ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫଗାନିସ୍ତାନର ରାଜଧାନୀ କାବୁଲକୁ କବ୍‌ଜା କଲା ତାଲିବାନ
  • ଭୟ, ଆତଙ୍କରେ ଆଫଗାନବାସୀ
  • ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଅସରଫ୍‌ ଘନି
  • ଆଫ୍‌ଗାନିସ୍ତାନ ସ୍ଥିତିକୁ ନେଇ ମଲାଲାଙ୍କ ଚିନ୍ତା

ଧୀରେ ଧୀରେ କରି ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନମାନେ ଦଖଲକୁ ନେଇଛନ୍ତି। ରାଜଧାନୀ କାବୁଲକୁ କବ୍‌ଜାକୁ ନେବାପରେ ଭୟ ଓ ଆତଙ୍କରେ ଅଛନ୍ତି ଆଫଗାନବାସୀ। ଏଭଳି ସ୍ଥିତିରେ ଦିନେ ତାଲବାନଙ୍କ ଗୁଳିର ଶିକାର ହୋଇଥିବା ପାକିସ୍ତାନୀ ଯୁବତୀ ମଲାଲା ୟୁସୁଫଜାଈ ଆଫଗାନର ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି।

ଅନ୍ୟପଟେ ଆଫାଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ରାଷ୍ଟ୍ରପତି ଅସରଫ୍‌ ଘନି ଦେଶ ଛାଡ଼ି ପଳାୟନ କରିଛନ୍ତି। ଏକ ସଙ୍କଟମୟ ପରିସ୍ଥିତିରେ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇବା ପରେ ସାଧାରଣ ଲୋକ ଓ ବିଶେଷକରି ମହିଳା ଏବେ ତାଲିବାନର ଆକ୍ରୋଶର ଶିକାର ହେବେ।

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମଲାଲା ଚିନ୍ତା ପ୍ରକଟ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ‘‘ତାଲିବାନ ଯେଭଳି ଭାବେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛି ତାହା ଦେଖି ମୁଁ ସ୍ତବ୍ଧ। ସେଠାକାର ମହିଳା ଓ ସଂଖ୍ୟାଲଘୁମାନଙ୍କୁ ନେଇ ମୁଁ ଚିନ୍ତିତ। ତେଣୁ ପ୍ରତ୍ୟେକ ଛୋଟ ଏବଂ ବଡ ଦେଶଙ୍କୁ ମୋର ଅନୁରୋଧ ଆଫଗାନର ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବାକୁ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ’’।

୧୯୯୭ରେ ପାକିସ୍ତାନର ସ୍ୱାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ସେ ଜନ୍ମ ହୋଇଥିଲେ ମଲାଲା। ୨୦୦୮ରୁ ଏହି ପାକିସ୍ତାନୀ ଯୁବତୀ ମୁଖତଃ ନାରୀ ଶିକ୍ଷା ଅଭିଯାନ ସହ ସଂପୃକ୍ତ। ୨୦୧୨ ଅକ୍ଟୋବରରେ ତାଲିବାନୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ତାଙ୍କୁ ଗୁଳି ଚଳାଇଥିଲେ। ଠିକ୍ ସମୟରେ ଚିକିତ୍ସା ଦ୍ୱାରା ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥିଲା।

୨୦୧୩ ଜୁଲାଇ ୧୨ରେ ଜାତିସଂଘରେ ସମସ୍ତଙ୍କର ଶିକ୍ଷା ଅଧିକାର ଉପରେ ଭାଷଣ ଦେଇ ସାରା ପୃଥିବୀକୁ ସେ ଚମକାଇ ଦେଇଥିଲେ। ପାକିସ୍ତାନର ଏକ ଗ୍ରାମୀଣ ଯୁବତୀ ନାରୀ ଶିକ୍ଷା ପାଇଁ ସଂଗ୍ରାମ କରିଥିଲେ। ତାଲିବାନୀଙ୍କ ଗୁଳି ଖାଇବା ପରେ ବି ସେ ତାଙ୍କ ସଂଗ୍ରାମ ଜାରି ରଖିଥିଲେ। ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲିଟିଥିଲେ। ୨୦୧୪ରେ ସେଥିପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

Comment