ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଭବ-ବର୍ଷା ବିବାଦରେ ଆସିଛି ନୂଆ ଟ୍ଵିଷ୍ଟ। ସାଂସଦ ଅନୁଭବ ମହାନ୍ତି ମାନବାଧିକାର କର୍ମୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ରାଜ୍ୟ ମାନବାଧିକାର କର୍ମୀମାନେ ତାଙ୍କ ପରିବାର ସହ ପ୍ରତାରଣା କରିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ଏଥିସହ ବର୍ଷା ଓ ତାଙ୍କ ପରିବାର ସହ ରାଜ୍ୟ ମାନବାଧିକାର କମିସନ ମୁଖ୍ୟ ଗୀତାଶ୍ରୀ ଦାସ ଯୋଗାଯୋଗରେ ରହିଥିବା ନେଇ ଅନୁଭବ ଟୁଇଟ୍‌ କରିଛନ୍ତି।

ଅନୁଭବ ଟୁଇଟ୍ କରି ଲେଖିଛନ୍ତି, “ତଥାକଥିତ ମାନବାଧିକାର କର୍ମୀମାନେ ମତେ ଓ ମୋ ପରିବାରକୁ ଠକିଛନ୍ତି। ମୋ ବାପାମା’ ଗୁରୁତର ଅସୁସ୍ଥ ଥିବା ବେଳେ ସେମାନେ ଆମ ସହ ଏଭଳି ପ୍ରତାରଣା କରିବେ ତାହା ମୁଁ କେବେ ଆଶା କରିନଥିଲି। ଗତକାଲି ଆଲୋଚନା ସମୟରେ ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲି। ଏହି ଆଲୋଚନା ପରେ ମୁଁ କିମ୍ବା ମାନବାଧିକାର କର୍ମୀମାନେ ମିଡିଆରେ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ସେମାନେ ମିଡିଆରେ ମନ୍ତବ୍ୟ ଦେବା ସହ ମୋ ବିରୋଧରେ ମିଛ କହିଛନ୍ତି। ସେମାନେ ମୋ ପଛରୁ ଛୁରାଘାତ କଲା ପରି ଲାଗୁଛି।”ଗତକାଲି ଆଲୋଚନା କରି ଯିବା ପରେ ସେମାନେ ମିଡିଆରେ ମୋ ପରିବାର ଏବଂ ମୋ ନାଁରେ ମିଛ ବୟାନ ଦେଇଥିଲେ। ଏହାପରେ ମୁଁ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିବା ଅନୁଭବ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

“ଗୀତାଶ୍ରୀ ଦାସ ମୋ ନାଁ, ସମ୍ମାନ ଓ ଚରିତ୍ରକୁ ଖରାପ କରିବା ସହ ମୋତେ ହଇରାଣ କରିବାକୁ ମୋଟା ଅଙ୍କର ଟଙ୍କା ନେଇଛନ୍ତି”, ଅନୁଭବ ଲେଖିଛନ୍ତି।

ଏଥିସହ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ। ବର୍ଷା ତାଙ୍କୁ ଓ ତାଙ୍କ ବାପା ମା’ଙ୍କୁ ମାରିବାକୁ ଚାହୁଁଥିଲେ ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ବର୍ଷାଙ୍କୁ ସେ କୌଣସି ଜନ୍ମରେ ବି ଗ୍ରହଣ କରିବେ ନାହିଁ ବୋଲି ଅନୁଭବ ସ୍ପଷ୍ଟ କରିଛନ୍ତି।


BGU
ଅନ୍ୟପଟେ ମାନବାଧିକାର କର୍ମୀଙ୍କୁ ଆଜି ଅନୁଭବ ନିରାଶ କରିଥିବା ନେଇ ଗୀତାଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଆଜି ସେମାନେ ବର୍ଷା ଅନୁଭବଙ୍କୁ ଏକାଠି ବସାଇ ତାଙ୍କ ଭିତରେ ଆପୋସ ସମାଧାନ କରିବାକୁ ଚାହୁଁଥିଲେ। ଗତକାଲି ଅନୁଭବ ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଅନୁଭବ ଯେଉଁ ସମୟ ଦେଇଥିଲେ ସେହି ସମୟରେ ମାନବାଧିକାର କର୍ମୀମାନେ ଅନୁଭବଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଅନୁଭବ ସେମାନଙ୍କୁ ଦେଖାଦେଇନଥିଲେ। ଜଣେ ସାଂସଦଙ୍କଠାରୁ ଏଭଳି ବ୍ୟବହାର ଆଶା କରାଯାଏନାହିଁ ବୋଲି ଗୀତାଶ୍ରୀ କହିଛନ୍ତି।

Comment