ନୀଳାମ୍ବର ରଥ

ସେମାନଙ୍କ କାହାଣୀ ଏହି ନ୍ୟୁ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଲେ ଏହା ନିଶ୍ଚୟ ଜୀବନ ସମ୍ପର୍କରେ ଏକ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ।

ଓଡ଼ିଶାରୁ ଯାଇ ସ୍ପେନ୍‌ର ମାଦ୍ରିଦ୍‌ ସହରରେ ନୂଆ ଜୀବନ ପାଇଥିବା ଦେବାର୍ପିତାଙ୍କ କାହାଣୀ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ। ୨୧ ବର୍ଷ ତଳେ ଯେଉଁ ନିଷ୍ପାପ ଶିଶୁଟି ଅନାଥ ଭାବେ କଟକର ବସୁନ୍ଧରାରେ ଆଶ୍ରୟ ନେଇଥିଲା, ଆଜି ସେ ପାଇଛି ନୂଆ ପରିଚୟ – ଦେବାର୍ପିତା ଲିଜୋ। ସ୍ପେନ୍‌ର ମାଦ୍ରିଦ୍ ୟୁନିଭର୍ସିଟିର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ ସେ।

ସେହି ପିଲାଟିକୁ ୧୯୯୬ ମସିହାରେ କେହି ଜଣେ କଟକର ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା’ର ଗେଟ୍‌ ପାଖରେ ଗଡ଼େଇଦେଇ ଯାଇଥିଲେ। ଅନାଥ ପିଲାଟିକୁ ମାଟିରୁ ଉଠେଇ ନେଇ ଆଶ୍ରୟ ଦେଇଥିଲା ସେହି ଅନୁଷ୍ଠାନ। ପରେ ୨୦୦୨ ମସିହାରେ ତାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରି କୋଳେଇ ନେଇଥିଲେ ସ୍ପେନ୍‌ର ଦମ୍ପତି ମୋରିସ ଲିଜୋ ଓ ଆଲମାନୀ ଲିଜୋ।

ଦିନେ ସେ ଥିଲା ଅନାଥ। ଆଜି ସେ ଗର୍ବର ସହ ତା’ର ପୋଷ୍ୟ ପିତାମାତାଙ୍କ ନାଁ ସହ ନିଜର ପରିଚୟ ଯୋଡ଼ିପାରିଛି। ଗଣମାଧ୍ୟମର ଶୀର୍ଷକରେ ତା’ର କାହାଣୀ ହେଉଛି – ‘କାଲିର ଅନାଥ, ଆଜିର କୋଟିପତି’।

ଦେବାର୍ପିତାଙ୍କ ଭଳି ଅନେକ ଅନାଥ ଆଜି ଅନ୍ୟ ପିଲାଙ୍କ ସହ ସମକକ୍ଷ ହୋ‍ଇପାରିଛନ୍ତି ଏବଂ ସବୁପ୍ରକାର ସୁଯୋଗ ଓ ସମ୍ଭାବନା ପାଇ ବଢୁଛନ୍ତି। ବସୁନ୍ଧରାରୁ ପୋଷ୍ୟସନ୍ତାନ ଭାବେ ଯାଇ ପୃଥିବୀର ବିଭିନ୍ନ କୋଣରେ ପୋଷ୍ୟ ବାପା-ମା’ଙ୍କ ଭଲପାଇବା ପାଇ ବଢୁଥିବା ଏହି ପିଲାମାନେ ଆଜି ନିଜକୁ ବସୁନ୍ଧରା ଭଳି ଅନୁଷ୍ଠାନ ସହ ଯୋଡ଼ିବାକୁ କୁଣ୍ଠାପ୍ରକାଶ କରୁନାହାନ୍ତି।

ଆଡପ୍‌ଟେଡ୍‌ ଫ୍ରମ୍‌ ବସୁନ୍ଧରା ଇନ୍‌ କଟକ, ଓଡ଼ିଶା’ ନାମକ ଫେସ୍‌ବୁକ୍‌ ପେଜ୍‌ ମାଧ୍ୟମରେ ସେମାନେ ଉପସ୍ଥାପନ କରୁଛନ୍ତି ନିଜ ନିଜର ଜୀବନ କାହାଣୀ। ଅନେକ ସେମାନଙ୍କ ବର୍ତ୍ତମାନର ଫଟୋ ଅପ୍‌ଲୋଡ୍‍ କରିବା ସହ ବସୁନ୍ଧରାରୁ ଗଲାବେଳେ ନିଆଯାଇଥିବା ଫଟୋ ସେୟାର କରୁଥିବାର ଦେଖାଯାଉଛି। କେବଳ ସେହି ପିଲାମାନେ ନୁହନ୍ତି, ସେମାନଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିବା ଅଭିଭାବକମାନେ ମଧ୍ୟ ଏହି ଗ୍ରୁପ୍‌ରେ ସକ୍ରିୟ ଅଛନ୍ତି।

ଏଇ ଅଗଷ୍ଟ ୧୫ ଦିନ ମାର୍କ୍‌ ଗାର୍ଡଆଲ୍‌ବେନ୍‍ ନାମକ ଜଣେ ବ୍ୟକ୍ତି ଗୋଟିଏ କୁନି ପିଲାକୁ କାଖେଇଥିବାର ତାଙ୍କର ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି: “କେହି ଏ ପିଲାଟିକୁ ମନେ ରଖିଛନ୍ତି? ୨୦୦୬ର ଘଟଣା। ସତରେ ସେ କେଡ଼େ ସୁନ୍ଦର ଦିଶୁଥିଲା ଓ ଯେମିତି ମତେ କହୁଥିଲା ତାକୁ ସବୁଦିନ ପାଇଁ କୋଳେଇ ନେବାକୁ।”

“ହେଲୋ। ଆମେ ସିଦ୍ଧାର୍ଥିନୀକୁ କଟକର ବସୁନ୍ଧରାରୁ ଆଣିଥିଲୁ। ସେତେବେଳେ ତା’ ବୟସ ମାତ୍ର ୨୨ ମାସ। ଏହି ସୋସିଆଲ ମିଡିଆ ଗ୍ରୁପ୍‌ରୁ  ବସୁନ୍ଧରାରୁ ଆସିଥିବା ପିଲା ଓ ତାଙ୍କ ନୂଆ ପରିବାରର କାହାଣୀ ଜାଣି ଖୁସି ଲାଗୁଛି”, ଏକଥା ଲେଖିଛନ୍ତି ଟ୍ରେସି ହଜ୍‍। ସେ ତାଙ୍କ ପୋଷ୍ୟସନ୍ତାନ ସିଦ୍ଧାର୍ଥିନୀର ଫଟୋ ମଧ୍ୟ ସେହି ଗ୍ରୁପ୍‌ରେ ସେୟାର କରିଛନ୍ତି।

ଏହି ଗ୍ରୁପ୍‌ରେ ଟ୍ରେସି ହଜ୍‍ଙ୍କ ଝିଅ ସିଦ୍ଧାର୍ଥିନୀ ୱିଲ୍‌ଟନ୍‌ ନିଜେ ମଧ୍ୟ ତାଙ୍କର ୨୦୧୬ ମସିହାର ଏକ ଫଟୋ ପକାଇଛନ୍ତି। କେବଳ ସେତିକି ନୁହେଁ, ସିଦ୍ଧାର୍ଥିନୀ ତାଙ୍କ ବାପା-ମା’ ତାଙ୍କୁ ବସୁନ୍ଧରାରୁ ନେଲାବେଳର କିଛି ଫଟୋକୁ ଏହି ଫେସବୁକ୍‌ ଗ୍ରୁପ୍‌ରେ ସେୟାର କରିଛନ୍ତି।

ତାମ୍ରା ଗୁଲ୍‌ହାଇଡ୍‌ ‍ନାମକ ଆଉ ଜଣେ ମହିଳା ଏହି ଗ୍ରୁପ୍‌ରେ ତାଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି: “ଜୁଲାଇ ୩୧, ୨୦୦୪। ରାଣୀର ତୃତୀୟ ଜନ୍ମଦିନ। ସେହି ଦିନ ଆମେ ତାକୁ ଭେଟିଲୁ ଏବଂ ଆମେ ହୋ‍ଇଗଲୁ ଗୋଟିଏ ପରିବାର ।”

ମାର୍କ୍‌ ଗାର୍ଡଆଲ୍‌ବେନ୍‍, ଟ୍ରେସି ହଜ୍‍ ଓ ତାମ୍ରା ଗୁଲ୍‌ହାଇଡ୍‌ଙ୍କ ଭଳି ଅନେକ ‘ଆଡପ୍‌ଟେଡ୍‌ ଫ୍ରମ୍‌ ବସୁନ୍ଧରା ଇନ୍‌ କଟକ, ଓଡ଼ିଶା’ ଫେସବୁକ୍‍ ଗ୍ରୁପ୍‌ରେ ପୋଷ୍ଟ କରୁଛନ୍ତି ସେମାନଙ୍କ କାହାଣୀ, ଯାହାକି ଅନ୍ୟମାନଙ୍କୁ ହୁଏତ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିଭଙ୍ଗୀ ଆଣିଦେବ।

ସତରେ, ସୋସିଆଲ ମିଡିଆ ଆଜି ପାଲଟିଛି ସମ୍ପର୍କର ଏକ ନୂଆ ସେତୁ। ବିଶେଷକରି, ପୁରୁଣା ଦିନ ଓ ପୁରୁଣା ବନ୍ଧୁଙ୍କ ସାଙ୍ଗରେ ଯୋଡ଼ିବାରେ ଏକ ଅଭିନବ ମାଧ୍ୟମ। ଦିନେ ଦିନେ ଓଡ଼ିଶାରେ ଅନାଥ ଶିଶୁ ଭାବେ ବଞ୍ଚୁଥିବା ପିଲାମାନେ ଆଜି ପାଇଛନ୍ତି ନୂଆ ଜୀବନ ଏବଂ ଦେଖିଛନ୍ତି ନୂଆ ପୃଥିବୀ। ସେମାନେ ଅତୀତକୁ ଫେରି ନିଜ ଜୀବନର ସେହି ପୁରୁଣା ମୁହୂର୍ତ୍ତକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁଣ୍ଠାପ୍ରକାଶ କରୁନାହାନ୍ତି।

କେବଳ କଟକର ବସୁନ୍ଧରା କାହିଁକି, ଆମ ଦେଶରେ ଏଭଳି ଅନେକ ଅନାଥାଶ୍ରମରୁ ପିଲାମାନଙ୍କୁ ପୋଷ୍ୟସନ୍ତାନ ଭାବେ ନେଇ ନିଜ ପରିବାର ପୂର୍ଣ୍ଣ କରୁଛନ୍ତି ଅନେକ ଭାରତୀୟ ଓ ବିଦେଶୀ ନାଗରିକ। ସେମାନଙ୍କ କାହାଣୀ ଏହି ନ୍ୟୁ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଲେ ଏହା ନିଶ୍ଚୟ ଜୀବନ ସମ୍ପର୍କରେ ଏକ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ସମ୍ପାଦକ।)

Tags: Social Media, Nilambar Rath, OdishaLIVE, Basundhara, Adoption, Adoption from India, Cuttack

4 COMMENTS

Comment