ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୧’
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ
  • ମାସ୍କଟ ‘ପାଳଛତୁ’ ଉଦଘାଟିତ
  • ଏ ବର୍ଷର ଥିମ୍ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’
  • କୃଷି ଓଡ଼ିଶାରେ ୧୬୦ଟି ମଣ୍ଡପ ପ୍ରଦର୍ଶିତ

ମାର୍ଚ୍ଚ ୧୫ରୁ ୧୯ ତାରିଖ ଯାଏଁ ପାଞ୍ଚଦିନ ଧରି ଭୁବନେଶ୍ୱରରେ ଚାଲିବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୧’। ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’ ଥିମକୁ ଆଧାର କରି ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି କୃଷି ମହାକୁମ୍ଭ ଆୟୋଜନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ସହଯୋଗୀତାରେ ଆୟୋଜନ କରାଯାଉଥିବା ଏହି ମହୋତ୍ସବକୁ ୧୫ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏନେଇ ଶୁକ୍ରବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି କୃଷି ମହାକୁମ୍ଭରେ ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ସହିତ ସମ୍ପୃକ୍ତ ବ୍ୟବସାୟୀ ସାମିଲ ହେବେ। କୃଷି ଓ କୃଷକର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି କାର୍ଯ୍ୟରେ ବ୍ୟବହୃତ ଆଧୁନିକ ଯନ୍ତ୍ରପାତି ବିଷୟରେ ସୂଚନା ଓ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସମ୍ଵଳ ବିକାଶ, ଚାଷୀଙ୍କ ପାଇଁ ରହିଥିବା ବଜାର ସିୁବିଧା ଆଦି ବିଷୟରେ ଚାଷୀଙ୍କୁ ସୂଚନା ଦେବା ହେଉଛି ‘କୃଷି ଓଡ଼ିଶା’ର ମୂଳ ଲକ୍ଷ୍ୟ।ସେହିପରି କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଋଣକୁ ଚାଷୀମାନେ କିପରି ବ୍ୟାଙ୍କରୁ ସହଜରେ ପାଇପାରିବେ ସେନେଇ ଆଲୋଚନା କରାଯିବ। ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ଆଦି ବିଷୟଗୁଡ଼ିକ ଉପରେ ଏହି ମହୋତ୍ସବରେ ଆଲୋଚନା କରାଯିବ।

“ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟ ରହିଛି ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’। ଚାଷରୁ ଅଧିକ ଆୟ କରିବାକୁ ହେଲେ ଚାଷୀଭାଇମାନଙ୍କୁ ସମନ୍ଵିତ କୃଷିକୁ ଆପଣାଇବାକୁ ପଡ଼ିବ। ଏହାଦ୍ଵାରା ଅଳ୍ପ ଜାଗାରୁ ଅଧିକ ଉତ୍ପାଦନ ଏବଂ ଅଧିକ ଲାଭ ମିଳିପାରିବ”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।ଚଳିତବର୍ଷ କୃଷି ଓଡ଼ିଶାରେ ‘ପାଳଛତୁ’କୁ ମାସ୍କଟଭାବେ ଗ୍ରହଣ କରାଯାଇଛି। ଏହି ମାସ୍କଟକୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଉନ୍ମୋଚନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ‘‘ସାରା ଭାରତ ବର୍ଷରେ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ। ଅନ୍ୟ ସମସ୍ତ ପ୍ରକାର ଛତୁ ଉତ୍ପାଦନରେ ଦ୍ଵିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶାରେ ବ୍ୟାପକ ଭାବେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗ ଛତୁ ଚାଷ କରି ସ୍ଵାବଲମ୍ବୀ ହୋଇପାରିଥିବାରୁ ଛତୁକୁ ମାସ୍କଟ ପାଇଁ ଚୟନ କରାଯାଇଛି।’’

ଏବର୍ଷ କୃଷି ଓଡ଼ିଶା ମହୋତ୍ସବରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେବ। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, ଓୟୁଏଟି, ଏନ୍.ଆର୍.ଆର୍.ଆଇ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ଅଂଶଗ୍ରହଣ କରିବେ। ଏଥିସହିତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମିଲେଟ ମିଶନ ଆଦି ସଂସ୍ଥାମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।କୃଷି ଓଡ଼ିଶା ମହୋତ୍ସବରେ କୃଷକ ସଶକ୍ତିକରଣ, ଫୁଲ ଚାଷ, ମାଛ ଚାଷ, କୁକୁଡ଼ା ପାଳନ, ଗୋପାଳନ, ଉତ୍ପାଦନ ବୃଦ୍ଧିରେ ସମନ୍ଵିତ ଚାଷର ଭୂମିକା, ଅଧିକ ଆୟ ପାଇଁ ଫସଲ ବିବିଧିକରଣ, କ୍ଷୁଦ୍ର ଶସ୍ୟ ଚାଷ, ଜୈବିକ କୃଷି, ଓଡ଼ିଶାରେ କୃଷି ଉଦ୍ୟୋଗ ସ୍ଥାପନରେ ଥିବା ସୁବିଧା ଓ ସୁଯୋଗ ଆଦି ୧୦ଟି ବିଷୟରେ କୃଷକ ଓ କୃଷି ଉଦ୍ୟୋଗୀମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିଦିନ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ଆଲୋଚନାଚକ୍ରମାନ ଆୟୋଜନ କରାଯିବ।

ସେହିପରି ବ୍ୟବସାୟିକ କୃଷି ପରିଚାଳନା ପାଇଁ ଉଦ୍ୟୋଗ ସ୍ଥାପନ କରିବା ଦିବରେ ରାଜ୍ୟରେ କେଉଁ କେଉଁ ସୁବିଧା ଓ ସୁଯୋଗ ରହିଛି ସେ ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ। ଏଥିନିମନ୍ତେ ଚଷୀ ଓ ଉଦ୍ୟୋଗୀମାନଙ୍କ ସହିତ ବ୍ୟାଙ୍କ ଅଧିକାରୀମାନଙ୍କର ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ‘କୃଷି ଓଡ଼ିଶା’ ମହୋତ୍ସବରେ ପ୍ରତିଦିନ ଯେଉଁ ସବୁ ଆଲୋଚନାଚକ୍ର ଏବଂ କର୍ମଶାଳାମାନ ଆୟୋଜନ ହେବ। କୃଷି ବିଭାଗର ସୋସିଆଲ ମିଡିଆ ପେଜ ଜରିଆରେ ତାହାର ସିଧାପ୍ରସାରଣ କରାଯିବ। ଏହାକୁ ପ୍ରତି ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କ୍ଷୁଦ୍ର ପ୍ରଦର୍ଶନୀ ମାଧ୍ୟମରେ ଚାଷୀମାନଙ୍କୁ ପ୍ରଦର୍ଶନ କରାଯିବ।

ଏଥିସହିତ ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଆଜିର ସାମ୍ଵାଦିକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସମେତ କୃଷି ବିଭାଗର ସ୍ଵତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ବଶିଷ୍ଟ, ବିଭାଗୀୟ ନିର୍ଦ୍ଦେଶକ ଡକ୍ଟର ମୁଥୁ କୁମାର ଏବଂ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Comment