ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀରୁ ବିଶ୍ଵ ଠିକ୍ ଭାବେ ମୁକୁଳି ପାରିନଥିବାବେଳେ ଏବେ ଆଉ ଏକ ନୂଆ ଭାଇରସକୁ ନେଇ ଚିନ୍ତା ବଢ଼ିଛି।

କୋଭିଡ ମହାମାରୀର ପ୍ରଭାବରୁ ଏଯାଏଁ ମୁକୁଳି ପାରିନି ବିଶ୍ଵ। କୋଭିଡରେ ଅନେକ ପ୍ରାଣ ହରାଇ ଥିଲେ। ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଥିଲା। ଗୋଟିଏ ମହାମାରୀରୁ ଠିକ୍ ଭାବେ ମୁକୁଳି ନଥିବାବେଳେ ନୂଆ ଭାଇରସ ମଙ୍କିପକ୍ସକୁ ନେଇ ଏବେ ଆତଙ୍କ ଦେଖାଦେଇଛି।

ମଙ୍କିପକ୍ସ, ଏହି ରୋଗ ଦୀର୍ଘ ବର୍ଷ ଧରି ଆଫ୍ରିକାରେ ଦେଖିବାକୁ ମିଳୁଛି। ଆଫ୍ରିକାରେ ପୂର୍ବରୁ ମଙ୍କିପକ୍ସ ଲୋକଙ୍କଠାରେ ଦେଖିବାକୁ ମିଳୁଥିବାବେଳେ ଏବେ ଏହି ରୋଗ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଖାସ କରି ଆମେରିକା, କାନାଡ଼ା ଏବଂ ଅନେକ ୟୁରୋପିଅ ଦେଶଗୁଡ଼ିକରେ ମଙ୍କିପକ୍ସରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୧ଟି ଦେଶରୁ ୮୦ଟି ମାମଲା ଆସିଛି।

ମଙ୍କିପକ୍ସରେ ଆକ୍ରାନ୍ତଙ୍କ କ୍ଷେତ୍ରରେ କୌଣସି ଗୁରୁତର ମାମଲା ସାମ୍ନାକୁ ଆସିନଥିଲେ ମଧ୍ୟ ଲୋକଙ୍କ ପାଇଁ ଏହି ରୋଗ ନୂଆ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କାରଣ ଜଣାପଡ଼ିନଥିଲେ ମଧ୍ୟ ଏହାକୁ ନେଇ ନଡ଼ରିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ବ୍ରିଟେନର ସାର୍ବଜନିକ ସ୍ଵାସ୍ଥ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସଂକ୍ରମଣ ସେବାର ଉପନିର୍ଦ୍ଦେଶକ ନିକ ଫିନ କହିଛନ୍ତି, “ମଙ୍କିପକ୍ସକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ସହଜରେ ଏହି ରୋଗ ବ୍ୟାପେ ନାହିଁ”।

ଜଣାଶୁଣା ଭାଇରସ ମଙ୍କିପକ୍ସ

ଯେତେବେଳେ ବିଶ୍ଵରେ କୋଭିଡ ମହାମାରୀ ଆରମ୍ଭ ହୋଇଥିଲା, ସେତେବବେଳ ଗୋଟିଏ ପ୍ରଶ୍ନ ଉଠିଥିଲା ଏହି ଭାଇରସ କେଉଁଠୁ ଏବଂ କେମିତି ଆସିଲା? ବର୍ତ୍ତମାନ ନୂଆ ଭାଇରସ ମଙ୍କିପକ୍ସ ସମ୍ପର୍କରେ ଜାଣିବାକୁ ମିଳୁଥିବାବେଳେ ଏହା ଦ୍ଵାରା ଆଫ୍ରିକାର ଲୋକେ ଦୀର୍ଘ ବର୍ଷ ହେଲା ପୀଡ଼ିତ ଅଛନ୍ତି। ୧୯୫୮ ମସିହାରେ ପ୍ରଥମ ଥର ପାଇଁ ମାଙ୍କଡ଼ଠାରେ ଦେଖିବାକୁ ମଙ୍କିପକ୍ସ ମିଳିଥିଲା। ଏହି କାରଣରୁ ଏହି ରୋଗର ନାଁ ମଙ୍କିପକ୍ସ ରଖାଯାଇଥିଲା।

ୟୁନିଭର୍ସିଟି ଅଫ୍ ରିଡିଂରେ ସେଲୁଲାର ମାଇକ୍ରୋବାଓଲୋଜିର ଆସୋସିଏଟ ପ୍ରଫେସର ସାଇମନ କ୍ଲର୍କ କହିଛନ୍ତି, “ମଙ୍କିପକ୍ସକୁ ପ୍ରଥମଥର ୧୯୫୦ ମସିହାରେ ମାଙ୍କଡ଼ଙ୍କଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ୧୯୭୦ ମସିହା ସୁଦ୍ଧା ମାଣିଷଙ୍କୁ ସଂକ୍ରମିତ କରିଥିଲା। କେବଳ ମାଙ୍କଡ଼ ନୁହେଁ ଅନ୍ୟ ଜଙ୍ଗଲି ଜନ୍ତୁଙ୍କଠାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଥିଲା”।

ଗବେଷକମାନେ ଏହି ଭାଇରସକୁ ଦୁଇଟି ଭ୍ୟାରିଏଣ୍ଟରେ ଚିହ୍ନଟ କରିଥିଲେ। ଗୋଟିଏ ମଧ୍ୟ ଆଫ୍ରିକା ଭ୍ୟାରିଏଣ୍ଟ ଏବଂ ଅନ୍ୟଟି ପଶ୍ଚିମ ଆଫ୍ରିକା ଭ୍ୟାରିଏଣ୍ଟ।

ଟିକା ଏବଂ ଉପଚାର ଉପଲବ୍ଧ

ଦୀର୍ଘ ବର୍ଷ ଧରି ଏକ ସମ୍ପ୍ରଦାୟକୁ ପ୍ରଭାବିତ କରିଆସୁଥିବା ଏହି ଭାଇରସ ଜଣାଶୁଣା ବୋଲି କୁହାଯାଉଛି। ଏହାର ଟିକା ଏବଂ ଉପଚାର ଉପଲବ୍ଧ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି।

କାରଣ ମଙ୍କିପକ୍ସ ଭାଇରସ ଚିକେନ ପକ୍ସ ଭଳି। ଏହି ଦୁଇଟିର କାରଣ ଏବଂ ଲକ୍ଷଣ ଗୋଟିଏ ବୋଲି ବିଶେଷଜ୍ଞଙ୍କ ମତ। ୟୁନାଇଟେଡ ଷ୍ଟେଟସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ପକ୍ଷରୁ କୁହାଯାଇଛି ମଙ୍କିପକ୍ସର ସଂକ୍ରମଣ ରୋକିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଵତନ୍ତ୍ର ଭ୍ୟାକ୍ସିନ କିମ୍ବା ଔଷଧ ବାହାରି ନାହିଁ। କିନ୍ତୁ କିଛି ମେଡିସିନ ଦ୍ଵାରା ଏହି ସଂକ୍ରମଣକୁ ରୋକା ଯାଇପାରିବ ବୋଲି କୁହାଯାଉଛି।

ମଙ୍କିପକ୍ସ ସଂକ୍ରମଣକୁ ରୋକିବା ପାଇଁ ବଜାରରେ ପୂର୍ବରୁ ଔଷଧ ଉପଲବ୍ଧ ରହିଛି। ଏହି ଔଷଧ ମଙ୍କିପକ୍ସରେ ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ଔଷଧ ରୋଗ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଛି। ଏହି ଔଷଧଗୁଡ଼ିକ ହେଲା ସିଡୋଫୋଭିର, ଏସଟି-୨୪୬ ଏବଂ ଭ୍ୟାକ୍ସିନିଆ ଇମ୍ୟୁନୋଗ୍ଲୋବୁଲିନ।

ମଙ୍କିପକ୍ସର ନିୟନ୍ତ୍ରଣ ଏବଂ ଉପଚାର ପାଇଁ ବହୁ ରାଷ୍ଟ୍ରୀୟ ସ୍ତରରେ ମଞ୍ଜୁରି ପାଇଥିବା ଭ୍ୟାକ୍ସିନ ‘ଜେଓ୍ଵାଇଏନଏନଇଓଏସଟିଏମ’ ମଧ୍ୟ ଉପଲବ୍ଧ ରହିଛି। ଏହି ଭ୍ୟାକ୍ସିନକୁ ଡେନିସ ଔଷଧ କମ୍ପାନି ବଭେରିୟନ ନାର୍ଡିକ ନିର୍ମାଣ କରିଛି। ଆଫ୍ରିକାରେ ଏହାର ବ୍ୟବହାର କରାଯାଇଥିଲା। ମଙ୍କିପକ୍ସ ରୋକିବାରେ ଏହା ୮୫ ପ୍ରତିଶତ ପ୍ରଭାବଶାଳି ବୋଲି ଜଣାପଡ଼ିଛି।

ଏହା ବ୍ୟତୀତ ଚିକେନପକ୍ସ ଟିକା ମଧ୍ୟ ବ୍ୟବହାର କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ ରହିଛି। ଚିକେନପକ୍ସ ଟିକା “ଏସିଏଏମ୨୦୦୦’କୁ ମଙ୍କିପକ୍ସ ଆକ୍ରାନ୍ତକୁ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୦୦୩ ମସିହାରେ ଆମେରିକାରେ ମଙ୍କିପକ୍ସ ଭାଇରସ ବଢ଼ିବା ସମୟରେ ଏହି ଟିକାର ବ୍ୟବହାର କରାଯାଇଥିଲା।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛି ଚିକେନ ପକ୍ସ ଟିକା ନେଇଥିବା ଲୋକ ମଙ୍କିପକ୍ସ ଭାଇସରରୁ ବହୁ ମାତ୍ରାରେ ସୁରକ୍ଷିତ ରୁହନ୍ତି। କିନ୍ତୁ ଅଧିକାଂଶ ଦେଶରେ ବହୁ ବର୍ଷ ପୂର୍ବରୁ ହିଁ ଏହି ଟିକା ବ୍ୟବହାର ବନ୍ଦ କରାଯାଇସାରିଛି। କାରଣ ଏହି ଦେଶଗୁଡ଼ିକରୁ ଚିକେନପକ୍ସ ମୂଳରୁ ନିପାତ ହୋଇସାରିଥିଲା।

ଅଧିକାଂଶ ଦେଶରେ ଟିକା ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବର୍ଷର ବୟସ୍କଙ୍କ ପାଇଁ ରହିଛି। ବ୍ରିଟେନର ସ୍ଵାସ୍ଥ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ମଙ୍କିପକ୍ସ ଟିକାର ବ୍ୟବହାର ସଂକ୍ରମଣ ପୂର୍ବରୁ ଏବଂ ପରେ ଉଭୟ ସ୍ଥିତିରେ କରାଯାଇପାରିବ।

ମଙ୍କିପକ୍ସର ଲକ୍ଷଣ

ମଙ୍କିପକ୍ସର ଲକ୍ଷଣ ୫ରୁ ୨୧ ଦିନ ମଧ୍ୟରେ ଦେଖିବାକୁ ମିଳିଥାଏ। ମଙ୍କିପକ୍ସରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କୁ ୫ ଦିନ ମଧ୍ୟରେ ଭିତରେ ଭିତରେ ଜ୍ଵର ହୁଏ, ଜୋର ମୁଣ୍ଡବିନ୍ଧା ହୋଇଥାଏ, ପିଠିରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଥକା ଅନୁଭବ ହୋଇଥାଏ। ଏହା ଚିକେନପକ୍ସ ଭଳି ଦେଖିବାକୁ ହୋଇଥାଏ। ଜ୍ଵରର ୧ରୁ ୩ ଦିନ ମଧ୍ୟରେ ଚର୍ମ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ଚର୍ମ ଉପରେ ଫୋଟକା ସଦୃଶ ହୋଇଯାଏ। ହାତ ପାଦ, ପାପୁଲି, ତଳପାଦ ଏବଂ ମୁହଁରେ ଛୋଟ ଛୋଟ ଫୋଟକା ହେବାକୁ ଲାଗେ। ପରେ ଏହା ଘା’ ଭଳି ହୋଇଯାଏ। ଧୀରେ ଧୀରେ ଏହି ସଂକ୍ରମଣ ବଢ଼ିବାକୁ ଲାଗେ।

 ଆଗରୁ ଅଛି ମଙ୍କିପକ୍ସ

୧୯୭୦ ମସିହାରେ କଙ୍ଗୋ ଗଣରାଜ୍ୟରେ ପ୍ରଥମ ଥର ମଣିଷଙ୍କଠାରେ ମଙ୍କିପକ୍ସ ଦେଖିବାକୁ ମିଳିଥିଲା। ଏହା ପରେ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଅନେକ ଦେଶରେ ସଂକ୍ରମଣ ଆରମ୍ଭ ହୋଇ ବଢ଼ିବାରେ ଲାଗିଲା।

ଆଫ୍ରିକାରେ ଏହା ସାଧାରଣ କଥା ହୋଇଥିବାବେଳେ ଏବେ ଆମେରିକା, ବ୍ରିଟେନ, ଇସ୍ରାଏଲ ଏବଂ ସିଙ୍ଗାପୁରରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ବ୍ରିଟେନରେ ବର୍ତ୍ତମାନ ଏହି ରୋଗ ଦେଖିବାକୁ ମିଳିଛି। ୨୦୧୮, ୨୦୧୯ ଏବଂ ୨୦୨୧ ମସିହାରେ ବ୍ରିଟେନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟ ଦେଶଗୁଡ଼ିକରେ ଦେଖା ଦେଇଥିବା ମଙ୍କିପକ୍ସ ମାମଲା ଆଫ୍ରିକା ତୁଳନାରେ କମ୍ ରହିଛି। ଭାରତରେ ମଙ୍କିପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Tags: #Diesease #Health #Virus #Monkeypox #Vaccine #Medicine

Comment