ଓଡ଼ିଶାଲାଇଭ ବ୍ୟୁରୋ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ୍ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ପାଞ୍ଚଟି ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। 

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚ୍ଛିନ୍ନତାବାଦୀ ଅଧୀନରେ ଥିବା ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ପାଞ୍ଚଟି ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଏହାପରେ ଚାରିଟି ସାମରିକ ଯାନ ଘଟଣାସ୍ଥଳକୁ ବାହାରି ଥିଲେ। ଅନ୍ୟପଟେ ରୁଷ ର ସମ୍ଭାବ୍ୟ ଆକ୍ରମଣକୁ ଧ୍ୟାନରେ ରଖି ୟୁକ୍ରେନ୍ ଏହାର କିଛି ବିମାନବନ୍ଦର ବନ୍ଦ କରିଦେଇଛି।

ଋଷ ସହ ଚାଲିଥିବା ବିବାଦ ହେତୁ ୟୁକ୍ରେନ୍ ସରକାର ପୂର୍ବ ୟୁକ୍ରେନର ବିମାନ ଗୁଡ଼ିକ ମଧ୍ୟ ରାତି ୭ଟା ପର୍ଯ୍ୟନ୍ତ ବନ୍ଦ୍‌ କରିଦେଇଥିଲେ। କିଛି ଏୟାର ସ୍ପେସକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଛନ୍ତି।

ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଜାତିସଂଘ ସୁରକ୍ଷା ପରିଷଦ ତିନିଦିନ ମଧ୍ୟରେ ଦ୍ୱିତୀୟ ଜରୁରୀକାଳୀନ ଅଧିବେଶନ କରିବ। ଏଥିରେ ୟୁକ୍ରେନ୍ ସଙ୍କଟ ଉପରେ ଆଲୋଚନା ହେବ। ସେପଟେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରୁଷ ସୈନ୍ୟବାହିନୀଙ୍କୁ ନିୟୋଜନ କରିଛି। ସୂଚନା ଅନୁଯାୟୀ, କ୍ଵିଭଙ୍କ ଅନୁରୋଧ କ୍ରମେ ଏହି ବୈଠକ ଗୁରୁବାର ଭାରତୀୟ ସମୟ ସକାଳ ୮ଟାରେ ଅନୁଷ୍ଠିତ ହେବ।

ଗତ ବୁଧବାର ରୁଷର ଦୁଇଟି ସାମରିକ ବାହିନୀ ପୂର୍ବ ୟୁକ୍ରେନର ଡୋନେଟସ୍କ ଆଡକୁ ଯାଉଥିବା ଦାବି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଧୁନିକ ସାମରିକ ଉପକରଣ ତଥା ଅସ୍ତ୍ରଶସ୍ତ୍ର ସହିତ ଦୁଇଟି ସାମରିକ ବାହିନୀ ଦ୍ରୁତ ଗତିରେ ଡୋନେଟସ୍କ ଆଡ଼କୁ ଗତି କରୁଛି। ଆଧୁନିକ ସାମରିକ ସାମଗ୍ରୀ ସହିତ ସଜ୍ଜିତ ଏହି କନଭେୟରେ କୌଣସି ଦେଶର ପ୍ରତୀକ ନାହିଁ।

ରୁଷ ପୂର୍ବ ୟୁକ୍ରେନର ଅଶାନ୍ତ କ୍ଷେତ୍ର ଲୁହାନସ୍କ ଏବଂ ଡୋନେଟସ୍କ ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଆଉ ସେଠାକୁ ନିଜ  ସୈନ୍ୟବାହିନୀକୁ ପଠାଇବାକୁ ଆଦେଶ ଦେଇଛନ୍ତି।

ବଢ଼ିଲା ଅଶୋଧିତ ତୈଳ ଦର

ୟୁକ୍ରେନ୍ ସହ ରୁଷର ଏହି ଯୁଦ୍ଧର ପରିଣତି ବଜାର ଦର ଉପରେ ପଡିସାରିଲାଣି। କାଲିଯାଏଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ଥିବାବେଳେ ଗୁରୁବାର ଏହା ୧୦୦ ଡଲାରକୁ ଟପି ଥିବା ସୂଚନା ରହିଛି। ଏହା ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ଦର।

୨୦୧୪ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାରକୁ ବୃଦ୍ଧି ପାଇଛି। ରୁଷିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦକ, ଯାହା ମୁଖ୍ୟତଃ ୟୁରୋପୀୟ ବିଶୋଧନାଗାରକୁ ଅଶୋଧିତ ତୈଳ ବିକ୍ରି କରେ। ୟୁରୋପ ଦେଶଗୁଡ଼ିକୁ ରୁଷ ପ୍ରାକୃତିକ ଗ୍ୟାସର ୩୫ ପ୍ରତିଶତ  ଯୋଗାଣ କରିଥାଏ। ତେଣୁ ଆଜି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ହଠାତ୍ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

ପୁଟିନଙ୍କ ଧମକ… ”କେହି ମୁଣ୍ଡ ଖେଳାଅ ନାହିଁ ”

ୟୁକ୍ରେନ୍ ବିରୁଦ୍ଧରେ ରୁଷର ଯୁଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ଘନଘନ ଆକ୍ରମଣ। ୟୁକ୍ରେନର ୧୩ଟି ସ୍ଥାନରେ ବାଲାଷ୍ଟିକ ମିସାଇଲ ଓ ମାନବବିହୀନ ଡ୍ରୋନ୍ ଦ୍ୱାରା ଆକ୍ରମଣ ସହ କଡ଼ା ଆଭିମୁଖ୍ୟ ରଖିଛି ଋଷ। ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ପୁଟିନ ଧମକ ଦେବା ସହ କହିଛନ୍ତି, ‘‘ୟୁକ୍ରେନ ମାମଲାରେ କେହି ମୁଣ୍ଡ ନ ଖେଳାନ୍ତୁ। ଯଦି କେହି ଏହି ମାମଲାରେ ମୁଣ୍ଡ ଖେଳାଇବେ ତେବେ ପରିସ୍ଥିତି ଭୟାବହ ହେବ। ଏମିତି ଅବସ୍ଥା ହେବ ଯେପରି ପୂର୍ବରୁ ଇତିହାସରେ କେହି କେବେ ଦେଖିନଥିବେ”। ଅନ୍ୟପଟେ ୟୁକ୍ରେନ ମଧ୍ୟ ଦେଶରେ ମାର୍ଶଲ ଆଇନ ଲାଗୁ କରିଛି। ଯାହାଦ୍ୱାରା ସମସ୍ତ ଦାୟିତ୍ୱ ଏବେ ସେନାବାହିନୀ ହାତକୁ ଚାଲି ଯାଇଛି ।

Comment