ଓଡ଼ିଶାଲାଇଭ୍ ବ୍ୟୁରୋ

୮୯ ବର୍ଷରେ ପଦାର୍ପଣ କରିଛନ୍ତି ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ, ଔପନ୍ୟାସିକ ତଥା ଦାର୍ଶନିକ ଚନ୍ଦ୍ରଶେଖର ରଥ । ପବିତ୍ର କୁମାରପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ରଥ ଓଡ଼ିଆ ସାହିତ୍ୟ ଜଗତରେ ସଫଳତାର ଅନେକ ପାହାଚ ଅତିକ୍ରମ କରିଛନ୍ତି।
ପ୍ରଫେସର ରଥଙ୍କ ୮୯ତମ ଜୟନ୍ତୀରେ ଭୁବନେଶ୍ବର ଆଇଆର୍‌ସି ଭିଲେଜସ୍ଥିତ ବାସଭବନକୁ ବହୁ ବିଶିଷ୍ଟ ବ୍ୟକ୍ତି ଆସି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି। ଏହାସହ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।
ଲେଖକ ଡକ୍ଟର ବିମଳେନ୍ଦୁ ମହାନ୍ତି, ଡକ୍ଟର ବାଉରିବନ୍ଧୁ କର, ସ୍ବଦେଶ ପଟ୍ଟନାୟକ, ପୀତବାସ ରାଉତରାୟ, ପ୍ରମିଳା ମହାନ୍ତି, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ, କେଦାର ପୃଷ୍ଟିଙ୍କ ସମେତ ବହୁ ଲେଖକ, ଲେଖିକା ଏବଂ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଜନ୍ମଦିନ ଉପଲକ୍ଷେ ଶ୍ରୀ ରଥଙ୍କ ପୁଅ ଶଶିଭୂଷଣ ରଥଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଭୁବନେଶ୍ବର ଆଇଆର୍‌ସିଭିଲେଜସ୍ଥିତ ବାସଭବନରେ ଉପସ୍ଥିତ ଥିଲେ।
‘ଓଡିଶାଲାଇଭ୍‌’ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏବଂ ନିର୍ଦ୍ଦଶେକ ପ୍ରଣତି ପରିଡ଼ା ଲେଖକ ଚନ୍ଦ୍ରଶେଖର ରଥଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପ୍ରଫେସର ରଥ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ଚ୍ୟାନେଲର ଉନ୍ନତି କାମନା କରିଥିଲେ। ପ୍ରଫେସର ରଥଙ୍କ କେତେକ ବକ୍ତୃତାର ଭିଡିଓ ଓଡ଼ିଶାଲାଇଭ୍ ମାଧ୍ୟମରେ ଦେଶ ବିଦେଶରେ ଅନେକ ଚନ୍ଦ୍ରଶେଖରପ୍ରେମୀଙ୍କ ନିକଟରେ ପହଞ୍ଚି ପାରିଛି। ଏଥିପାଇଁ ପ୍ରଫେସର ରଥ ଓଡ଼ିଶାଲାଇଭ୍ ମିଡିଆକୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ଚନ୍ଦ୍ରଶେଖର ରଥଙ୍କ  ଇଂରାଜୀ କବିତା ସଂକଳନ ‘ଚନ୍ଦ୍ରଶେଖର ସିଲେକ୍ଟେଡ ଓ୍ବାର୍କସ୍’ ପ୍ରକାଶ ପାଇଛି।
ସଂକ୍ଷେପରେ ଲେଖକ ଚନ୍ଦ୍ରଶେଖର ରଥ:
ଯନ୍ତ୍ରାରୂଢ଼, ନବଜାତକ ଏବଂ ଅସୂର୍ଯ୍ୟ ଉପନିବେଶ ଭଳି ଉପନ୍ୟାସ ଲେଖି ଶ୍ରୀ ରଥ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଏହା ବ୍ୟତୀତ ୧୪ଟି ଗଳ୍ପ ସଂକଳନ, ୧୨ଟି ନିବନ୍ଧ ଗ୍ରନ୍ଥ ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଚନ୍ଦ୍ରଶେଖର ରଥ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଇଂରାଜୀ ଏବଂ ଆଇନ୍‌ରେ ସ୍ନାତକୋତ୍ତର ହାସଲ କରିବା ସହ ଲକ୍ଷ୍ନୌ ଓ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡିଲିଟ୍ ଉପାଧି ପାଇଛନ୍ତି।
କେବଳ ସାହିତ୍ୟ କିମ୍ବା ପ୍ରବନ୍ଧ ଜଗତରେ ନୁହେଁ, ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଶ୍ରୀ ରଥ ସୁନାମ ଅର୍ଜନ କରିଛନ୍ତି। ୧୯୫୨ରୁ ୧୯୮୬ ପର୍ଯ୍ୟନ୍ତ  ବିଭିନ୍ନ ମହାବିଧ୍ରାଳୟରେ ଅଧ୍ୟାପନା କରି ବହୁ ଛାତ୍ରଛାତ୍ରୀଙ୍କୁ ମଣିଷ କରିଛନ୍ତି। ପରେ ସେ ଶିକ୍ଷା ବିଭାଗର ଉପ ନିର୍ଦ୍ଦଶେକ ରହିଥିଲେ। ୧୯୮୭ରେ ସେ ଏହି ପଦବରୁ ଅବସର ନେଇଥିଲେ। ଅବସର ନେବା ପରେ ବି ସେ ଘରେ ବସି ଯାଇ ନଥିଲେ। ୧୯୮୭ରୁ ୧୯୯୫ ପର୍ଯ୍ୟନ୍ତ ସେ ‘ସନ୍‌ ଟାଇମ୍ସ’ର ସମ୍ପାଦକ ଏବଂ ‘ସମ୍ବାଦ’ ସମ୍ପାଦକ ପୃଷ୍ଠାର ସମ୍ପାଦନା ଦାୟିତ୍ବ ତୁଲାଇଥିଲେ। ଆସ୍ପୃହା ଏବଂ ଶତଭିଷା ଭଳି ପତ୍ରିକାର ପ୍ରତିଷ୍ଠାତା ଉପଦେଷ୍ଟା ରହିଥିଲେ।
ସାହିତ୍ୟ, ପ୍ରବନ୍ଧ, କବିତା ଏବଂ ଉପନ୍ୟାସ ଜଗତକୁ ରୁଦ୍ଧିମନ୍ତ କରିଥିବା ଶ୍ରୀ ରଥ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ୧୯୭୨ ଓ ୧୯୭୪ରେ ପ୍ରଜାତନ୍ତ୍ର  ବିଷୁବ ସମ୍ମାନ, ୧୯୭୯ରେ ଧରିତ୍ରୀ ସମ୍ମାନ, ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ପାଇଁ ୧୯୭୩ରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, ଗଳ୍ପ ସଂକଳନ ‘ସମ୍ରାଟ ଓ ଅନ୍ୟମାନେ’ଙ୍କ ପାଇଁ ୧୯୮୨ରେ ସାରଳା ପୁରସ୍କାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ‘ଭରତ ଚନ୍ଦ୍ର ସ୍ମାରକୀ’ ସମ୍ମାନ, ଗଳ୍ପ ସଂକଳନ ‘ସବୁଠାରୁ ଦୀର୍ଘ ରାତି’ ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏହାସହ ୨୦୧୦ରେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୧ରେ ସାହିତ୍ୟ ଭାରତୀ ସମ୍ମାନ ଏବଂ ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ବରେଣ୍ୟ ସଦସ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ।

1 COMMENT

  1. Pray Lord Jagannath for his good health. Salute to the great Master in Literature, Craft and devotion as a trendy Teacher. Long Live. Long Live.

Comment