ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟରେ ହୋଇଛି। ତେବେ ହାଇକୋର୍ଟ କେସ୍‌ ଡାଏରୀ ଏବଂ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ପ୍ରଭାତ ବିଶ୍ୱାଳଙ୍କ ସମ୍ପର୍କୀତ ରିପୋର୍ଟ ଦାଖଲ କରିବା ପରେ ଜାମିନ୍ ସମ୍ପର୍କରେ ବିଚାର କରାଯିବ। ଅକ୍ଟୋବର ୧୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ବିଧାୟକ ପ୍ରଭାତ ବିଶ୍ୱାଳ ମଙ୍ଗଳବାର ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରଭାତଙ୍କ ଓକିଲ ଜାମିନ୍ ଆବେଦନ କରିଥିଲେ। ତେବେ ମଙ୍ଗଳବାର ହାଇକୋର୍ଟ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନଥିଲେ।

ପୂର୍ବରୁ ଭୁବନେଶ୍ୱର ସ୍ପେଶାଲ ସିଜିଏମ୍‌ ସିବିଆଇ କୋର୍ଟ ଏବଂ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ପ୍ରଭାତଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଥିଲା।

ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ଅଭିଯୋଗରେ ପ୍ରଭାତ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୯ରେ ସିବିଆଇ ଗିରଫ କରିଛି। କୋର୍ଟରେ ହାଜର କରିବା ପରେ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରୁଥିଲା। ତେବେ ୪ର୍ଥ ଦିନ ରିମାଣ୍ଡ ବେଳେ ପ୍ରଭାତ ହଠାତ୍ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପ୍ରଭାତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪ ଜଣିଆ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ପ୍ରଭାତଙ୍କୁ ଏସ୍‌ସିବି ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

 

Comment