ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଘୋଷିତ ଯୁଦ୍ଧ ବିଶ୍ୱ ରାଜନୀତି, ଅର୍ଥନୀତିରେ ଝଡ଼ ସୃଷ୍ଟି କଲାଣି। ତେବେ ଏହି ଦୁଇ ଦେଶ କିପରି ଯୁଦ୍ଧ ପରିସ୍ଥିତିରେ ପହଞ୍ଚିଲେ, କଣ କହୁଛି ଏହି ଦୁଇ ଦେଶର ଇତିହାସ…ଜାଣନ୍ତୁ 

ୟୁକ୍ରେନ ଉପରେ ରୁଷର ଆକ୍ରମଣ

ଜାରି ରହିଥିବା ରୁଷ-ୟୁକ୍ରେନ ବିବାଦ ବିଶ୍ୱ ରାଜନୀତି, ଅର୍ଥନୀତି ଏବଂ ବିଶ୍ୱ ବଜାରରେ ଝଡ଼ ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ଅତି କମ୍‌ ରେ ପାଞ୍ଚଟି ବିସ୍ଫୋରଣ ଶୁଣିବାକୁ ମିଳିଛି। ଅନ୍ୟପଟେ ଲାଗିରହିଥିବା ସଙ୍କଟ ଦୂର କରିବା ପାଇଁ ବିଶ୍ୱ ରାଜନେତାଙ୍କ କୂଟନୈତିକ ପ୍ରୟାସର କୌଣସି ଚିହ୍ନ ନାହିଁ।

ଗତ କିଛି ମାସ ଧରି ୟୁକ୍ରେନର ସୀମାରେ ରୁଷ ୧ ଲକ୍ଷରୁ ଅଧିକ ସୈନ୍ୟ ସଂଗ୍ରହ କରିଥିଲା। ୟୁକ୍ରେନର ରାଜଧାନୀ ସମେତ ୧୩ଟି ସ୍ଥାନରେ ରୁଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କ୍ଵିଭ, ଖାରକିବ ସମେତ ୧୩ଟି ବଡ଼ ସହର ଉପରେ ଆକ୍ରମଣ କରିଛି ରୁଷ । ସୂଚନା ଅନୁସାରେ, ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନର ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି ରୁଷ। ସେପଟେ ବ୍ଲାକ୍ ସି’ରେ ରୁଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡ଼ିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଲୋକମାନେ ତୃତୀୟ ବିଶ୍ଵଯୁଦ୍ଧର ଆରମ୍ଭର ଭୟ କରୁଛନ୍ତି।

ଦେଶରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ୟୁକ୍ରେନକୁ ଯାଇଛି। ୨୪୨ ଜଣ ଭାରତୀୟ ନାଗରିକମାନଙ୍କୁ ସ୍ଵଦେଶକୁ ଫେରାଇ ଆଣିଛି ଭାରତ।

ରୁଷ ଏବଂ ୟୁକ୍ରେନ ବିବାଦର ମୂଳ କାରଣ କ’ଣ?

୧୯୯୧ ମସିହାରେ ସୋଭିଏତ୍ ୟୁନିଅନର ପତନ ସହିତ ୟୁକ୍ରେନ ଏକ ସ୍ଵାଧୀନ ରାଷ୍ଟ୍ର ଭାବରେ ଉଭା ହେଲା। ଏହା ପୂର୍ବରୁ ରୁଷ ସାମ୍ରାଜ୍ୟର ଏକ ଅଂଶ ଥିଲା। ପରେ ସୋଭିଏତ୍ ରିପବ୍ଲିକ୍ ହେବା ସହ ରୁଷ ସାମ୍ରାଜ୍ୟ ସହ ସମସ୍ତ ସମ୍ପର୍କ ଭିନ୍ନ କରି ପାଶ୍ଚାତ୍ୟ ଦେଶ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କଲା।

ସ୍ୱାଧିନତା ପରଠାରୁ ଦେଶ ଦୁର୍ନୀତି ଏବଂ ଆଭ୍ୟନ୍ତରୀଣ ବିଭାଜନର ମୁକାବିଲା କରୁଛି। ଦେଶର ପଶ୍ଚିମାଞ୍ଚଳ ପାଶ୍ଚାତ୍ୟ ଦେଶ ସହିତ ଏକୀକରଣ ଚାହୁଁଥିବାବେଳେ ପୂର୍ବାଞ୍ଚଳ ରୁଷ ସହିତ ମିଶିବାକୁ ଚାହୁଁଛି।

ଦୁଇ ଦେଶ ମଧ୍ୟରେ ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ୟୁକ୍ରେନର ନିର୍ବାଚିତ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ୍ ୟୁରୋପୀୟ ସଂଘ ସହିତ ଏକ ରାଜନୈତିକ ସଙ୍ଗଠନ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ ଯାହା ୟୁକ୍ରେନର ସଂସଦରେ ବହୁମତ ସାବ୍ୟସ୍ତ ହୋଇଥିଲା।

ୟୁକ୍ରେନର ବୈପ୍ଲବିକ ସରକାର ୟୁରୋପୀୟ ସଂଘ ଏବଂ ନାଟୋ ମଧ୍ୟରେ ଏକ ଭଲ ସଂପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଥିଲା। ଯାହା ସାହାଯ୍ୟରେ ଦେଶକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖାଯାଇପାରିବ। ଯେପରିକି ଦେଶକୁ ସଂଘ ମାଧ୍ୟମରେ ସାମରିକ ସାହାଯ୍ୟ ସହ ଋଷର ଧମକର ଉଚିତ ଜବାବ ଦେବା ପାଇଁ ଦୁଇ ସଂଘର ସାହାଯ୍ୟ।

୨୦୦୪ ମସିହାରେ ଚେକ ରିପବ୍ଲିକ୍, ଇଷ୍ଟୋନିଆ, ହଙ୍ଗେରୀ, ଲାଟଭିଆ, ଲିଥୁଆ, ପୋଲାଣ୍ଡ, ଏବଂ ସ୍ଲୋଭାକିଆ ୟୁରୋପୀୟ ସଂଘରେ ଯୋଗ ଦେଇଥିଲେ, ଏହା ପରେ୨୦୦୭ ମସିହାରେ ବୁଲଗେରିଆ ଏବଂ ରୋମାନିଆ ଯୋଗ ଦେଇଥିଲେ। ତେବେ ରୁଷର ଭୟ ଥିଲା ଯେ ଯଦି ୟୁକ୍ରେନ ୟୁରୋପୀୟ ସଂଘ ଏବଂ ନାଟୋର ସଦସ୍ୟ ହେବ ତେବେ ରୁଷର ବ୍ଲାକ୍ ସି’ କୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବାର ଭୟ ବଢ଼ିଯିବ। ଅନ୍ୟପଟେ ଦକ୍ଷିଣ କୋରିଆ ଏବଂ ଜାପାନ ଆମେରିକା ସହ ମିଳିତ ହୋଇଥିବାରୁ ରୁଷ ସରକାର ଚିନ୍ତିତ ଥିଲେ ଯେ ଦେଶ ସମ୍ଭାବ୍ୟ ଶତ୍ରୁ ଶକ୍ତି ଦ୍ୱାରା ଘେରି ହୋଇ ରହିଛି।

ରୁଷର ପୂର୍ବ ସୀମାଞ୍ଚଳରେ ଅବସ୍ଥିତ ୟୁକ୍ରେନର ଡୋନବାସ ଅଞ୍ଚଳରେ ହୋଇଥିବା ଯୁଦ୍ଧରେ ୧୪ ହଜାରରୁ ଅଧିକ ଲୋକ ଜୀବନ ହାରିଥିଲେ। ଏହି ଯୁଦ୍ଧରେ ରୁଷ ସୈନ୍ୟମୁତୟନ କରିବା ଏବଂ ବିଦ୍ରୋହୀଙ୍କୁ ଅସ୍ତ୍ର ପଠାଇଥିବା ଅଭିଯୋଗ କରିଥିଲା ୟୁକ୍ରେନ, ଯାହାକୁ ରୁଷ ପ୍ରତ୍ୟାଖାନ କରିଥିଲା। ତେବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ମିଳିତ ସାମରିକ ଅଭ୍ୟାସରେ ସାହାଯ୍ୟ କରିଥିବାରୁ ଆମେରିକା ଏବଂ ନାଟୋକୁ ମଧ୍ୟ କଡ଼ା ସମାଲୋଚନା କରିଥିଲା ରୁଷ। ରାଷ୍ଟ୍ରପତି ପୁଟିନ ମଧ୍ୟ ୟୁକ୍ରେନରେ ସାମରିକ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ କିଛି ନାଟୋ ସଦସ୍ୟଙ୍କ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କାରଣ ଏହାଦ୍ଵାରା ୟୁକ୍ରେନ ନାଟୋର ସଦସ୍ୟ ନେହେଲେ ମଧ୍ୟ ଏହି ଅଞ୍ଚଳରେ ସାମରିକ ପଥ ସୁଗମ ହୋଇଯିବ ।

ରୁଷ ଚାହୁଁନି ୟୁକ୍ରେନ୍ ନାଟୋର ସଦସ୍ୟ ହେଉ

ରୁଷ ନିଜ ସୁରକ୍ଷା ଦାବିପତ୍ରରେ କହିଛି ଯେ, ରୁଷ ଚାହେଁନି ୟୁକ୍ରେନ ନାଟୋର ସଦସ୍ୟ ହେଉ। ଏହାସହ ସୀମା ନିକଟରେ ଥିବା ସମସ୍ତ ନାଟୋ ଡ୍ରିଲ୍ ବନ୍ଦ କରିବା ସହ ମଧ୍ୟ ଏବଂ ପୂର୍ବ ୟୁରୋପରେ ନାଟୋ ସୈନ୍ୟ ପ୍ରତ୍ୟାହାର କରିବାକୁ ଚାହୁଁଛି ରୁଷ। ସୂଚନାଯୋଗ୍ୟ ଯେ ନାଟୋର ସଦସ୍ୟ ହେବା ପାଇଁ ୟୁକ୍ରେନକୁ ୩୦ଟି ସଦସ୍ୟ ରାଷ୍ଟ୍ରର ସର୍ବସମ୍ମତି ଆବଶ୍ୟକ ହେବ। ଆହୁରି ମଧ୍ୟ, ରୁଷ ୟୁକ୍ରେନକୁ ଏକ ସ୍ଵଧୀନ ରାଷ୍ଟ୍ର ପରିବର୍ତ୍ତେ ଏହାର ଏକ ଅଂଶ ଭାବରେ ଦେଖେ।

ତେବେ ଆମେରିକା ଏବଂ ନାଟୋ ରୁଷର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସମର୍ଥନ କରୁଛି ଏବଂ ଯଦି ରୁଷର ସୈନ୍ୟବାହିନୀ ୟୁକ୍ରେନକୁ ଆକ୍ରମଣ କରନ୍ତି ତେବେ ରୁଷକୁ ଆର୍ଥିକ କ୍ଷେତ୍ରରେ ଆକ୍ରମଣ କରାଯିବ ବୋଲି ଆମେରିକା ଓ ନାଟୋ ପ୍ରତିଶୃତି ଦେଇଛନ୍ତି।

Comment