ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏହା ପ୍ରଭାବରେ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ  କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ଗୁରୁବାର ସକାଳ ଯାଏଁ ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, କନ୍ଧମାଳ, ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, ପୁରୀ, ଜଗତସିଂପୁର, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ପୋଲ ଉପରେ ପାଣି ଜମିଥିବାରୁ ଯାତାୟତରେ ବାଧା ଉପୁଜିଛି।

ଜୁନ୍ ୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ରାଜ୍ୟର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦୁଝର, ବଲାଙ୍ଗିର, କଳାହାଣ୍ଡି ଆଦି ଜିଲ୍ଲାରେ ସ୍ଵାଭାବିକ୍ ବର୍ଷାଠାରୁ କମ୍ ହୋଇଛି। ତେଣୁ ଏହସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଦେଖା ଦେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment