ଓଡ଼ିଶାଲାଇଭ୍ ବ୍ୟୁରୋ

ହୋଟେଲ୍‌ କ୍ରାଉନ୍‌ ଏବଂ ଡାଲ୍‌ମାର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ ଦ ଇଣ୍ଡସ୍ ଅନ୍ତ୍ରପ୍ରିନିୟର୍ସ(ଟାଇ), ଭୁବନେଶ୍ୱର ଶାଖାର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଆଗଧାଡ଼ିର ସଫଳ ଉଦ୍ୟାଗୀ ଭାବେ ଶ୍ରୀ ପଟ୍ଟନାୟକ ରାଜ୍ୟ ତଥା ବାହାରେ ଜଣାଶୁଣା। ନୂଆ ସଭାପତି ହେବା ପରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଟାଇର ଆଗାମୀ କାର୍ଯ୍ୟକ୍ରମ ତଥା ଓଡ଼ିଶାରେ ବିଭିନ୍ନ ଷ୍ଟାର୍ଟଅପ୍‌ର ସଫଳତା ପ୍ରସଙ୍ଗରେ ତାଙ୍କର ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଛନ୍ତି। ତାଙ୍କୁ ଭେଟିଥିଲେ ଓଡ଼ିଶାଲାଇଭ୍‌ ପ୍ରତିନିଧି ସତ୍ୟବ୍ରତ ପାଢ଼ୀ।

ଦ ଇଣ୍ଡସ୍ ଅନ୍ତ୍ରପ୍ରିନିୟର୍ସ(ଟାଇ)ର ସଭାପତି ହେବା ପରେ ଆପଣଙ୍କର ଲକ୍ଷ୍ୟ କଣ?

ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଉଦ୍ୟାଗେୀ ବା ଷ୍ଟାର୍ଟଅପମାନଙ୍କୁ ଆଗକୁ ନେବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଇଥାଉ। ଓଡ଼ିଶା ଷ୍ଟାଟଅପ୍ କ୍ଷେତ୍ରରେ ବହୁତ ପଛରେ ଅଛି। ଗତ ୭/୮ ବର୍ଷ ହେଲା ଟାଇ ଓଡ଼ିଶାର ଷ୍ଟାର୍ଟଅପମାନଙ୍କୁ ଅଧିକ ଗୁରୁତ୍ବ ଦେଇଆସିଛି। ଆମେ କେବଳ ଭୁବନେଶ୍ୱରରେ ଏହାକୁ ବେଶୀ ପ୍ରଚାର ପ୍ରସାରରେ ସୀମିତ ରଖିଥିଲୁ ବୋଲି ହୃଦୟଙ୍ଗମ କରୁଛୁ। କିନ୍ତୁ ଆଗାମୀ ଦିନରେ ଅନ୍ୟ ଜିଲ୍ଲାରେ ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛୁ।

ଓଡ଼ିଶାରେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ବର୍ତ୍ତମାନ କଣ ସୁଯୋଗ ରହିଛି?

ଆମେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ କିଛି ବର୍ଷ ହେବ ବିଭିନ୍ନ ପଦକ୍ଷେପ ନେଇଆସିଛୁ। ୨୦୧୧-୧୨ ମସିହାରେ ଆମେ ପ୍ରାରମ୍ଭିକ ଭାବେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ କିଛି କାର୍ଯ୍ୟ ଆରମ୍ଭ କରିଛୁ। ବର୍ତ୍ତମାନ ଭବନେଶ୍ୱରରେ ୨୦୦ରୁ ୨୫୦ଟି ଷ୍ଟାର୍ଟଅପ୍ ଭଲଭାବରେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ୨୦୧୮ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ଏମଏସଏମଇ ବିଭାଗରୁ ସହାୟତା ନେଇ ବହୁ ଉଦ୍ୟୋଗୀ ବ୍ୟବସାୟ ଆରମ୍ଭ କରିବେ ବୋଲି ଆଶା ରହିଛି।

ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ଭଲ ପରିଚୟ ପାଇପାରି ନାହିଁ। ଆପଣ ଭାବୁଛନ୍ତି କି ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ହେବ?

ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଓଡ଼ିଆମାନେ ପୂର୍ବରୁ ଦରିଆ ପାର ହୋଇ ଜାଭା, ସୁମାତ୍ରା, ବାଲିକୁ ବ୍ୟବସାୟ ପାଇଁ  ଯାଉଥିଲେ। ସେ ଦେଶମାନଙ୍କ ସହ ଆମ ରାଜ୍ୟର ପୂର୍ବରୁ ଭଲ ସମ୍ପର୍କ ରହିଛି। ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ପୂର୍ବରୁ ସୁନାମ ଅର୍ଜନ କରିଛି। ବର୍ତ୍ତମାନ କେବଳ ଏହାକୁ ପୁନରୁଦ୍ଧାର କରିବା ଦରକାର। ଏହାସହ ପୂର୍ବର ସ୍ମୃତିକୁ ପୁନର୍ଜୀବିତ କରି ଆଗକୁ ଯିବାକୁ ପଡ଼ିବ।

ଯୁବ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ କଣ ସୁଯୋଗ ରହିବ। ସେମାନେ କିପରି ଆଗକୁ ଆସିପାରିବେ?

ଟାଇ ଯୁବପିଢ଼ିମାନଙ୍କୁ ସବୁବେଳେ ବ୍ୟବସାୟ କରିବା ପାଇଁ ସହଯୋଗ କରି ଆସିଛି। ସେମାନଙ୍କୁ ସବୁବେଳେ ଉତ୍ସାହିତ କରି ଆସିଛି। ବ୍ୟବସାୟରେ କିପରି ସଫଳତା ପାଇବେ ସେଥିପାଇଁ ଆମେ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ପରାମର୍ଶ ଦେଇଥାଉ। ଏହାସହ ସେମାନଙ୍କୁ ବିଭିନ୍ନ ସମୟରେ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧାସୁଯୋଗ ଟାଇ ଯୋଗାଇ ଦେଉଛି।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‌ ନୀତି କେତେଦୂର କାର୍ଯ୍ୟକାରୀ ହେଉଛି?

ବାସ୍ତବରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଷ୍ଟାର୍ଟଅପ୍ ନୀତି ଉଦ୍ୟୋଗୀମାନଙ୍କୁ ଅନେକାଂଶରେ ପ୍ରୋତ୍ସାହିତ କରୁଛି। କେନ୍ଦ୍ର ସରକାର ସମସ୍ତ ନୀତି ପ୍ରଣୟନ କରୁଥିବା ବେଳେ ରାଜ୍ୟ ସରକାର ଏହାର ପ୍ରତିଟି ଦିଗ ଉପରେ ଟିକିନିଖି ଭାବରେ କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍‌ ନୀତି କେବଳ ଷ୍ଟାର୍ଟଅପ୍‌ମାନଙ୍କୁ ସହାୟକ ହେଉଛି ତାହା ନୁହେଁ ବରଂ ଆମ ଭଳି ପ୍ରତିଷ୍ଠାତାଙ୍କୁ ମଧ୍ୟ ସହାୟ ହେଉଛି। ଆମେ କିପରି ଭାବରେ ଷ୍ଟାର୍ଟଅପ୍‌ମାନଙ୍କୁ ସାହାଯ୍ୟ କରିବୁ ଏବଂ ଆଗକୁ ଆଣିବୁ ସେ ଦିଗ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।

ଓଡ଼ିଶାରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆଗକୁ ନେବା ପାଇଁ ଯେଉଁ ଷ୍ଟାର୍ଟଅପ୍ ନୀତି ରହିଛି ଏବଂ ଆଜି ଯେଉଁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ କଥା କୁହାଯାଉଛି ଏ ସବୁ ବାସ୍ତବରେ କୌଣସି ଷ୍ଟାର୍ଟଅପ୍‌ର ସଫଳତା ପାଇଁ କିଭଳି ଭୂମିକା ଗ୍ରହଣ କରିବ?

ବାସ୍ତବରେ ଷ୍ଟାର୍ଟଅପ୍‌ଗୁଡିକର ସଫଳତା ପାଇଁ କେବଳ ସରକାରୀ ନୀତି ବା ପାରିପାର୍ଶ୍ୱିକ ପରିବେଶ ଦାୟୀ ନୁହନ୍ତି। କୌଣସି ଷ୍ଟାର୍ଟଅପ୍‌ର ସଫଳତା ବା ବିଫଳତା ପାଇଁ ଆହୁରିଗୁଡ଼ିଏ କାରଣ ରହିଛି। ଆପଣ ଓଡ଼ିଶାରେ ଯେଉଁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ କଥା ପଚାରିଲେ ତାହା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ତେବେ ଆମ ରାଜ୍ୟରେ ଏହିସବୁନୀତି, ବ୍ୟବସ୍ଥା ବା ପରିବେଶ ଷ୍ଟାର୍ଟଅପ୍‌ଗୁଡ଼ିକର ସଫଳତା ପାଇଁ କିଭଳି ଭୂମିକା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଆହୁରି ୩/୪ ବର୍ଷ ଲାଗିବ।

Comment