ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୬୪ରେ ପ୍ରଥମେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହାର ୫ ଦଶନ୍ଧି ପରେ ବହୁ ଦାବି, ସଂଘର୍ଷର ପରିଣାମସ୍ୱରୂପ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଏବେ ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଗତ ସେପ୍ଟେମ୍ବର ୨ରେ ବସିଥିବା ଓଡ଼ିଶା ଐତିହ୍ୟ କ୍ୟାବିନେଟ୍‌ର ଦ୍ୱିତୀୟ ବୈଠକରେ ଏକ ରିଜୋଲ୍ୟୁଶନ ପାସ୍ କରିଥିଲେ ରାଜ୍ୟ ସରକାର। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖି ରାଜ୍ୟର ଏହି ଦୀର୍ଘଦିନର ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରାଇଛନ୍ତି।

୨ ହଜାର ବର୍ଷର ଇତିହାସ ଧରି ରଖିଛି ଓଡ଼ିଶୀ ସଙ୍ଗୀତ

ଓଡ଼ିଶୀ ସଙ୍ଗୀତ ବହୁ ପ୍ରାଚୀନ ଓ ଏହାର ୨ ହଜାର ବର୍ଷର ପରମ୍ପରା ରହିଛି। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ ଓଡ଼ିଶୀ ସଙ୍ଗୀତର ପୃଷ୍ଠପୋଷକତା ଓ ଏହାକୁ ପ୍ରୋତ୍ସାହନ ଦେଇଥିଲେ। ଓଡ଼ିଶୀ ସଙ୍ଗୀତ, ବାଦ୍ୟଯନ୍ତ୍ର, ନୃତ୍ୟର ଐତିହାସିକ ପ୍ରମାଣ ରହିଛି। ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରିସ୍ଥିତ ରାଣୀଗୁମ୍ଫାରେ ଥିବା ରମଣୀମାନଙ୍କ ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀର ପ୍ରତିମୂର୍ତ୍ତି ହେଉଛି ଏହାର ମୂକସାକ୍ଷୀ।

ନିଜସ୍ୱ ଲିପିକୃତ ବ୍ୟାକରଣ, ବାଦ୍ୟଯନ୍ତ୍ର ରହିଛି

ଓଡ଼ିଶୀ ସଙ୍ଗୀତର ଲିପିକୃତ ବ୍ୟାକରଣ ରହିଛି। ଏହାର ସମୃଦ୍ଧ ଗାୟନ ଶୈଳୀ ମଧ୍ୟ ଅଛି। ହିନ୍ଦୁସ୍ତାନୀ ସଙ୍ଗୀତର ବାଦ୍ୟ ଉପକରଣ ତବଲା ହୋଇଥିବା ବେଳେ ମୃଦଙ୍ଗ ହେଉଛି କର୍ଣ୍ଣାଟକୀ ସଙ୍ଗୀତର ବାଦ୍ୟଯନ୍ତ୍ର। ସେହିପରି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ବାଦ୍ୟ ହେଉଛି ମର୍ଦ୍ଦଳ।

ଜୟଦେବଙ୍କ ଗୀତଗୋବିନ୍ଦ, ହରି ନାୟକଙ୍କ ସଙ୍ଗୀତ ସାର, କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କ ଗୀତ ପ୍ରକାଶ, ନୀଳକଣ୍ଠଙ୍କ ସଙ୍ଗୀତାର୍ଣ୍ଣଭ ଚନ୍ଦ୍ରିକା, ହରିଚନ୍ଦନଙ୍କ ସଙ୍ଗୀତ ମୁକ୍ତାବାଲି, ରଘୁନାଥ ରଥଙ୍କ ନାଟ୍ୟ ମନୋରମା, ପୁରୁଷୋତ୍ତମ ମିଶ୍ରଙ୍କ ସଙ୍ଗୀତ ନାରାୟଣ ପରି ଓଡ଼ିଶୀ ସଙ୍ଗୀତର ଅନେକ ନିଜସ୍ୱ ଗୀତ ରହିଛି।

ଓଡ଼ିଶୀ ସଙ୍ଗୀତ ଏହାର ଗୀତକୁ ବହୁ ଗୁରୁତ୍ୱ ଦିଏ। ବିନା କୌଣସି ବିକୃତି କିମ୍ବା ବ୍ୟତିକ୍ରମରେ ଶୃଙ୍ଖଳିତ ଓ ସ୍ପଷ୍ଟ ଭାବେ ଏହି ସଙ୍ଗୀତ ଗାୟନ କରାଯାଏ। ପ୍ରତ୍ୟେକ ସଙ୍ଗୀତର ନିର୍ଦ୍ଦିଷ୍ଟ ରାଗ ଓ ତାଳ ରହିଛି। ଭଙ୍ଗୀ, ଠାଣି, ଲାଳିତ୍ୟ ଓ ମୁଦ୍ରାରେ ଏହାର ସ୍ୱତନ୍ତ୍ରତା ଅଛି।

ଓଡ଼ିଶୀ ନୃତ୍ୟ ଓଡ଼ିଶୀ ସଙ୍ଗୀତ ଆଧାରରେ ପ୍ରଦର୍ଶିତ ହେଉଥିବା ବେଳେ ଓଡ଼ିଶୀ ନୃତ୍ୟକୁ ବହୁ ପୂର୍ବରୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି। ତେଣୁ ଏବେ ଓଡ଼ିଶୀ ସଙ୍ଗୀତ ପାଇଁ ଶାସ୍ତ୍ରୀୟତା ଦାବି ବଢୁଛି।

କେନ୍ଦ୍ରକୁ ଚିଠି ଲେଖି ଶାସ୍ତ୍ରୀୟ ମାନ୍ୟତା ଦାବି ଜଣାଇଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସବୁ ପ୍ରକାର ଆନୁଷ୍ଠାନିକ ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତ ନୃତ୍ୟ ଓ ନାଟକକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା କରାଯାଇଛି।

ପ୍ରୋତ୍ସାହନର ଏହି ଧାରାକୁ ଆଉ ପାଦେ ଆଗକୁ ନେବା ପାଇଁ ୧୯୯୯ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଭାରତୀୟ ସାଂସ୍କୃତିକ ମାନଚିତ୍ରରେ ଓଡ଼ିଶୀ ସଙ୍ଗୀତ ଏକ ମହତ୍ତ୍ୱପୂର୍ଣ୍ଣ ଛାପ ଛାଡ଼ିଛି। ଅନେକ ଓଡ଼ିଶୀ ସଙ୍ଗୀତଜ୍ଞ, ନୃତ୍ୟଶିଳ୍ପୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ଫେମ୍‌ ମିଳିସାରିଛି। ଏହାସତ୍ତ୍ୱେ ଓଡ଼ିଶୀ ସଙ୍ଗୀତ ଜାତୀୟସ୍ତରରେ ଶାସ୍ତ୍ରୀୟ ମାନ୍ୟତା ଅପେକ୍ଷାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comment