ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ତାଣ୍ଡବ ରଚିଛି। ରାଜଧାନୀ ଭୁବନେଶ୍ୱରର ସ୍ଥିତି ପୂରା ବଦଳି ଯାଇଛି। ୧୫ ବର୍ଷ ତଳକୁ ଫେରି ଯାଇଛି ଭୁବନେଶ୍ୱର। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଥିବାରୁ ଗତ ଚାରି ଦିନ ହେଲା ଅନ୍ଧାରରେ ରହିଛି ଭୁବନେଶ୍ୱର।

ବିଜୁଳି ନଥିବାରୁ ପାଣି ପାଇଁ ସବୁଠି ହାହାକାର ପଡ଼ି ଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପିଇବା ଲାଗି ଲୋକଙ୍କ ପାଖରେ ପାଣି ନଥିବା ବେଳେ ଫନି ତାଣ୍ଡବରେ ଲୋକେ ପେଶି ହୋଇଯାଉଛନ୍ତି। ଲୋକଙ୍କ ସମସ୍ୟା ଜଟିଳ ହୋଇଯାଇଛି।

ପାଣିମୁନ୍ଦେ ପାଇଁ ରାଜଧାନୀରେ ୪୩୬ରୁ ଅଧିକ ବସ୍ତି ବାସିନ୍ଦା ହଇରାଣ ହେଉଛନ୍ତି। ପାଣି ମିଳୁ ନଥିବାରୁ ସେମାନେ ସିଧା ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ।

ଶ୍ରୀୟା ଟକିଜ୍ ନିକଟସ୍ଥ ପ୍ରେସ କଲୋନି, ଶାନ୍ତି ନଗର, ରିକ୍ସା କଲୋନି ସମେତ ଅନେକ ବସ୍ତିର ଲୋକ ଆଜି ପାଣିପାଇଁ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ସେମାନେ ଶ୍ରୀୟା ଟକିଜ୍ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

‘‘ଏ ଯାଏଁ ପ୍ରଶାସନିକ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି। ବାତ୍ୟା ଦିନଠୁ ଆଜି ଯାଏଁ ସେମାନଙ୍କ ପାଖରେ ପିଇବା ପାଣି କିମ୍ବା ଶୁଖିଲା ଖାଦ୍ୟ ପ୍ୟାକେଟ କିଛି ବି ପହଞ୍ଚି ପାରିନାହିଁ। ଗଛ ପଡ଼ି କଲୋନିରେ ଯିବା ଆସିବା ରାସ୍ତା ବନ୍ଦ ହୋଇ ଯାଇଛି। ରାସ୍ତାରୁ ଗଛ ହଟାଇବା ପାଇଁ କୌଣସି ପଦକ୍ଷେପ ନେଇନି ପ୍ରଶାସନ’’, କହିଛନ୍ତି ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା।

ରାଜ କୁମାର ବସ୍ତି, ଦୁର୍ଗାମଣ୍ଡପ ବସ୍ତି ସମେତ ଅନେକ ସ୍ଥାନମାନଙ୍କରେ ବି ପିଇବା ପାଣିକୁ ନେଇ  ଲୋକମାନଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି।

ବସ୍ତି ବାସିନ୍ଦା ଜ୍ୟୋସ୍ନା ସାହୁ କହିଛନ୍ତି, ‘‘ଗତ ୩ ଦିନ ହେଲାଣି ସେମାନଙ୍କ ପାଖରେ କୌଣସି ସୁବିଧା ପହଞ୍ଚି ନାହିଁ। ପ୍ରଶାସନିକ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି। କଲୋନି ରାସ୍ତାରେ ଗଛପଡ଼ି ରହିଛି। ଏହାକୁ ହଟାଇବା ଲାଗି କୌଣସି ବ୍ୟବସ୍ଥା କରାଯାଉନାହିଁ।’’

Comment