ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ଜଣେ ମହିଳାଙ୍କୁ ନେଇ ଗଡ଼ିଛି ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ। ତେବେ ସବୁଠୁ ମଜାଦାର କଥା ହେଉଛି ଶହେ କି ଦୁଇ ଶହ ନୁହେଁ, ଦୀର୍ଘ ୫୩୫ କିଲୋମିଟର ଯାତ୍ରା କରି ଏହି ଏକ୍ସପ୍ରେସ୍‌ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛି। ଘଟଣାଟି କିଛି ଏହିଭଳି।

ଗୁରୁବାର ଦିନ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ରାଜଧାନୀ ଏକ୍ସପ୍ରେସ ଯେତେବେଳେ ଡାଲଟନଗଞ୍ଜରେ ପହଞ୍ଚିଲା ସେତେବେଳେ ଟୋରି ଜଙ୍କ୍‌ସନ୍‌ଠାରେ ତାନା ଭଗତମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନ ଯୋଗୁଁ ରେଳ ବିଭାଗ ଅଫିସରମାନେ ସମସ୍ତ ୯୩୦ ଯାତ୍ରୀଙ୍କୁ ବସ୍‌ରେ ରାଞ୍ଚି ପଠାଇବା ପାଇଁ ନିଷ୍ପତ୍ତି ନେଲେ ଓ ପଠାଇଲେ ମଧ୍ୟ। କିନ୍ତୁ ଅନନ୍ୟା ନାମକ ଜଣେ ମହିଳାଙ୍କୁ ସେମାନେ ଆଦୌ ବୁଝାଇ ପାରିନଥିଲେ।

ମହିଳାଙ୍କୁ ଯେତେବେଳେ ବସ୍‌ରେ ଯିବା ପାଇଁ କୁହାଗଲା ସେ ସେଥିରେ ରାଜି ହେଲେ ନାହିଁ। ତାଙ୍କ ଯୁକ୍ତି ଥିଲା ରେଳରେ ଯାତ୍ରା କରିବା ପାଇଁ ସେ ଭଡ଼ା ଦେଇଛନ୍ତି। ଏଣୁ ବସ୍‌ରେ କିମ୍ବା ଟ୍ୟାକ୍ସିରେ କଦାପି ଯିବେ ନାହିଁ। ଉକ୍ତ ମହିଳା ଜଣକ ନିଜ ଜିଦ୍‌ରେ ଅଟଳ ରହିବାରୁ ଷ୍ଟେସନ କର୍ମଚାରୀ ଓ ଉପରସ୍ଥ ଅଧିକାରୀମାନେ ବାଧ୍ୟ ହୋଇ ଟ୍ରେନ୍‌ଟିକୁ ଗୋମୋ ଓ ବୋକାରୋ ଦେଇ ଡାଇଭର୍ଟ କରିଥିଲେ। ଗୋମୋ ଓ ବୋକାରୋ ଦେଇ ଟ୍ରେନଟି ୫୩୫ କିଲୋମିଟର ଅଧିକ ରାସ୍ତା ଦେଇ ଚାଲିଥିଲା। ଟ୍ରେନ ଡାଲଟନଗଞ୍ଜରୁ ସନ୍ଧ୍ୟାରେ ବାହାରି ଏକାକୀ ଏହି ମହିଳାଙ୍କୁ ନେଇ ଭୋର ଦୁଇଟାରେ ରାଞ୍ଚି ଷ୍ଟେସନରେ ପହଞ୍ଚିଥିଲା।BGU“ବସ୍ କିମ୍ବା ଟ୍ୟାକ୍ସିରେ ଯିବା ପାଇଁ ମୋତେ ବାଧ୍ୟ କରାଗଲା କିନ୍ତୁ ମୁଁ ରାଜି ହୋଇନଥିଲି। କାରଣ ଟ୍ରେନ ଯାତ୍ରା ପାଇଁ ମୁଁ ଭଡ଼ା ଦେଇଥିଲି। ଟୁଇଟରରେ ଏକଥା ଜଣାଇବା ପରେ ରେଳ କର୍ତ୍ତୃପକ୍ଷ ମୋତେ ଟ୍ରେନରେ ହିଁ ମୋ ଜାଗାରେ ପହଞ୍ଚାଇଥିଲେ” ବୋଲି କହିଛନ୍ତି ଅନନ୍ୟା।

ଅନନ୍ୟା ହେଭି ଇଞ୍ଜିନିୟରିଂ କର୍ପୋରେସନର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଲ’ ପଢ଼ୁଛନ୍ତି।

Comment