ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଚ୍ଛା ଶକ୍ତି ଆଗରେ ବାଧକ ସାଜିନି ଟଙ୍କା। କୋଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀଙ୍କର ବୟସ ୭୦ ବର୍ଷରୁ ଅଧିକ ଅଟେ। ଗତ ୫୬ ବର୍ଷରୁ ଦୁହେଁ ଗୋଟିଏ ଚା’ ଷ୍ଟଲ ଚଲାଉଛନ୍ତି। ତାଙ୍କ ଦୋକାନକୁ ଆସୁଥିବା ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ଦମ୍ପତ୍ତି ୨୩ ରୁ ଅଧିକ ଦେଶ ବୁଲି ସାରିଲେଣି।

ବିଜୟନ ଏବଂ ତାଙ୍କ ପତ୍ନୀ ଏବେ ପର୍ଯ୍ୟନ୍ତ ସିଙ୍ଗାପୁର, ଆର୍ଜେଣ୍ଟିନା, ପେରୁ, ବ୍ରାଜିଲ ଏବଂ ସ୍ୱିଜରଲ୍ୟାଣ୍ଡ ବୁଲି ସାରିଲେଣି। ଆନନ୍ଦ ମହିନ୍ଦ୍ରାଙ୍କର ଟୁଇଟ ପରେ ସୋସିଆଲ ମିଡିଆରେ ଏହି ଦମ୍ପତ୍ତିଙ୍କର ବହୁତ ଚର୍ଚ୍ଚା ହେଉଛି।

ବିଜୟନଙ୍କ କହିବା ଅନୁସାରେ, ଦୁନିଆରେ ଭ୍ରମଣ କରିବା ତାଙ୍କର ପିଲାବେଳର ସ୍ୱପ୍ନ ଥିଲା। ସେ ଟଙ୍କା ରୋଜଗାର କରି ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ସ୍ଥାୟୀ ରୋଜଗାର କରିବା ପାଇଁ ସେ ରାସ୍ତା ପାଖରେ ଚା’ ବିକିବା କାମ ଆରମ୍ଭ କରିଦେଇଥିଲେ।

ପ୍ରତିଦିନ ୩୦୦ ଟଙ୍କା ସଞ୍ଚୟ କରିବା ପରେ ଯେଉଁ ଟଙ୍କା ଜମା ହେଉଥିଲା ସେଥିରେ ଏହି ଦମ୍ପତ୍ତି ବୁଲିବାକୁ ଯାଉଥିଲେ। ଯଦି ଟଙ୍କା କମ୍ ପଡୁଥିଲା ତେବେ ଏମାନେ ବ୍ୟାଙ୍କରୁ ଲୋନ ମଧ୍ୟ ନେଉଥିଲେ। ଲୋନ ପାଇଁ ସେମାନେ ନିଜ ଦୋକାନକୁ ବନ୍ଧା ରଖୁଥିଲେ। ବୁଲି ଆସିବା ପରେ ଦମ୍ପତ୍ତି ପୁଣି ଟଙ୍କା ଜମା କରୁଥିଲେ ସେଥିରେ ଲୋନ ସୁଝି ଦୋକନକୁ ମୁକୁଳାଉଥିଲେ। ଲୋନ ପୂରା ହେବା ମାତ୍ରକେ ହିଁ ଦମ୍ପତ୍ତି ପୁଣି ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜୟନଙ୍କ ଉପରେ ଗୋଟିଏ ସର୍ଟ ଫିଲ୍ମ ‘ଇନଭିଜିବିଲ ୱିଙ୍ଗସ’ ମଧ୍ୟ ତିଆରି ହୋଇସାରିଛି ଏବଂ ଏହି ଫିଲ୍ମକୁ ଗତ ବର୍ଷ ଫିଲ୍ମ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇସାରିଛି। ନିକଟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୁଇଟ କରି ଏହି ଦମ୍ପତ୍ତିଙ୍କ ବିଷୟରେ ଦୁନିଆକୁ ଜଣାଇଥିଲେ।

Comment