ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସ୍ଥିତି ଅସମ୍ଭାଳ। ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ବିଶେଷକରି ୫ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଣୁ ଏହି ୫ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା, ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀ ଆସିଛନ୍ତି। ଫଳରେ ପରିସ୍ଥିତି ବିଗୁଡୁଛି। ଏଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି।

CGU newଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍ସ, ବେଡ୍‌ ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ନମୁନା ପରୀକ୍ଷା କରାଯାଉଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ୱର ଓ ଗଞ୍ଜାମରେ ଥିବା କୋଭିଡ ଚିକିତ୍ସାଳୟରେ ବେଡ୍‌ ଓ ଆଇ.ସି.ୟୁ ର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ  କରିଦେଇଥିଲେ।

corona-3କଟକ, ଭୁବନେଶ୍ୱର ଏବଂ ଗଞ୍ଜାମରେ ଆହୁରି ୨୦୦ ଆଇ.ସି.ୟୁ ବେଡ୍‌ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୁରୀ ସହରରେ ସେରୋ ସର୍ଭେଲାନ୍ସ ସଂପୂର୍ଣ୍ଣ ହୋଇଥିବା ବେଳେ ଭୁବନେଶ୍ୱରରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ଶେଷ ହୋଇଛି। ଏହାସହ ହାଇ ରିସ୍କ ପପୁଲେସନ ସେରୋ ସର୍ଭେଲାନ୍ସ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କର ମନୋବଳକୁ  ବଢ଼ାଇବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

Comment