ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ।

“ମୋ ଚିକିତ୍ସା ପାଇଁ ଦରକାର ପଡ଼ିଥିଲା ଗୋଟିଏ ବୋତଲ ରକ୍ତ। କେହି ଜଣେ ଦେଇଥିଲା ତ ! ସେହି କେହି ଜଣେର ରକ୍ତରେ ମୁଁ ଜୀବନ ଫେରି ପାଇଥିଲି। ସେହି ଲୋକକୁ ମନେ ପକାଇ କେବେ ମୁଁ ପଛକୁ ଫେରି ଚାହିଁନି। ଯେତେବେଳେ କାହାର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ହୁଏ ମୁଁ ଆଗେଇ ଆସେ ତାକୁ ରକ୍ତ ଦେବାକୁ।”

ଦୁଇବର୍ଷ ତଳେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଥିଲେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ। ହେଲେ ଏବେ ସେ ସ୍ଵର ନା ଆଉ ଶୁଣିବାକୁ ମିଳିବ, ନା ଦେଖିବାକୁ ମିଳିବ ସେ ହସ ହସ ମୁହଁ। ଆଜି ୬୨ ବର୍ଷ ବୟସରେ ସମସ୍ତଙ୍କୁ ପର କରିଦେଇ ସବୁଦିନ ପାଇଁ ଚାଲି ଯାଇଛନ୍ତି ପ୍ରକାଶ।ପାଖରୁ ଦେଖିଥିଲେ ଜୀବନର ସଂଘର୍ଷକୁ

ପ୍ରକାଶ ଥିଲେ ଘରର ବଡ଼ ପୁଅ। ତେଣୁ ବାପାଙ୍କ ପରେ ପୂରା ଘରର ଦାୟିତ୍ଵ ଥିଲା ତାଙ୍କ କାନ୍ଧ ଉପରେ। ଏଥିପାଇଁ ପିଲାଟି ବେଳୁ ବାପାଙ୍କୁ ଚା’ ଦୋକାନରେ ସାହାଯ୍ୟ କରିବା ଆରମ୍ଭ କରି ଦେଇଥିଲେ ପ୍ରକାଶ। ବାପାଙ୍କୁ ଏପରି ଦୋକାନରେ ସାହାଯ୍ୟ କରୁ କରୁ ମାତ୍ର ୧୭ ବର୍ଷ ବୟସରେ ସେ ରୋଗରେ ପୀଡ଼ିତ ହୋଇଥିଲେ। ହାତ, ଗୋଡ଼ର ଆଙ୍ଗୁଳି ଧୀରେ ଧୀରେ କାମ କରିବା ବନ୍ଦ କରିଦେଇଥିଲା। ଅଣ୍ଟା ତଳକୁ ଦେହର ଅଙ୍ଗ ସବୁ ବଧିରା ପଡ଼ିଗଲା। ସ୍ପର୍ଶ କଲେ କି ଚିମୁଟିଲେ କିଛି ତାଙ୍କୁ ଜଣାପଡୁ ନଥିଲା। ସ୍ପର୍ଶଶକ୍ତି ହରାଇ ବସିଥିଲେ ପ୍ରକାଶ। ଏହାପରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ପ୍ରାୟ ୬ ମାସ ଧରି ଶଯ୍ୟାଶାୟୀ ହୋଇ ପଡ଼ି ରହିବା ପରେ ସୁସ୍ଥ ହୋଇ ଘରକୁ ସେ ଫେରିଥିଲେ। ଏହାପରେ ବାପାଙ୍କ ସେହି ଚା’ ଦୋକାନକୁ ବୃତ୍ତି ଭାବେ ଆପଣେଇ ନେଇଥିଲେ ପ୍ରକାଶ।ଅଜଣା ବ୍ୟକ୍ତିର ସେବାରେ ପାଉଥିଲେ ଆନନ୍ଦ

ସକାଳୁ ଦୋକାନରେ ଚା’ ବ୍ୟବସାୟ ଆରମ୍ଭ କରି ସାରିବା ପରେ ପ୍ରକାଶଙ୍କ ନିତିଦିନିଆ ଠିକଣା ଥିଲା କଟକର ବଡ଼ ଡାକ୍ତରଖାନା। ଘଣ୍ଟାରେ ୧୦ଟା ବାଜିଲେ ଦୋକାନ ବନ୍ଦ କରି ସାଇକେଲ ନେଇ ପ୍ରକାଶ ପହଞ୍ଚି ଯାଉଥିଲେ ବଡ଼ ମେଡିକାଲରେ। ଚିହ୍ନା ଥାଉ କି ବା ନଥାଉ ନିଜ ସାମର୍ଥ୍ୟ ହିସାବରେ ଯାହାର ଯେଉଁ ସାହାଯ୍ୟ ଆବଶ୍ୟକ ହେଉଥିଲା ସେ କରୁଥିଲେ। କେହି ଅଜଣା ବ୍ୟକ୍ତିର ରକ୍ତରେ ନିଜ ଜୀବନ ଫେରି ପାଇଥିବା ପ୍ରକାଶ ନିଜ ଶରୀରର ସମସ୍ତ ରକ୍ତ ବିନ୍ଦୁକୁ ଅଜଣା ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ଉତ୍ସର୍ଗ କରିଦେଇଥିଲେ। ତେଣୁ ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛା ଭାବେ ନିଜ ଶରୀରକୁ ଦାନ କରିବାକୁ ସେ ସଂକଳ୍ପ କରିଥିଲେ। ଶିକ୍ଷାର ନୂଆ ପରିଚୟ – ଆଶା ଆଶ୍ୱାସନା ଗୃହ

ବସ୍ତିରେ ବାସ କରୁଥିବା ଛୋଟ ଛୋଟ ପିଲା ଅବା ଯେଉଁମାନେ ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନଥିଲେ ସେମାନଙ୍କ ପାଇଁ ଶିକ୍ଷିତ କରିବାର ସଂକଳ୍ପ କରିଥିଲେ ପ୍ରକାଶ ରାଓ। ବକ୍ସିବଜାରସ୍ଥିତ ନିଜ ଘରେ ୨୦୦୦ ମସିହାରେ “ଆଶା ଆଶ୍ୱାସନା ଗୃହ” ନାମରେ ପ୍ରକାଶ ଆରମ୍ଭ କରିଥିଲେ ଏକ ସ୍କୁଲ। ଚା’ ଦୋକାନରୁ ଯେତିକି ଆୟ ହେଉଥିଲା ସେହି ଟଙ୍କାରେ ମେଣ୍ଟୁଥିଲା ସ୍କୁଲର ଖର୍ଚ୍ଚ। ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେଇ ସାରିବା ପରେ ସରକାରୀ ସ୍କୁଲରେ ସେମାନଙ୍କ ନାମ ଲେଖାଇ ହେଉଥିଲେ ପ୍ରକାଶ। ଏବେ ସେହି ସ୍କୁଲରେ ପାଖାପାଖି ୧୦୦ ପିଲା ପାଠ ପଢୁଛନ୍ତି।

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡି. ପ୍ରକାଶ ରାଓଙ୍କୁ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିଥିଲେ।

Comment