ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବିସିସିଆଇ ପକ୍ଷରୁ ଆସନ୍ତା ନଭେମ୍ବର ୪ ରୁ ୯ତାରିଖ ପର୍ଯ୍ୟନ୍ତ ୟୁଏଇଠାରେ ମହିଳା ଟି-୨୦ ଚ୍ୟାଲେଞ୍ଜ୍ ଆୟୋଜିତ ହେବ। ଏଥିରେ ମିଥାଲି ରାଜ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଭେଲୋସିଟିରେ ସ୍ଥାନ ପାଇଛନ୍ତି ଓଡ଼ିଆ ତାରକା ସୁଶ୍ରୀ ଦିବ୍ୟଦର୍ଶିନୀ। ଏନେଇ ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ୍ ତରଫରୁ ସୂଚନା ଦିଆଯାଇଛି। ସୁଶ୍ରୀ ଏକମାତ୍ର ଓଡ଼ିଆ କ୍ରିକେଟର ଭାବେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଖେଳିବେ।

ଏହି ପ୍ରତିଯୋଗିତାରେ ଭାରତ ସମେତ ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଲାଂଦେଶ, ନ୍ୟୁଜିଲାଣ୍ଡର ଷ୍ଟାର୍ ଖେଳାଳିମାନେ ଅଂଶଗ୍ରହଣ କରିବେ। ଆଇପିଏଲ୍ ଢାଞ୍ଚାରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ତିନୋଟି ଟିମ୍ ରହିବ। ହରମିତ୍ କୌରଙ୍କ ନେତୃତ୍ୱରେ ‘ସୁପରନୋଭାସ୍‌’, ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ‘ଟ୍ରାଏଲ୍ ବ୍ଲେଜର୍ସ’ ଏବଂ ମିଥାଲି ରାଜଙ୍କ ନେତୃତ୍ୱରେ ‘ଭେଲୋସିଟି’ ପରସ୍ପରକୁ ଟକ୍କର ଦେବେ।

ତେବେ ମିଥାଲିଙ୍କ ଟିମ୍‌ରେ ସୁଶ୍ରୀ ଜଣେ ଆଗଧାଡ଼ିର ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସୁଶ୍ରୀଙ୍କ ସମେତ ବେଦ କ୍ରୀଷ୍ଣମୂର୍ତ୍ତି, ସେଫାଳି ବର୍ମା, ସୁଷମା ବର୍ମା, ଏକ୍‌ତା ବିଷ୍ଟ୍‌, ମାନସି ଜୋଶି, ଶିଖା ପାଣ୍ଡେ, ଦେବିକାକା ବୈଦ୍ୟ, ମାନାଲି ଦକ୍ଷିଣୀ, ଲିହ କାସେପରେକ୍‌, ଡାନିଏଲ୍ ୱେଟ୍‌, ସୁନେ ଲୁସ୍‌, ଜାହାନାରା ଆଲାମ୍‌, ଏମ୍‌. ଅନଘ ପ୍ରମୁଖ ଖେଳାଳି ରହିଛନ୍ତି।

ସୁଶ୍ରୀ ଦିବ୍ୟଦର୍ଶିନୀ ୧୯ ବର୍ଷରୁ କମ୍ ଓ ୨୩ ବର୍ଷରୁ କମ୍ ଦଳରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିଆସୁଛନ୍ତି। ଏବେ ସୁଦ୍ଧା ସେ ୧୨୫ରୁ ଅଧିକ ଜାତୀୟ ଘରୋଇ ମ୍ୟାଚ୍ ଖେଳିସାରିଲେଣି। କେବଳ ସେତିକି ନୁହେଁ ଭାରତ-ଏ’, ପୂର୍ବାଞ୍ଚଳ ଦଳ ଏବଂ ଚ୍ୟାଲେଞ୍ଜର୍ ଟ୍ରଫିରେ ଇଣ୍ଡିଆ ବ୍ଲୁକୁ ପ୍ରତିନିଧିତ୍ଵ କରିଛନ୍ତି।ସୁଶ୍ରୀ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ନିବାସ କୁମାର ପ୍ରଧାନ ଏବଂ ମା’ଙ୍କ ନାମ ଚନ୍ଦ୍ରବତୀ ପ୍ରଧାନ। ସେ ଏବେ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଥିବା ବେଳେ ଭୁବନେଶ୍ୱରରେ ଜାଗୃତି କ୍ରିକେଟ ଏକାଡ଼େମୀରେ ଅଭ୍ୟାସ ଜାରି ରଖିଛନ୍ତି।

କ୍ଷୀରୋଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହି ସୁଶ୍ରୀ ଖେଳିଆସୁଛନ୍ତି। ସୁଶ୍ରୀଙ୍କ ଏହି ସଫଳତା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

Comment