ଓଡିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ଚିନ୍ତାରେ ଥିବା ଚାଷୀ ଉପରେ ଦାଉ ସାଧିଲା ମୁଖ୍ୟ କେନାଲ। ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଡୁମୁରାଗୁଡ଼ାରେ କେନାଲର ଆଡ଼ିବନ୍ଧ ଭାଙ୍ଗିଯିବାରୁ ଶହ ଶହ ହେକ୍ଟର ଚାଷ ଜମିରେ ବାଲି ମାଡ଼ିଯାଇଛି। ଫଳରେ ଚାଷୀମାନେ କିପରି ଋଣ ପରିଶୋଧ କରିବେ ଏବଂ ନିଜର ଗୁଜୁରାଣ ମେଣ୍ଟାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି।

ଶ୍ରାବଣ ମାସ ସରିଲା କିନ୍ତୁ ବର୍ଷା ଅଭାବରୁ ଚାଷ ଜମି ଶୁଖିଲା ପଡ଼ିଥିଲା। ତେବେ ଏହାରି ଭିତରେ କେନାଲ ଜଳକୁ ଭରସା କରି ଚାଷୀମାନେ ରୁଆ ବେଉସା କରିଥିଲେ। କିନ୍ତୁ ସେହି କେନାଲର ଆଡ଼ିବନ୍ଧ ଭୁଶୁଡ଼ିଯିବାରୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ଏବଂ ବାଲିଚର ହୋଇଯାଇଛି।

କରୋନା ପାଇଁ ଚାଷବାସ ଠପ୍ ହୋଇଯାଇଥିବା ବେଳେ ଧୀରେ ଧୀରେ ଚାଷ କରି ସୁନାର ଫସଲ ବୁଣି ପରିବାର ଭରଣପୋଷଣ କରିବା ସହ କିଛି ବ୍ୟାଙ୍କ ଋଣ ସୁଝିବାକୁ ଚାଷୀମାନେ ଆଶା ରଖିଥିଲେ। କିନ୍ତୁ କେନାଲ ବନ୍ଧ ଭାଙ୍ଗିବା ପରେ ଏବେ ଧାନ ଜମିରେ ୩ରୁ ୪ ଫୁଟର ପାଣି। ଚାଷୀଙ୍କ ସୁବିଧା ପାଇଁ କୋଲାବ୍ ଜଳ ପ୍ରକଳ୍ପ ତରଫରୁ କେନାଲ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯାଗୁଁ ଦୁର୍ବଳ କେନାଲଟି ଭୁଷୁଡ଼ି ପଡ଼ିଛି। ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ଏପରି ଘଟଣା ଘଟିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ଅନ୍ୟପଟେ କୋଲାବ୍ ଜଳସେଚନ ବିଭାଗ ତରଫରୁ ଗ୍ରାମାଞ୍ଚଳର ଚାଷୀଙ୍କୁ ଚାଷ କ୍ଷେତ୍ରରେ ଅଧିକ ଲାଭବାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲର ସଂଯୋଗୀକରଣ କରାଯାଇଛି। ନିଜ ଚାଷ ଜମିରେ ଜଳ ମଡ଼ାଇବା ପାଇଁ ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ବାନ୍ଧି ଆସୁଛନ୍ତି। କିନ୍ତୁ ବିଭାଗ ପକ୍ଷରୁ ସଠିକ୍ ଭାବେ କେନାଲର ମରାମତି କରାଯାଉନଥିବାରୁ କେନାଲ ବନ୍ଧ ଦୁର୍ବଳ ହୋଇପଡ଼ିଛି। ଯାହାର ଫଳସ୍ୱରୂପ କେନାଲର ଆଡ଼ିବନ୍ଧ ଭୁଶୁଡ଼ୁଛି ଓ ଚାଷ ବି ନଷ୍ଟ ହେଉଛି।

ତେବେ ଅନୁଦାନ ଅଭାବରୁ କେନାଲର ମରାମତି କାର୍ଯ୍ୟ ହୋଇପାରୁନଥିବା ସଫେଇ ଦେଇଛନ୍ତି ବିଭାଗୀୟ କର୍ମଚାରୀ। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଏବେ ଋଣ କିଭଳି ପରିଶୋଧ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Comment