ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ବିନା ରିଜରଭେସନ ଟିକେଟରେ ବିଶାଖାପାଟଣା ରେଳଷ୍ଟେସନ ଦେଇ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ବିଶାଖାପାଟଣା ରେଳବାଇ ମଣ୍ଡଳ ପକ୍ଷରୁ ବାଓମେଟ୍ରିକ ଟୋକେନ ସିଷ୍ଟମର ଶୁଭାରମ୍ଭ କରାଯାଇଛି। ଏଥିସହିତ ଷ୍ଟେସନରେ ଯାତ୍ରୀଙ୍କୁ ସମସ୍ତ ସୁରକ୍ଷା ପ୍ରଦାନ ପାଇଁ ଡ୍ରୋନ କ୍ୟାମେରା ଦ୍ୱାରା ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ପଦ୍ଧତିକୁ କାର୍ଯ୍ୟକ୍ଷମ କରାଯାଇଛି।

ସାରା ଆନ୍ଧ୍ରପ୍ରଦେଶରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ଷମ କରାଇବାରେ ବିଶାଖାପାଟଣା ରେଳଷ୍ଟେସନ ପ୍ରଥମ ବୋଲି ଜଣାପଡିଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶାଖାପାଟଣା ରେଳ ମଣ୍ଡଳ ଅଧିକାରୀ ଚେତନ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ, ଆଗକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣି ରହିଥିବାରୁ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ ଏଣୁ ଏହାକୁ ଦୃଷ୍ଟିରେ ରଖାଯାଇ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି ନୂତନ ବାଓମେଟ୍ରିକ ଟୋକେନ ସିଷ୍ଟମ ଦ୍ୱାରା ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମ୍ପୂର୍ଣ ଠିକଣା ସହ, ତାଙ୍କର ସମ୍ପର୍କୀୟଙ୍କ ଫୋନ ନମ୍ବର, ଫଟୋ ରହିବ ଯାହାଦ୍ୱାରା ଟ୍ରେନ ଦୁର୍ଘଟଣା ସମୟରେ ଏହି ଯାତ୍ରୀଙ୍କୁ ଚିହ୍ନଟ କରିବାରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୁବିଧା ମିଳିପାରିବ।

ଏହି ଅବସରରେ ରେଳବାଇ ପୋଲିସ କମିସନର ଜିତେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ, ବାଓମେଟ୍ରିକ ଟୋକେନ ସିଷ୍ଟମ ଦ୍ୱାରା ଯାତ୍ରୀମାନେ ବହୁତ ସୁବିଧା ପାଇପାରିବେ। ପୂର୍ବରୁ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକାଂଶ ସମୟରେ ଟିକେଟ ରିଜରଭେସନ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ବହୁ ସମୟ ଧରି ଲାଇନରେ ଠିଆ ହେବାକୁ ପଡୁଥିଲା କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନଙ୍କ ଫିଙ୍ଗରପ୍ରିଣ୍ଟ ସ୍କାନିଂ କରାଯାଇ ଟୋକେନ ଦିଆଯିବ ଏବଂ ଯେଉଁ ଯାତ୍ରୀମାନେ ପ୍ରଥମେ ଆସିବେ ସେମାନଙ୍କୁ ତୁରନ୍ତ ଯାତ୍ରାପାଇଁ ଟିକେଟ ପ୍ରଦାନ କରାଯିବ।

ଯାତ୍ରୀମାନେ ଟ୍ରେନର ଜେନେରାଲ ବଗିରେ ଟୋକେନରେ ଦିଆଯାଇଥିବା ସିଟ ନମ୍ବରରେ ବସି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନର ଜେନେରାଲ ବଗି ନିକଟରେ ରେଳବାଇ କର୍ମଚାରୀମାନେ ଟୋକେନ ନମ୍ବର ଯାଞ୍ଚ କରି ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି।

ଏହି ସିଷ୍ଟମ ଦ୍ୱାରା ଯାତ୍ରୀଙ୍କୁ ଟ୍ରେନର ଜେନେରାଲ ବଗିରେ ଯାତ୍ରା ପାଇଁ ପୂର୍ବଭଳି ଟିକେଟ ସଂରକ୍ଷଣ କରିବାକୁ ପଡିବ ନାହିଁ ଏବଂ ଯାତ୍ରୀମାନେ ଯାତ୍ରା ଦିନ ହିଁ ଷ୍ଟେସନ ପହଞ୍ଚି ନିଜର ଟିକେଟ ପଞ୍ଜୀକୃତ କରିପାରିବେ। ଅପରପକ୍ଷରେ ଡ୍ରୋନ କ୍ୟାମେରା ସିଷ୍ଟମ ଦ୍ୱାରା ଷ୍ଟେସନରେ ପ୍ରତ୍ୟେକ ପ୍ଲାଟଫର୍ମରେ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ ସହ ଷ୍ଟେସନର ଅନ୍ୟ ୩ କିଲୋମିଟର ପରିଧିରେ ଡ୍ରୋନ କେମେରା ଦ୍ୱାରା ରେଳ ଟ୍ରାକଗୁଡିକର ନିରୀକ୍ଷଣ କରାଯିବ ଓ ଦୁର୍ଘଟଣାସ୍ଥଳଗୁଡିକର ନିରୀକ୍ଷଣ କରାଯିବ। ଡ୍ରୋନ କ୍ୟାମେରା ଦ୍ୱାରା ଦୁର୍ଘଟଣାଗୁଡିକର ପୂର୍ବାନୁମାନ କରାଯାଇପାରିବ ସହ ଷ୍ଟେସନରେ ଅପରାଧିକ ମାମଲାକୁ ରୋକିବାରେ ପୋଲିସ କର୍ମଚାରୀମାନେ ସକ୍ଷମ ହୋଇପାରିବେ। ଏହି କ୍ୟାମେରାର ପରିଚାଳନା ପାଇଁ ୧୦ ଜଣ ରେଳବାଇ ପୋଲିସ କର୍ମଚାରୀଙ୍କୁ ପାଇଲଟ ଟ୍ରେନିଂ ପ୍ରଦାନ କରାଯାଇଥିବା ଜିତେନ୍ଦ୍ର ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି।

Comment