ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନ ଯଦି ନାଟୋର ସଦସ୍ୟ ହୋଇଯାଏ ତେବେ ରୁଷ ସମ୍ପୂର୍ଣ୍ଣ ରୂପେ ଶତ୍ରୁ ଦେଶ ଦ୍ଵାରା ଘେରି ହୋଇଯିବ ଏବଂ ତାହା ରୁଷ କେବେ ହେବାକୁ ଦେବନାହିଁ। ପୁଟିନଙ୍କ କହିବା ଅନୁଯାୟୀ ଯଦି ୟୁକ୍ରେନ ନାଟୋର ସଦସ୍ୟ ହୁଏ ତେବେ ଭବିଷ୍ୟତରେ ଆଖି ପିଛୁଳାକେ ନାଟୋର ମିସାଇଲ ୟୁକ୍ରେନ ଭୂଇଁରେ ନିୟୋଜିତ ହୋଇଯିବ ଏବଂ ତାହା ରୁଷ ପାଇଁ ବଡ଼ ଆହ୍ଵାନ ହେବ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହେଲାଣି ଯୁଦ୍ଧ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟନୁଷ୍ଠାନର ଆଦେଶ ଦେଇଛନ୍ତି। ୟୁକ୍ରେନ ସରକାର ନିଜ ଦେଶ ଅଧିନରେ ଥିବା ଡୋନେଟସ୍କ ଏବଂ ଲୁହାନ୍ସକକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ରୁଷ ସରକାର ସେଠାରେ ସୈନ୍ୟବାହିନୀ ନିୟୋଜିତ କରିଛନ୍ତି।

ଯୁଦ୍ଧ ପରିସ୍ଥିତିର ମୂଳ କାରଣ ନୋଟୋ

ପୂର୍ବରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ବିଭିନ୍ନ କାରଣରୁ ବିବାଦ ଲାଗିରହିଥିଲା କିନ୍ତୁ ବର୍ତ୍ତମାନ ଉପୁଜିଥିବା ଯୁଦ୍ଧ ପରିସ୍ଥିତିର ମୂଳ କାରଣ ନୋଟୋ ବୋଲି କୁହାଯାଉଛି। ୧୯୪୯ରେ ପ୍ରତିଷ୍ଠା ହୋଇଥିବା ନାଟୋ ଅର୍ଥାତ ଉତ୍ତର ଆଟଲାଣ୍ଟିକ୍ ବାଣିଜ୍ୟ ସଂଘରେ ୟୁକ୍ରେନ ସାମିଲ ହେବାକୁ ଚାହୁଥିଲା କିନ୍ତୁ ରୁଷ ନୁହେଁ।

ରୁଷକୁ ଲାଗିଲା, ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ନାଟୋର ସଦସ୍ୟ ଦେଶର ସୈନିକ ଏବଂ ଯୁଦ୍ଧ ବାହନ ଗୁଡ଼ିକ ସୀମା ପାଖରେ ଆସି ମୁତୟନ ହେବେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ନାଟୋ ନାଁ ଶୁଣିଲେ ରୁଷ ଚିଡୁଛି କାହିଁକି ? ଏହା ବୁଝିବାକୁ ହେଲେ ପ୍ରଥମେ ନାଟୋ କ’ଣ ତାହା ବୁଝିବାକୁ ପଡ଼ିବ।

ନାଟୋ କଣ ?

୧୯୩୯ରୁ ୧୯୪୫ ମଧ୍ୟରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହୋଇଥିଲା। ଯୁଦ୍ଧ ସରିବା ପରେ ସୋଭିଏତ ସଂଘ ପୂର୍ବ ୟୁରୋପୀୟ ଦେଶ ଗୁଡ଼ିକରୁ ନିଜ ସେନା ପ୍ରତ୍ୟାଖାନ କରିବା ପାଇଁ ମନା କରିଦେଲା। ୧୯୪୮ ମସିହାରେ ସଂଘ ବର୍ଲିନକୁ ବି ଘେରି ନେଇଥିଲା। ଏହା ପରେ, ସୋଭିଏତ୍ ସଂଘର ବିସ୍ତାରବାଦୀ ନୀତିକୁ ବନ୍ଦ କରିବା ପାଇଁ ଆମେରିକା ୧୯୪୯ ମସିହାରେ ନାଟୋ ପ୍ରତିଷ୍ଠା କଲା। ପ୍ରଥମେ ୧୨ଟି ଦେଶକୁ ନେଇ ଗଠିତ ନାଟୋରେ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, କାନାଡା, ଇଟଲୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଲକ୍ଜମବର୍ଗ, ନରଓ୍ଵେ, ପର୍ତ୍ତୁଗାଲ ଏବଂ ଡେନମାର୍କ ସାମିଲ ଥିଲେ। ବର୍ତ୍ତମାନ ନାଟୋରେ ୩୦ଟି ଦେଶ ସଦସ୍ୟ ଅଛନ୍ତି।

ନାଟୋ ହେଉଛି ଏକ ସାମରିକ ସହଯୋଗୀ ଦଳ, ଯାହାର ଉଦ୍ଦେଶ୍ୟ ହେଉଛି ଏକ ସାଧାରଣ ସୁରକ୍ଷା ନୀତିରେ କାର୍ଯ୍ୟ କରିବା। ଯଦି କୌଣସି ବାହ୍ୟ ଦେଶ ନାଟୋ ଦେଶ ଉପରେ ଆକ୍ରମଣ କରେ, ତେବେ ଏହାକୁ ଅବଶିଷ୍ଟ ସଦସ୍ୟ ଦେଶ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ ଏବଂ ଏହାର ସୁରକ୍ଷା ପାଇଁ ସମସ୍ତ ଦେଶ ସାହାଯ୍ୟ ପାଇଁ ଆଗେଇ ଆସିବେ।

ନାଟୋକୁ କାହିଁକି ଚିଡୁଛି ରୁଷ ?

ଦ୍ଵିତୀୟ ବିଶ୍ଵଯୁଦ୍ଧ ସରିବା ପରେ ବିଶ୍ଵ ଦୁଇ ଭାଗରେ ବିଭକ୍ତ ହୋଇଗଲା। ଦୁଇଟି ବିଶ୍ଵ ଶକ୍ତି ଉଭା ହେଲା, ଗୋଟିଏ ହେଲା ଆମେରିକା ଏବଂ ଅନ୍ୟଟି ସୋଭିଏତ ସଂଘ। ୧୯୯୧ ଡିସେମ୍ବର ୨୫ରେ ସୋଭିଏତ ସଂଘର ନିପାତ ପରେ ସେଥିରୁ ୧୫ଟି ନୂଆ ଦେଶ ଗଠନ ହେଲା। ସେହି ଦେଶ ଗୁଡ଼ିକ ହେଲା, ଆର୍ମିନିଆ, ଅଜରବୈଜାନ, ବେଲାରୁଷ, ଇଷ୍ଟୋନିୟା, ଜର୍ଜିଆ, କଜାକିସ୍ତାନ, ଲାତଭିୟା, ଲିଥୁଆନିୟା, ମାଲଦୋବା, ରୁଷ, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁକ୍ରେନ ଏବଂ ଉଜବେକିସ୍ତାନ।

ସୋଭିଏତ ସଂଘର ନିପାତ ପରେ ଆମେରିକା ହିଁ ବିଶ୍ଵର ଏକମାତ୍ର  ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଲା। ଆମେରିକାର ନେତୃତ୍ୱାଧୀନ ନାଟୋ ଏହାର ପରିସର ବିସ୍ତାର କରିବାରେ ଲାଗିଲା। ସୋଭିଏତ୍ ସଂଘ ଠାରୁ ବିଚ୍ଛିନ୍ନ ହୋଇଥିବା ଦେଶଗୁଡିକ ନାଟୋର ସଦସ୍ୟ ହେବାକୁ ଲାଗିଲେ। ୨୦୦୪ରେ ଇଷ୍ଟୋନିଆ, ଲାତଭିଆ ଏବଂ ଲିଥୁଆନିୟା ନାଟୋରେ ଯୋଗ ଦେଇଥିଲେ। ୨୦୦୮ରେ ଜର୍ଜିଆ ଏବଂ ୟୁକ୍ରେନକୁ ମଧ୍ୟ ନାଟୋରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଉଭୟ ଦେଶ ସଦସ୍ୟ ହୋଇପାରିନଥିଲେ।

ରୁଷ ରାଷ୍ଟ୍ରପତି ପୁଟିନ ନାଟୋର ବିସ୍ତାରକୁ ନେଇ ପୂର୍ବରୁ ଆପତ୍ତି ପ୍ରକାଶ କରିସାରିଛନ୍ତି। ବିଗତ ବର୍ଷ ଡିସେମ୍ବର ମାସରେ ସେ କହିଥିଲେ, “ ଆମେ ସ୍ପଷ୍ଟ ଭାବରେ କହିଛୁ ଯେ, ପୂର୍ବରେ ନାଟୋର ବିସ୍ତାର ଆମକୁ ସ୍ଵୀକାର ନୁହେଁ । ଆମେରିକା ରୁଷର ଦ୍ଵାରଭାଗରେ ମିସାଇଲ ନେଇ ଠିଆ ହୋଇଛି। ଯଦି କାନାଡା ବା ମେକ୍ସିକୋ ସୀମାରେ ମିସାଇଲ ମୁତୟନ କରାଯାଏ ତେବେ ଆମେରିକାକୁ କେମିତି ଲାଗିବ ?”

ଦିନ ଥିଲା ନାଟୋର ସଦସ୍ୟ ହେବାକୁ ଚାହୁଁଥିଲେ ପୁଟିନ

ସୂଚନା ଅନୁଯାୟୀ, ଦିନ ଥିଲା ପୁଟିନ ନାଟୋର ସଦସ୍ୟ ହେବା ପାଇଁ ଇଚ୍ଛୁକ ଥିଲେ। କିନ୍ତୁ ଏବେ ସେ ନାଟୋର ନାଁ ଶୁଣିଲେ ବିରକ୍ତ ହେଉଛନ୍ତି। ରୁଷର ସୀମା ସହ ଲାଗିରହିଥିବା ଇଷ୍ଟୋନିୟା, ଲାତଭିୟା, ଲିଥୁଆନିୟା, ଏବଂ ତୁର୍କୀ ନାଟୋର ସଦସ୍ୟ ଅଛନ୍ତି। ଯଦି ୟୁକ୍ରେନ ନାଟୋର ସଦସ୍ୟ ହୋଇଯାଏ ତେବେ ରୁଷ ସମ୍ପୂର୍ଣ୍ଣ ରୂପେ ଘେରି ହୋଇଯିବ ଏବଂ ତାହା ରୁଷ କେବେ ହେବାକୁ ଦେବନାହିଁ। ପୁଟିନଙ୍କ କହିବା ଅନୁଯାୟୀ ଯଦି ୟୁକ୍ରେନ ନାଟୋର ସଦସ୍ୟ ହୁଏ ତେବେ ଭବିଷ୍ୟତରେ ଆଖି ପିଛୁଳାକେ ନାଟୋର ମିସାଇଲ ୟୁକ୍ରେନ ଭୂଇଁରେ ନିୟୋଜିତ ହୋଇଯିବ। ଯାହା ରୁଷ ପାଇଁ ବଡ଼ ଆହ୍ଵାନ ହେବ।

ରୁଷ-ନାଟୋ: କାହାର କେତେ ଶକ୍ତି ?

ସୈନ୍ୟ ଶକ୍ତି ହେଉ ବା ପ୍ରତିରକ୍ଷା ଉପରେ ଖର୍ଚ୍ଚ, ଉଭୟ କ୍ଷେତ୍ରରେ ରୁଷ ଏବଂ ନାଟୋ ମଧ୍ୟରେ କୌଣସି ତୁଳନା ନାହିଁ। ନାଟୋ ମୁତାବକ, ୨୦୨୧ ମସିହାରେ ସମସ୍ତ ୩୦ଟି ଦେଶର ଆନୁମାନିକ ମିଳିତ ଖର୍ଚ୍ଚ ହେଉଛି ୧,୧୭୪ ବିଲିୟନ ଡଲାରରୁ ବି ଅଧିକ। ସେହିପରି ୨୦୨୦ରେ ନାଟୋର ସଦସ୍ୟ ଗୁଡ଼ିକ ୧,୧୦୬ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଅନ୍ୟପଟେ ରୁଷ ୨୦୨୦ ମସିହାରେ ନିଜ ପ୍ରତିରକ୍ଷା ପାଇଁ ୬୧.୭ ବିଲିୟନ ଡଲାର ଖର୍ଚ୍ଚ କରିଛି। ନାଟୋର ୪୦ ହଜାରରୁ ବି ଅଧିକ ସୈନ୍ୟ ଯେକୌଣସି ମୁହୁର୍ତ୍ତରେ ଏକତ୍ରିତ ହେବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି, ଯଦି ଯୁଦ୍ଧରେ ନାଟୋ ସିଧାସଳଖ ଭାବେ ସାମିଲ ହୁଏ ତେବେ ତା’ ପାଖରେ ୩୩ ଲକ୍ଷରୁ ବି ଅଧିକ ସୈନ୍ୟ ଅଛନ୍ତି। ଅନ୍ୟପଟେ, ରୁଷ ପାଖରେ ପ୍ରାୟ ୧୨ ଲକ୍ଷ ସେନା ରହିଛି, ଯାହା ମଧ୍ୟରୁ ୮ ଲକ୍ଷ ଯବାନ ସକ୍ରିୟ ଅଛନ୍ତି।

Comment