ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ପାକିସ୍ତାନର ମୂଳବାସିନ୍ଦା ତଥା ଆମେରିକୀୟ ନାଗରିକ ଡେଭିଡ୍‌ ହେଡ୍‌ଲିଙ୍କ ଉପରେ ସିକାଗୋର ଫେଡରାଲ ଜେଲ୍‌ରେ ମରଣାନ୍ତକ ଆକ୍ରମଣ ହୋଇଛି।

ବହୁଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ଡେଭିଡ୍‌ ହେଡ୍‌ଲି ଉପରେ ଆମେରିକାର ସିକାଗୋସ୍ଥିତ ଏକ ଜେଲ୍‌ରେ ଆକ୍ରମଣ ହୋଇଛି।

ଜୁଲାଇ ୮ ତାରିଖରେ ଜେଲ୍‌ରେ ଦୁଇଜଣ କଏଦୀ ତା’ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ତା’ର ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସିକାଗୋର ଏକ ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ ହେଡ୍‌ଲି ଜଣେ ଗୋପନ ଏଜେଣ୍ଟ ଭାବେ କାମ କରୁଥିଲା। ମୁମ୍ବାଇ ଆକ୍ରମଣ ପାଇଁ ସେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା ଏବଂ ପାକିସ୍ତାନରେ ଲସ୍କରର ତାଲିମ ଶିବିରରେ ଭାଗନେଇଥିଲା। ହେଡ୍‌ଲି ୨୦୦୬ ସେପ୍ଟେମ୍ବରରୁ ୨୦୦୮ ଜୁଲାଇ ମଧ୍ୟରେ ଭାରତକୁ ୫ ଥର ଆସିଥିଲା। ମୁମ୍ବାଇର କେଉଁ ସ୍ଥାନରେ ଆକ୍ରମଣ କରାଯିବ, ତାହାର ଫଟୋ ଉଠାଇଥିଲା। ପାକିସ୍ତାନ ଯାଇ ସେସବୁ ବିଷୟରେ ଆଲୋଚନା କରିଥିଲା।

ଡେଭିଡ୍‍କୁ ୨୦୦୯ରେ ଆମେରିକାରେ ଗିରଫ କରାଯାଇଥିଲା। ମୁମ୍ବଇ ଆକ୍ରମଣ ମାମଲାର ଶୁଣାଣି ବେଳେ ଜେଲ୍‍ ଭିତରୁ ଭିଡିଓ କନ୍‍ଫେରେନ୍ସିଂ ଜରିଆରେ ତାକୁ ମୁମ୍ବଇ କୋର୍ଟରେ ହାଜର କରାଯାଇଥିଲା।

ଡେଭିଡ୍‍ର ସ୍ୱୀକାରୋକ୍ତି ଆଧାରରେ କୋର୍ଟ ୨୦୧୩ ଜାନୁଆରି ୨୪ରେ ଆମେରିକାର ସଂଘୀୟ ଅଦାଲତ ମୁମ୍ବାଇ ଆକ୍ରମଣ ମାମଲାରେ ହେଡ୍‌ଲିକୁ ଦୋଷୀ ସାବ୍ୟସ୍ତ କରି ୩୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ସେହି ଦିନଠାରୁ ସେ ଆମେରିକାର ଏକ ଜେଲ୍‍ରେ ବନ୍ଦୀ ଭାବରେ ରହୁଛି।

Comment