓ ତାରି ଭିତରେ ଖାନା ଶେଷ କରିବା ପାଇଁ ହେବ। ଗ୍ରାହକମାନଙ୍କ ଅପେକ୍ଷା ସମୟକୁ ହ୍ରାସ କରାଯିବ।

ସବୁଠାରୁ ବଡ଼ ପରିବର୍ତ୍ତନ ହେବ ହୋଟେଲ ଭିତରେ ବସିବା ବ୍ୟବସ୍ଥାରେ। ସୋସିଆଲ ଡିଷ୍ଟା୍ନସିଂକୁ କଡ଼ାକଡ଼ି କରାଯିବ। ୱେଟରମାନେ ହ୍ୟାଣ୍ଡ ଗ୍ଲୋଭସ ଓ ମାସ୍କ ପିନ୍ଧି ଖାଦ୍ୟ ପରିବେଷଣ କରିବେ। ବଡ଼ ବଡ଼ ହୋଟେଲରେ ଯେଉଁ ଅତିଥିମାନେ ବାହାରୁ ଆସି ଦୁଇ ଚାରି ଦିନ ରହିବେ ଦିନକୁ ଦୁଇଥର ସେମାନଙ୍କର ତାପମାତ୍ରା ମପାଯିବ। ଏପରିକି ଯେଉଁମାନେ କେବଳ ରେଷ୍ଟୁରାଣ୍ଟକୁ ଯାଉଛନ୍ତି ପ୍ରବେଶ ଦ୍ୱାରରେ ସେମାନଙ୍କ କପାଳରେ ଥର୍ମାଲ ଗନ ଥୁଆଯିବ। ପ୍ରବାସୀ ଅତିଥିମାନେ ହାତ କାଟି ଲେଖିବେ ଯେ ଯଦି ଦରକାର ହୁଏ ଡାକ୍ତର ପରୀକ୍ଷା ପାଇଁ ସେମାନେ ରାଜି।

ଲକଡାଉନ ପରେ ହୋଟେଲ ବିଲ ପୈଠ କେବଳ ଡିଜିଟାଲ ଆକାରରେ ହେବ। କିଛି ହୋଟେଲ ଇତି ମଧ୍ୟରେ ଫୁଡ଼ ଡେଲିଭେରୀ ଆପ ସହିତ ଯୋଡ଼ି ହୋଇ ସାରିଲେଣି। ଏହି ଆପରେ ଖାଦ୍ୟ ଅର୍ଡର ଦିଆଯିବା ପରେ ଆପଣ ଯେତେବେଳେ ହୋଟେଲରେ ପହଞ୍ଚିବେ ଦୁଇ ତିନି ମିନିଟ ଭିତରେ ଖାଦ୍ୟ ଆସି ଆପଣଙ୍କ ଟେବୁଲରେ  ପହଞ୍ଚିଯିବ। ଲକଡାଉନ ପରେ ଆଗକୁ କ୍ଲାଉଡ଼ କିଚେନ ଅଧିକ ଲୋକପ୍ରିୟ ହେବ।

ପୂର୍ବଭଳି ଏତେ କିଚେନ ଷ୍ଟାଫ ରହିବେ ନାହିଁ। ଜଣେ ଦୁଇ ଜଣ ମାଷ୍ଟର ଶେଫ୍‌ଙ୍କ ଦ୍ଵାରା ହୋଟେଲ ଚାଲିବ। ଠିକ ସେହିଭଳି ଅନଲାଇନ ଫୁଡ଼ ଡେଲିଭେରୀକୁ ଉତ୍ସାହିତ କରାଯିବ। ଲକଡାଉନକୁ ଦୃଷ୍ଟିରେ ରଖି ଅନ୍ତତଃ ୬ ମାସ ପର୍ଯ୍ୟନ୍ତ କିଛି ରେଷ୍ଟୁରାଣ୍ଟ ମେନୁ କାର୍ଡର ଆଇଟମକୁ ସୀମିତ ରଖିବେ।

Comment