ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢ଼ି। କିନ୍ତୁ ବର୍ତ୍ତମାନର ଯୁବପିଢ଼ି ପାରିବାରିକ, ବ୍ୟକ୍ତିଗତ ସମସ୍ୟା, ପ୍ରେମ ସମ୍ପର୍କ, ମାନସିକ ଅସୁସ୍ଥତା ଓ ବେରୋଜଗାର କାରଣରୁ ଆତ୍ମହତ୍ୟାକୁ ଶେଷ ବାଟ ବୋଲି ବାଛି ନେଉଛନ୍ତି। ଏନେଇ ନ୍ୟାଶନାଲ କ୍ରାଇମ୍ ରେକର୍ଡ଼ସ ବ୍ୟୁରୋ ଯେଉଁ ତଥ୍ୟ ଦେଇଛି, ତାହା ଦେଶ ପାଇଁ ଚିନ୍ତାଜନକ।

ଗତ ବର୍ଷ ତୁଳନାରେ ଆତ୍ମହତ୍ୟା ବଢ଼ିଛି

ବର୍ଷ ୨୦୧୯ରେ ୧ ଲକ୍ଷ ୩୯ ହଜାରରୁ ଅଧିକ ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି। ଏଥିରୁ ୬୭ ପ୍ରତିଶତ ହେଉଛନ୍ତି ଯୁବପିଢ଼ି ଓ ସାବାଳକ ସାବାଳିକା। ୧୮ରୁ ୪୫ ବର୍ଷ ବୟସର ଯୁବପିଢ଼ି ଆତ୍ମହତ୍ୟାକୁ ଜୀବନର ଶେଷ ବାଟ ଭାବେ ବାଛି ନେଉଛନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ ଏବେ ଏଭଳି ତଥ୍ୟ ସାମ୍ନାକୁ ଆଣିଛି। ୨୦୧୮ରେ ଏହି ସଂଖ୍ୟା ୮୯ ହଜାର ୪୦୭ ଥିବାବେଳେ ୨୦୧୯ରେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ୯୩ ହଜାର ୬୧ରେ ପହଞ୍ଚିଛି।ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ସବୁଠାରୁ ବେଶୀ ସାଧାରଣ କୌଶଳ ଭାବେ ଆପଣାଇଛନ୍ତି ଯୁବପିଢ଼ି। ୨୦୧୯ରେ ୭୪,୬୨୯ ଜଣ ଏହିଭଳି ଉପାୟରେ ନିଜ ଜୀବନ ହାରିଛନ୍ତି। ଗତ ଜୁନ୍ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା। ତାହା ଆତ୍ମହତ୍ୟା କିମ୍ବା ହତ୍ୟା, ଏବେ ବି ରହସ୍ୟ ଭିତରେ ରହିଛି।

୧୮ରୁ ୪୫ ବର୍ଷ ବୟସ ଭିତରେ ଆତ୍ମହତ୍ୟାପ୍ରବଣତା ବେଶି

ଏନ୍‌ସିଆର୍‌ବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ରିପୋର୍ଟ ଅନୁସାରେ ଯୁବପିଢ଼ିଙ୍କ ଭିତରେ ଆତ୍ମହତ୍ୟାପ୍ରବଣତାର ମୁଖ୍ୟ କାରଣ ହେଉଛି ପାରିବାରିକ ସମସ୍ୟା, ପ୍ରେମ ସମ୍ପର୍କ, ନିଶା ସେବନ, ମାନସିକ ଅସୁସ୍ଥତା। ୧୮ରୁ ୪୫ ବର୍ଷ ବୟସ ଭିତରେ ପାରିବାରିକ ଅଶାନ୍ତି ଓ ଗଣ୍ଡଗୋଳ ହିଁ ଆତ୍ମହତ୍ୟାର ସବୁଠାରୁ ବଡ଼ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ପାରିବାରିକ ସମସ୍ୟା କାରଣରୁ ୨୦୧୯ ବର୍ଷରେ ୩୧,୭୨୫ ଜଣ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି। ବିବାହଜନିତ ସମସ୍ୟା ୭,୨୯୩ ଜଣ ଯୁବପିଢ଼ିଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିଛି। ମାନସିକ ଅସୁସ୍ଥତା କାରଣରୁ ୬,୪୯୧, ପ୍ରେମ ପାଇଁ ୪,୯୧୯ ଜଣ ଏବଂ ନିଶା ସେବନ କାରଣରୁ ୫,୨୫୭ ଜଣ ଯୁବତୀ ଯୁବକ ଆତ୍ମହତ୍ୟାକୁ ଶେଷ ବାଟ ବୋଲି ବାଛି ନେଇଛନ୍ତି।ଉଲ୍ଲେଖନୀୟ କଥା ହେଉଛି ପାରିବାରିକ ସମସ୍ୟା ଓ ମାନସିକ ଅସୁସ୍ଥତା କାରଣରୁ ଘଟୁଥିବା ଆତ୍ମହତ୍ୟା ଘଟଣାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ବହୁ ଅଧିକ ରହିଛି।

ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି ବେକାରୀ

୨୦୧୯ରେ ଯେତିକି ସଂଖ୍ୟାରେ ଯୁବପିଢ଼ି ଆତ୍ମହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରୁ ୨,୮୫୧ ଜଣ କାମ ଧନ୍ଦା ନ ପାଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୧୮ରୁ ୩୦ ବର୍ଷ ବୟସ ଭିତରେ ୧,୩୬୬ ଜଣ, ୩୦ରୁ ୪୦ ବର୍ଷ ବୟସ ଭିତରେ ୧,୦୫୫ ଜଣ ରହିଛନ୍ତି। କର୍ଣ୍ଣାଟକରେ ବେକାରୀ ଯୋଗୁ ଆତ୍ମହତ୍ୟା ସଂଖ୍ୟା ସର୍ବାଧିକ ରହିଛି। ୨୦୧୮ରେ ୨,୭୪୧ ଜଣ ବେକାରୀ ପାଇଁ ଜୀବନ ହାରିଥିଲେ।

ଅବସାଦରୁ ଆତ୍ମହତ୍ୟା: ବିଶ୍ଵରେ ୩୦ କୋଟି ଲୋକ ଅବସାଦର ଶିକାର

ବିଶ୍ଵବ୍ୟାପୀ ବିପୁଳ ସଂଖ୍ୟାର ଲୋକେ ଅବସାଦ ଓ ଚିନ୍ତାର ଶିକାର ହେଉଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ପୃଥିବୀରେ ସର୍ବାଧିକ ଲୋକ ଭୋଗୁଥିବା ରୋଗ ହେଉଛି ଅବସାଦ ବା ଡିପ୍ରେସନ। ସାରା ବିଶ୍ଵରେ ୩୦ କୋଟି ଲୋକ ଅବସାଦର ଶିକାର ହେଉଥିବା ବେଳେ ୨୪ କୋଟି ଲୋକ ଚିନ୍ତାଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏହି ମାନସିକ ଅସୁସ୍ଥତା ଭିତରେ ଦୀର୍ଘଦିନ ରହିବା ପରେ ଯୁବପିଢ଼ି ଆତ୍ମହତ୍ୟା କରୁଛନ୍ତି।BGUଅନ୍ୟପକ୍ଷରେ କରୋନା ମହାମାରୀ ପାଇଁ ମଧ୍ୟ ବିଶ୍ଵର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଭିତରେ ଚିନ୍ତା ଓ ଅବସାଦ ବଢୁଛି। କେତେକ ସ୍ଥାନରେ ଚାକିରି ହରାଇ କିମ୍ବା ପଜିଟିଭ୍ ହୋଇ ପରୀକ୍ଷା ସୁଯୋଗରୁ ବଞ୍ଚିତ ହେବା ପରେ କେତେଜଣ ଯୁବତୀ ଯୁବକ ଆତ୍ମହତ୍ୟା କରିବାର ଖବର ମଧ୍ୟ ରହିଛି।

Comment