ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବହେଳାରେ ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ। ଖରାରେ ଗଛତଳେ, ବର୍ଷାରେ ଟିଣ ତଳେ ପାଠପଢୁଛନ୍ତି ପିଲା।

ଅବହେଳାରେ ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ। ଖରାରେ ଗଛତଳେ, ବର୍ଷାରେ ଟିଣ ତଳେ ପାଠପଢୁଛନ୍ତି ପିଲାମାନେ। ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି, ଅନେକ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଏଥିରୁ ବଞ୍ଚିତ ରହିଛନ୍ତି ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ।

ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟର ପିଲାମାନେ। ବିଦ୍ୟାଳୟରେ ପିଲାଙ୍କ ପାଇଁ ଶ୍ରେଣୀଗୃହ ନାହିଁ। ଟିଣ ଆଉଜା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢ଼ୁଛନ୍ତି।

ବର୍ତ୍ତମାନ ଏହି ପ୍ରାଥମିକ ବିଦ୍ୟାଳୟରେ ୨୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଗ୍ରାମବାସୀ ନିଜ ଉଦ୍ୟମରେ ଏଠାରେ ଦୁଇଟି ଟିଣ ଛପର ଘର ନିର୍ମାଣ କରିଥିଲେ। କିନ୍ତୁ ଝଡ଼ ପବନରେ ଉକ୍ତ ଶ୍ରେଣୀ ଗୃହର ଟିଣ ଉଡ଼ିଯିବା ପ୍ରାୟ ବର୍ଷେ ବିତିଗଲାଣି। ଏହା ପରଠୁ ପିଲାମାନେ ଗଛତଳେ ପାଠ ପଢ଼ୁଛନ୍ତି। ଯଦି ବର୍ଷ ହୁଏ ତେବେ ଟିଣ ଆଉଜା ହୋଇଥିବା ଏକ ସ୍ଥାନରେ ପାଠପଢା ହୁଏ।

ଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ଆସିଥିଲା। ଯେତିକି ଟଙ୍କା ଆସିଥିଲା ସେତିକି ଟଙ୍କାରେ ଫାଉଣ୍ଡେସନ ପଡ଼ିଗଲା। ଆଗକୁ କାମ ହେବାପାଇଁ ଆଉ କୌଣସି ଅନୁଦାନ ମିଳିଲା ନାହିଁ।

ଏନେଇ ବିଦ୍ୟାଳୟର ଶିକ୍ଷକ ଦୈତାରି ପୂଜାରୀ କହିଛନ୍ତି, “ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ ତେଣୁ ପିଲାଙ୍କୁ ଗଛତଳେ ପାଠ ପଢ଼ାଇବା ପାଇଁ ବାଧ୍ୟ ହେଉଛୁ। ବିଦ୍ୟାଳୟର ଶ୍ରେଣୀଗୃହ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଏଥିରୁ କୌଣସି ସୁଫଳ ମିଳି ନାହିଁ।”

ଅନ୍ୟପକ୍ଷରେ ବୁଦ୍ଧିଜୀବିଙ୍କ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ପିଲାଙ୍କ ପାଇଁ ଶ୍ରେଣୀ ଗୃହଟିଏ ମଧ୍ୟ ସରକାର ଯୋଗାଇ ଦେଇ ପାରିଲେ ନାହିଁ। ଜିଲ୍ଲାରେ ଶିକ୍ଷାର ବିକାଶ କିଭଳି ହେଉଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

Comment