ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ହତ୍ୟା ମାମଲାକୁ ସିବିଆଇ ବନ୍ଦ କରିବା ପରେ ଓଡ଼ିଶା ରାଜନୀତିରେ ଝଡ଼ ଉଠିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଭୂମିକା ଉପରେ ବିଜେଡି-କଂଗ୍ରେସ ଉଠାଇଛନ୍ତି ପ୍ରଶ୍ନ।

 

  • ସିବିଆଇ ବନ୍ଦ କଲା ଇତିଶ୍ରୀ ହତ୍ୟା ମାମଲା
  • ସିବିଆଇ ତଦନ୍ତର ନିରପେକ୍ଷତା ଉପରେ ଉଠିଲା ପ୍ରଶ୍ନ
  • ବିଜେଡି କହିଲା, “ପାଙ୍ଗୀଙ୍କ ପାଇଁ ବନ୍ଦ ହେଲା ମାମଲା”
  • ମାମଲା ରିଓପନ ପାଇଁ କଂଗ୍ରେସର ଦାବି

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା ସିବିଆଇ ବନ୍ଦ କରିବା ପରେ ରାଜନୀତି କରିଡ଼ରରେ ଉଠିଛି ଝଡ଼। ସିବିଆଇର ଭୂମିକାକୁ ନେଇ ଉଠିଛି ପ୍ରଶ୍ନବାଚୀ। ମାମଲାର ପ୍ରକୃତ ଅଭିଯୁକ୍ତ କିଏ ସେନେଇ ସିବିଆଇ କୌଣସି ସ୍ପଷ୍ଟ ମତ ଦେଇ ନଥିବାରୁ ସିବିଆଇକୁ ଟାର୍ଗେଟ କରିଛି ବିଜେଡି। ମାମଲାକୁ ରି-ଓପନ କରିବା ପାଇଁ ପୁଣି ଦାବି ହୋଇଛି।

ଖାଲି ବିଜେଡି ନୁହେଁ, ବିଜେପି ନେତା ବିଜୟ ମହାପାତ୍ର ବି ମାମଲା ବନ୍ଦକୁ ଦୁର୍ଭାଗ୍ୟଜନକ କହିଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣାରେ ନ୍ୟାୟ ମିଳି ନଥିବାରୁ ସିବିଆଇ ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି କହିଛନ୍ତି ବିଜୟ।

ଏପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଜୟରାମ ପାଙ୍ଗୀ ବିଜେପିରେ ମିଶିବା ପରେ ତାଙ୍କୁ ସୁରକ୍ଷା ଦେବା ପାଇଁ ମାମଲା ବନ୍ଦ କରାଯାଇଛି। ଏଥିରୁ ସିବିଆଇ ତଦନ୍ତର ନିରପେକ୍ଷତା କଣ ତାହା ସ୍ପଷ୍ଟ ଅନୁମାନ କରି ହେଉଛି।”

କଂଗ୍ରେସ ବି ପଛରେ ପଡ଼ିନି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେପରି ତାକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଇତିଶ୍ରୀ ମାମଲାକୁ ରଫାଦଫା କରାଯାଇଛି। ଏହା ସିବିଆଇର ଅପାରଗତାକୁ ପ୍ରମାଣ କରୁଛି। ପ୍ରକୃତ ନ୍ୟାୟ ପାଇଁ ମାମଲା ରି ଓପନ କରିବାକୁ ସେ ଦାବି କରିଛନ୍ତି।

ନଭେମ୍ବର ୧୭ ତାରିଖରେ ସିବିଆଇ ସୁପ୍ରିମକୋର୍ଟରେ ଇତିଶ୍ରୀ ହତ୍ୟା ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ୨୪ ତାରିଖରେ ଏହି ମାମଲା ବନ୍ଦ କରାଯାଇଛି।

୨୦୧୩ ଅକ୍ଟୋବର ୨୩ରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିଲେ ଇତିଶ୍ରୀ ପ୍ରଧାନ। ଘରଠାରୁ ସ୍କୁଲ ବହୁ ଦୂର ହୋଇଥିବାରୁ ଇତିଶ୍ରୀ ଏହି ସ୍କୁଲରେ ହିଁ ରହୁଥିଲେ। କିନ୍ତୁ ୨୦୧୩ ଅକ୍ଟୋବର ୨୭ରେ ଘଟିଥିଲା ଅଭାବନୀୟ ଘଟଣା। କେତେକ ଦୁର୍ବୃତ୍ତ ଇତିଶ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ଇତିଶ୍ରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାୟଗଡ଼ା ଓ ପରେ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର  ୨୦୧୩ ନଭେମ୍ବର ୧ରେ ଇତିଶ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଇତିଶ୍ରୀଙ୍କ ମୃତ୍ୟୁ ସମଗ୍ର ରାଜ୍ୟରେ ଖେଳାଇଥିଲା ଚାଞ୍ଚଲ୍ୟ। ଏହି ଘଟଣାରେ ଇତିଶ୍ରୀଙ୍କ ପରିବାରବର୍ଗ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦଣ୍ଡସେନାଙ୍କୁ କରିଥିଲେ ସନ୍ଦେହ। ଏପରିକି ଦଣ୍ଡସେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ଟାଳଟୂଳ ନୀତି ଅବଲମ୍ବନ କରିବାରୁ ରାଜ୍ୟ ସରକାର ୨୦୧୩ ନଭମ୍ବେର ୨ରେ ଦେଇଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ।

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନେତ୍ରାନନ୍ଦ ଦଣ୍ଡସେନା ଗିରଫ ହୋଇଥିଲେ। ଦଣ୍ଡସେନା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତଦନ୍ତରେ କାଳେ ବାଧା ଉପୁଜିବ ସେହି ଆଶଙ୍କାରେ ସମାଜସେବୀ ସୁଦ୍ଦୀପ୍ତ ଲେଙ୍କା ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

୨୦୧୪ରେ ମାମଲା ଯାଇଥିଲା ସୁପ୍ରିମକୋର୍ଟ

୨୦୧୪ ମାର୍ଚ୍ଚରେ ଏହି ମାମଲା ଯାଇଥିଲା ସୁପ୍ରିମକୋର୍ଟକୁ। ୭ ଦିନରେ ତଦନ୍ତ ଟିମ୍ ଗଠନ ସହ ୨ ମାସରେ ରିପୋର୍ଟ ଦେବାକୁ କହିଥିଲେ କୋର୍ଟ। ରାଜ୍ୟ ସରକାରଙ୍କୁ ପ୍ରଶାସନିକ ତଦନ୍ତ ଆଦେଶ ଦେଇଥିଲେ। ହେଲେ ଏହି ଘଟଣା ପଛର ରହସ୍ୟ କଣ ତାହା ଜଣା ନପଡ଼ିବାରୁ ୨୦୧୫ ଜାନୁୟାରୀ ୨୦ରେ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ୨୦୧୬ ଏପ୍ରିଲ ୨୬ରେ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Comment