ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ବୁଧବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ମଙ୍ଗଳବାର ନୟାଗଡ଼ର ଅଶୋକ କୁମାର ସାହୁ ଓ ତାଙ୍କ ପତ୍ନୀ ସୌଦାମିନୀ ସାହୁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଝିଅର ହତ୍ୟା ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲା ବୁଝାସୁଝା କରୁନି ବୋଲି ସେମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବିରୋଧୀମାନେ ଗୃହରେ ଝଡ଼ ସୃଷ୍ଟି କରିବା ସହିତ ସରକାରଙ୍କ ପକ୍ଷରୁ ଉତ୍ତର ଚାହିଁଥିଲେ। ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଜାରି କରିବା ସହିତ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏନେଇ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ନୟାଗଡ଼ ଏସଡିପିଓ ଏହି ମାମଲାର ତଦାରଖ କରୁଛନ୍ତି। ଏହି ମାମଲରେ ସମ୍ପୃକ୍ତ ଥିବା ୩୪ ଜଣ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଛି। ତା ସହ ସମସ୍ତ ସନ୍ଦିଗ୍ଧମାନଙ୍କ କଲ ରେକର୍ଡ ଏବଂ ୪  ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ହୋଇଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।

ବିଧାନସଭା ଆଗରେ ହାଇଡ୍ରାମା

ମଙ୍ଗଳବାର ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏହି ସମୟରେ ସେମାନେ ତାଙ୍କ ଝିଅ ପାଇଁ ନ୍ୟାୟ ଦାବି କରିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ।ସୂଚନଯୋଗ୍ୟ, ନୟାଗଡ଼ର ଯଦୁପୁର ଗାଁରେ ରହୁଥିବା ଅଶୋକ କୁମାର ଓ ସୌଦାମିନୀଙ୍କର ଗୋଟିଏ ୫ ବର୍ଷର ଝିଅ ଥିଲା। ହେଲେ ଗତ ଜୁଲାଇ ୧୪ ତାରିଖରେ ସେ ହଠାତ୍ ନିଖୋଜ ହୋଇଯାଇଥିଲା। ଏନେଇ ତାଙ୍କ ପରିବାର ଲୋକେ ପୋଲିସରେ ସୂଚନା ମଧ୍ୟ ଦେଇଥିଲେ। ଏହାପରେ ଜୁଲାଇ ୨୩ ତାରିଖରେ ସେହି ଝିଅର ଶବ କ୍ଷତବିକ୍ଷତ ଅଭସ୍ଥାରେ ତାଙ୍କ ଘର ପଛ ପୋଖରୀ ପାଖରୁ ମିଳିଥିଲା।

ଏହାପରେ ନୟାଗଡ଼ ସଦର ପୋଲିସ ଏହି ଘଟଣାର ସଠିକ୍ ଭାବେ ତଦନ୍ତ କରୁନି ବୋଲି ମୃତ ଶିଶୁର ବାପା ମା ଅଭିଯୋଗ କରିଥିଲେ। ଶେଷରେ ନିରାଶ ହୋଇ ମଙ୍ଗଳବାର ଦୁହେଁ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ।

Comment