ଭାସ୍କର ପରିଚ୍ଛା

କନ୍ନଡ଼ ଭାଷାରେ ‘ବଚନ’ ସାହିତ୍ୟର ଏକ ସୁଦୀର୍ଘ ପରମ୍ପରା ରହିଛି। ବେଦ, ବାଇବେଲ ଓ କୋରାନ୍ ଭଳି ବଚନ ସାହିତ୍ୟକୁ ମଧ୍ୟ ଅତି ପବିତ୍ର ବୋଲି ଧରାଯାଏ। ପ୍ରବଚକ ଓ ପ୍ରବାଦୀ ମାନଙ୍କ ଦିବ୍ୟବାଣୀକୁ ଆଧାରକରି ଏହି ବଚନ ସାହିତ୍ୟ ରଚିତ ହୋଇଥିଲା। ଆନୁମାନିକ ଦ୍ୱାଦଶ ଶତାବ୍ଦୀରୁ ବଚନ ସାହିତ୍ୟର ସୃଷ୍ଟି।

ଦକ୍ଷିଣ ଭାରତରେ ଲିଙ୍ଗାୟତ ସମାଜ ଏକ ବଡ଼ ସାମାଜିକ ଗୋଷ୍ଠୀ। କର୍ଣ୍ଣାଟକ ଓ ତା’ର ପଡୋଶୀ ରାଜ୍ୟ ମାନଙ୍କରେ ଲିଙ୍ଗାୟତମାନେ ବସବାସ କରନ୍ତି। ସ୍ଥାନୀୟ ରାଜନୀତିରେ ମଧ୍ୟ ଏମାନଙ୍କ ଦବଦବା ରହିଛି। ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ଭାରତର ଉପ-ରାଷ୍ଟ୍ରପତି ବିଡ଼ି ଜତ୍ତି ଥିଲେ ଜଣେ ଲିଙ୍ଗାୟତ। ବଚନ ଆନ୍ଦୋଳନ ମୁଖ୍ୟତଃ ବର୍ଣ୍ଣଭେଦ, ଲିଙ୍ଗଭେଦ ଓ ବର୍ଗଭେଦ ବିରୁଦ୍ଧରେ ଲଢେଇ। ଏହି ଆନ୍ଦୋଳନ ଶୋଷିତ ଲୋକଙ୍କ ଆନ୍ଦୋଳନ। ଏହି ସାମାଜିକ-ଧାର୍ମିକ ଆନ୍ଦୋଳନର ମୁଖ୍ୟ ପ୍ରବର୍ତ୍ତକ ଥିଲେ କଳଚୁରୀ ସମ୍ରାଟଙ୍କ ଅର୍ଥମନ୍ତ୍ରୀ ଥିବା ବାସାବାନ୍ନା।

ଦ୍ୱାଦଶ ଶତାବ୍ଦୀରେ ଅଧ୍ୟାତ୍ମ ପୁରୁଷ ମହାତ୍ମା ବାସବେଶ୍ୱରାଙ୍କ ନେତୃତ୍ୱରେ ଯେଉଁ ସଙ୍ଗଠନ ଜନ୍ମ ନେଇଥିଲା ଓ ଯେଉଁଠି ଲୋକେ ଏକାଠି ହେଉଥିଲେ ତାହାକୁ କୁହାଯାଉଥିଲା ‘ଅନୁଭବ ମଣ୍ଡପ’। ପ୍ରତିଟି ମଣିଷର ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଓ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗ ଭିତରେ ଯେଉଁ ସାମାଜିକ-ଆଧ୍ୟାତ୍ମିକ ସାହିତ୍ୟ ସୃଷ୍ଟି ହୋଇଥିଲା ତାହା ହେଉଛି ବଚନ। ଏହି ସାହିତ୍ୟର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି କାବ୍ୟକୁ ଗଦ୍ୟ ଆକାରରେ ପରିବେଷଣ କରିବା।

ବଚନ ଭଳି ଏକ ଲୋକପ୍ରିୟ ସାହିତ୍ୟକୁ ପ୍ରସାରିତ ଓ ପ୍ରଚାରିତ କରିବା ପାଇଁ କର୍ଣ୍ଣାଟକ ସରକାର ବହୁ ପଦକ୍ଷେପ ନେଇଆସିଛନ୍ତି। ବଚନ ସାହିତ୍ୟର ବଛାବଛା ଶରଣଗୁଡିକୁ ୨୩ଟି ଜାତୀୟ ଭାଷାରେ ଅନୁବାଦ ସେଥି ମଧ୍ୟରୁ ଗୋଟିଏ। ବାଙ୍ଗାଲୋରରେ ଥିବା ବାସବା ସମିତି ପକ୍ଷରୁ ବଚନ ସାହିତ୍ୟ ପ୍ରସାର ଦିଗରେ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି। ଓଡ଼ିଆ ଭାଷାରେ ବଚନ ସାହିତ୍ୟର ଅନୁବାଦ ତାହାର ଅଂଶବିଶେଷ।

ଆଲୋଚ୍ୟ ପୁସ୍ତକଟି ବହୁଭାଷୀ ବଚନ ଅନୁବାଦ ପ୍ରକଳ୍ପର ମୁଖ୍ୟ ସମ୍ପାଦକ ଓ ବିଶିଷ୍ଟ ଲେଖକ ସ୍ୱର୍ଗତ ଡକ୍ଟର ଏମଏମ କାଲବୁର୍ଗିଙ୍କୁ ଉତ୍ସର୍ଗ କରାଯାଇଛି। ବଚନ ପୁସ୍ତକର ଅନୁବାଦ କରିଥିବା ଦୁଇଜଣ ବିଶିଷ୍ଟ ଓଡ଼ିଆ କବି ପ୍ରବାସିନୀ ମହାକୁଡ ଓ ସୂର୍ଯ୍ୟ ମିଶ୍ର ସମ୍ପାଦକୀୟରେ ଲେଖିଛନ୍ତି,”ବଚନ ସାହିତ୍ୟର ସାର୍ବଜନୀନ ଆବେଦନ ସମାଲୋଚକମାନଙ୍କ ଦ୍ୱାରା ଗୃହୀତ। ଏସବୁରେ ମିଳେ ସାମାଜିକ ସିଦ୍ଧାନ୍ତ, ମୂଲ୍ୟବୋଧ, ସମତା ଓ ସମାଜ-ସମୃଦ୍ଧିର ଉପାଦାନ। ଅନୁଭବ ଜରିଆରେ ଜୀବନର ସାରକଥାକୁ ରୂପାୟୀତ କରିବାର ଆକାଂକ୍ଷା ଓ ସାରବତ୍ତା ବଚନ ଗୁଡ଼ିକରେ ସୁସ୍ପଷ୍ଟ।”

ବଚନ ସାହିତ୍ୟର ଗୁଣବତ୍ତାକୁ ସୁନ୍ଦର ଓ ସାବଲୀଳ ଭାଷାରେ ଅନୁବାଦ କରିବାକୁ ହେଲେ ଶବ୍ଦ ଉପରେ ଦଖଲ ଥିବା ଦରକାର। ତା’ଛଡ଼ା ଆଧ୍ୟାତ୍ମିକ ସାହିତ୍ୟର ଗୂଢତତ୍ତ୍ୱକୁ ବି କବଜା କରି ପାରିଲେ ଯାଇ ଜଣେ ଅନୁବାଦକ ସେହି କାର୍ଯ୍ୟକୁ ନ୍ୟାୟ ଦେଇଛି ବୋଲି କୁହାଯିବ। ଏହି ଦୃଷ୍ଟିରୁ ଦୁଇ ପ୍ରତିଷ୍ଠିତ କବିଙ୍କ ପରିଶ୍ରମ ସାର୍ଥକ ହୋଇଛି ଏଥିରେ ଦ୍ୱିମତ ଥାଇ ନପାରେ।  ଉଦାହରଣସ୍ୱରୂପ ଗୋଟିଏ ବଚନର ଅନୁବାଦ କହୁଛି: ସମସ୍ତେ ସବୁ କିଛି ଜାଣିପାରିବେ। କିନ୍ତୁ ମୃତ୍ୟୁକୁ ଜାଣିବା ନୁହେଁ ସମ୍ଭବ। ସବୁ ବିଦ୍ୟା ସକଳ ବିସ୍ତାରକୁ ଜାଣି ପାରିବ। କିନ୍ତୁ ମୃତ୍ୟୁକୁ ଜାଣିବା ଅସମ୍ଭବ। ହରି ବ୍ରହ୍ମା କାଳ କାମ ଦକ୍ଷା କି ଦେବ ଦାନବ ମାନବ ସମସ୍ତଙ୍କର ଅଛି ମୃତ୍ୟୁ।  ଅଥବା ଦର୍ପଣରେ ଦେଖନ୍ତି ମୁହଁ, ହେଲେ ଶିବଙ୍କ ଠାରେ ମୁହଁ ଦେଖିବାକୁ ନାହିଁ କେହି। ନ୍ୟାୟର ଦଣ୍ଡ ପାଇଁ ସେମାନେ ଦ୍ରବ୍ୟ ଦିଅନ୍ତି। ମାତ୍ର ନ୍ୟାୟାତୀତଙ୍କ ପୂଜା ପାଇଁ, କେହି ବି କିଛି ଦିଅନ୍ତି ନାହିଁ। ସମସ୍ତେ ଚୋର। ହେ କପିଳସିଦ୍ଧ ମଲ୍ଲିକାର୍ଜୁନ।

ଆବଶ୍ୟକୀୟ ଟୀକା, ବଚନ ସାହିତ୍ୟିକମାନଙ୍କ ଅନୁକ୍ରମ,ବଂଶଲତା ସମେତ ପ୍ରାୟ ୯୫୦ ପୃଷ୍ଠାର ଏହି ବଚନ ସଂଗ୍ରହ ଓଡ଼ିଆ ଆଧ୍ୟାତ୍ମିକ ସାହିତ୍ୟ ପାଇଁ ଏକ ମହତ ଯୋଗଦାନ ଏଥିରେ ଦ୍ୱିମତ ନାହିଁ। ଆଗରୁ କେବେ କୌଣସି ଭାରତୀୟ ଭାଷାରୁ ଏହିଭଳି ଏକ ବିରାଟକାୟ ଅନୁବାଦ କାର୍ଯ୍ୟ ସମ୍ଭବ ହୋଇ ନଥିଲା କି ଭବିଷ୍ୟତରେ ହେବ ତାହା କହିବା କଷ୍ଟ। ଏହି ଦୃଷ୍ଟିରୁ ବଚନ ସାହିତ୍ୟର ଓଡ଼ିଆ ରୂପାନ୍ତରକୁ ଏକ ସର୍ବକାଳୀନ ପ୍ରୟାସ କୁହାଯିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment