ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ବାତ୍ୟା ଫନି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ସମେତ ସ୍ମାର୍ଟସିଟି ଭୁବନେଶ୍ୱରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ବାତ୍ୟା ପ୍ରଭାବରେ ବିଜୁଳି, ପାଣି, ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ୧୯୯୯ ମହାବାତ୍ୟାର ୨୦ ବର୍ଷ ପରେ ଭୁବନେଶ୍ୱର ସହର ଏଭଳି ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ବାତ୍ୟାର ଚାରି ଦିନ ପରେ ଏବେ ବି ଅନ୍ଧକାର ଭିତରେ ରହିଛି ଏହି ସ୍ମାର୍ଟସିଟି। ତେବେ ଏହି ବିପର୍ଯ୍ୟୟ ସମୟରେ ଓଡ଼ିଶାର ଆଇଟି ଶିଳ୍ପ ପାଇଁ ରହିଛି ଏକ ବଡ଼ ଆଶ୍ୱସ୍ତି। କାରଣ ବାତ୍ୟାର ପ୍ରଭାବ ସତ୍ତ୍ୱେ ଇଣ୍ଟରନେଟ୍‌ ଏବଂ ସର୍ଭର ସେବା ଯୋଗାଇ ଦେଇପାରିଛି ଏସଟିପିଆଇ।

ଦେଶରେ ଆଇଟି ସେବା କ୍ଷେତ୍ରରେ ଭିତ୍ତିଭୂମି ଏବଂ ପଲିସି ଫ୍ରେମ୍‌ୱାର୍କ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଭାରତ ସରକାରଙ୍କ ଅଗ୍ରଣୀ ସଂସ୍ଥା ସଫ୍ଟଓୟାର ଟେକ୍ନୋଲଜି ପାର୍କସ୍‌ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏଭଳି ଭୟଙ୍କର ବିପର୍ଯ୍ୟୟ ସମୟରେ ଭୁବନେଶ୍ୱରରେ ଅବସ୍ଥିତ ଶତାଧିକ ସରକାରୀ ବିଭାଗ, ରାଷ୍ଟ୍ରାୟତ୍ତ ସଂସ୍ଥା ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କମ୍ପାନି ପାଇଁ ଏକ ଶକ୍ତ ଖୁଣ୍ଟ ଭଳି ଠିଆ ହୋଇପାରିଛି। କାରଣ ବାତ୍ୟାଞ୍ଚଳରେ ସାଧାରଣ ଲୋକ ଏବଂ ବିଭିନ୍ନ ଅନୁଷ୍ଠାନ ଇଣ୍ଟରନେଟ୍ ସେବା ପାଇଁ ଡହଳବିକଳ ହେଉଥିବା ବେଳେ ଏସଟିପିଆଇ ତା’ର ଗ୍ରାହକମାନଙ୍କ ପାଇଁ ଏହି ସେବାକୁ ସୁନିଶ୍ଚିତ କରିପାରିଛି।

ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ଓଡ଼ିଶାଲାଇଭ୍‌କୁ କହିଛନ୍ତି, ‘‘ବାତ୍ୟା ଆସିବା ଆଗରୁ ଆମେ ଯେତେ ଦୂରସମ୍ଭବ ପଦକ୍ଷେପ ନେଇଥିଲୁ। ଏସଟିପିଆଇର ବିଭିନ୍ନ ଆଇଟି ଭିତ୍ତିଭୂମିର ବାତ୍ୟାଜନିତ କ୍ଷୟକ୍ଷତିର କିଭଳି ତୁରନ୍ତ ମୁକାବିଲା କରାଯାଇପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ତଥା ଆକ୍‌ସନ ପ୍ଲାନ୍ ପ୍ରସ୍ତୁତ କରିଥିଲୁ। ଏହାଫଳରେ ଆମେ ଆମ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟ୍ ସେବା ଯୋଗାଇଦେବା ସହିତ ସର୍ଭର ଏବଂ ଡାଟା ଷ୍ଟୋରେଜ୍ ସେବାରେ କିପରି କୌଣସି ବାଧା ନ ପହଞ୍ଚେ ସେଥିପାଇଁ ସଜାଗ ରହିଥିଲୁ।’’

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳସ୍ଥିତ ଫର୍ଚୁନ ଟାୱାର୍ସରେ ରହିଛି ଏସଟିପିଆଇର କାର୍ଯ୍ୟାଳୟ। ଏହାଛଡ଼ା ଏଠାରେ ମଧ୍ୟ ରହିଛି ଏସଟିପିଆଇ ଦ୍ୱାରା ପରିଚାଳିତ ନେଟୱାର୍କ ଅପରେସନ୍ ସେଣ୍ଟର। ସେହିପରି ଭୁବନେଶ୍ୱର ଗୋଠପାଟଣାରେ ନିର୍ମିତ ଏସଟିପିଆଇ ଏଲିଟ୍‌ରେ ମଧ୍ୟ ଡାଟାସେଣ୍ଟର ବ୍ୟବସ୍ଥା ରହିଛି। ଭୀଷଣ ସାମୁଦ୍ରିକ ଝଡ଼ ଫନି କିଭଳି ଓଡ଼ିଶାର ଆଇଟି ମେରୁଦଣ୍ଡ ଉପରେ ବିଶେଷ ପ୍ରଭାବ ନ ପକାଇବ ସେଥିପାଇଁ ଏସଟିପିଆଇ ପକ୍ଷରୁ ଯଥାସମ୍ଭବ ବ୍ୟବସ୍ଥା ଏବଂ ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି।

ମହାବାତ୍ୟା ଫନିରେ ଏସଟିପିଆଇର ଆଇଟି ଭିତ୍ତିଭୂମି ପ୍ରଭାବିତ ହୋଇଥିଲା। ତେବେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଠିକ୍ କରିବା ଉପରେ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡାଙ୍କ ନେତୃତ୍ୱରେ କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ ଧ୍ୟାନ ଦେଇଥିଲା।

ବାତ୍ୟା ପରେ ପରେ ପରିସ୍ଥିତି ଅନୁଧ୍ୟାନ କରିବାଲାଗି ଏସଟିପିଆଇର ସିନିୟର ଡାଇରେକ୍ଟର ଦେବେଶ ତ୍ୟାଗୀ ଭୁବନେଶ୍ୱର ଆସିଥିଲେ। ସେ ସ୍ଥାନୀୟ ନିର୍ଦ୍ଦେଶକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ଏସଟିପିଆଇର ମହାନିର୍ଦ୍ଦେଶକ ଡକ୍ଟର ଓଂକାର ରାଇ ବାତ୍ୟା ଫନିର ପ୍ରଭାବ ସମ୍ପର୍କରେ ନୂଆଦିଲ୍ଲୀରୁ ରହି ଅନୁଧ୍ୟାନ କରିବା ସହ ଭୁବନେଶ୍ୱର ଏସଟିପିଆଇ ନେଟୱାର୍କ ବ୍ୟାକବୋନକୁ କିପରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯାଇପାରିବ ସେ ବାବଦରେ ପରାମର୍ଶ ଦେଇଥିଲେ।

କେବଳ ସେତିକି ନୁହେଁ ଭୟଙ୍କର ମହାବାତ୍ୟା ସମୟରେ କିଭଳି ଭାବରେ ନିଜର ଗୁରୁତ୍ୱପୂର୍ଣ୍ଣ ଆଇଟି ଭିତ୍ତିଭୂମି, ଡାଟା ଏବଂ ସର୍ଭରକୁ ସୁରକ୍ଷିତ ରଖାଯାଇପାରେ ସେ ସମ୍ପର୍କରେ ମଧ୍ୟ ବିଭିନ୍ନ ଆଇଟି କମ୍ପାନିକୁ ଆଡ୍‌ଭାଇଜରି ଦେଇଥିଲା ଏସଟିପିଆଇ। କ୍ଷୟକ୍ଷତିର ପରିମାଣକୁ କମ୍‌ କରିବା, କୌଣସି ପ୍ରକାର ଦୁର୍ଘଟଣା ନ ଘଟିବା ଏବଂ ବାତ୍ୟା ପରେ ଅଳ୍ପ ସମୟ ମଧ୍ୟରେ କିଭଳି ନିଜର ଆଇଟି ଅପରେସନ୍‌କୁ ସ୍ୱାଭାବିକ କରାଯାଇପାରେ ସେ ବାବଦରେ ଏହି ଆଡ୍‌ଭାଇଜରିରେ ପରାମର୍ଶ ଦିଆଯାଇଥିଲା।

ବାତ୍ୟାର ପ୍ରଭାବ ସତ୍ତ୍ୱେ ଏସଟିପିଆଇ ଭୁବନେଶ୍ୱର ନିରବଚ୍ଛିନ୍ନ ଇଣ୍ଟରନେଟ୍ ସେବା ସହିତ ଡାଟା ସେଣ୍ଟର ଏବଂ ସର୍ଭର ସେବା ଯୋଗାଇ ଦେଇଥିବାରୁ ଆଜି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହିତ ବହୁ ବଡ଼ ବଡ଼ କମ୍ପାନି ନିଜର ଆଇଟି ଅପରେସନ୍‌ ବଜାୟ ରଖିପାରିଛନ୍ତି।

ଏସଟିପିଆଇ ଭୁବନେଶ୍ୱରଠାରୁ ଇଣ୍ଟରନେଟ୍ ସେବା ନେଇଥିବା ଗ୍ରାହକମାନଙ୍କର ତାଲିକା ବହୁତ ଲମ୍ବା। ତା’ ଭିତରେ ରହିଛି ଇଡ୍‌କୋ, ଭୁବନେଶ୍ୱର ମହାନଗର ନିଗମ, ଆଇଆଇଏମଟି, ଭୁବନେଶ୍ୱର ସ୍ମାର୍ଟସିଟି, ଆଇଆଇଆଇଟି, ନାଲ୍‌କୋ, ଓଏମ୍‌ସି, ଓମଫେଡ୍‌, ଇନଷ୍ଟିଚ୍ୟୁଟ୍ ଲାଇଫ୍ ସାଇନ୍ସ, ଓପିଟିସିଏଲ, ଓପେପା, ଓଡ଼ିଶା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଇତ୍ୟାଦି। ସେହିପରି ଓଡ଼ିଶା ସରକାରଙ୍କ ଏଚଆରଏମଏସ (ମାନବ ସମ୍ବଳ ସଫ୍ଟଓୟାର) ସହିତ ନାଲ୍‌କୋ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଇଡ୍‌କୋ, ଏବଂ ସ୍ମାର୍ଟସିଟି ଭଳି ଆଗଧାଡ଼ିର ସରକାରୀ ଏବଂ ଜାତୀୟ ସ୍ତରର ଉଦ୍ୟୋଗର ସର୍ଭର ଏସଟିପିଆଇ ପରିଚାଳନା କରେ। ବାତ୍ୟା ସମୟରେ ଏହିସବୁ ସଂସ୍ଥା ଇଣ୍ଟରନେଟ୍ ଏବଂ ସର୍ଭର ସେବା ପାଇପାରିଛନ୍ତି।

କେବଳ ସରକାରୀ ବିଭାଗ ବା ସର୍ବସାଧାରଣଙ୍କ ସେବା ଲାଗି ଉଦ୍ଦିଷ୍ଟ ଅନୁଷ୍ଠାନ ନୁହେଁ, ଓଡ଼ିଶାର ଅଗ୍ରଣୀ ଘରୋଇ ଆଇଟି କମ୍ପାନି ସଂସ୍ଥାଗୁଡ଼ିକର ଏସଟିପିଆଇ ଇଣ୍ଟରନେଟ୍ ବ୍ୟାକ୍‌ବୋନ୍‌ ହୋଇପାରିଛି। ଭୁବନେଶ୍ୱରରେ ଅବସ୍ଥିତ ଓକାକ୍‌ ଟାୱାର, ଏସଟିପିଆଇ ଏଲିଟ ଏବଂ ଡିଏଲଏଫ ସାଇବର ସିଟି ଭଳି ଅଗ୍ରଣୀ ଆଇଟି ପାର୍କରେ ଥିବା ପ୍ରମୁଖ କମ୍ପାନିମାନଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛି ଏସଟିପିଆଇ। ୨୦୧୯ ଫନି ମହାବାତ୍ୟା ବେଳେ ଇଣ୍ଟରନେଟ୍ ଏବଂ ସର୍ଭର ପରିଚାଳନା କ୍ଷେତ୍ରରେ ନିରବଚ୍ଛିନ୍ନ ସେବା ମିଳିଥିବାରୁ ଏହି କମ୍ପାନିଗୁଡ଼ିକ ନିଜ ନିଜର ଆଇଟି ଅପରେସନ୍‌ ବଜାୟ ରଖିବା ସହିତ ଓଡ଼ିଶାକୁ ଏହି ଶିଳ୍ପ କ୍ଷେତ୍ରରେ ଅନେକ କ୍ଷତିରୁ ବଞ୍ଚାଇପାରିଛନ୍ତି।

ବାତ୍ୟା ପରେ ପରେ ଆବଶ୍ୟକ ମରାମତି କରି ଏସଟିପିଆଇ ଏହାର ଆରଏଫ୍ ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବା ସହିତ ଡିଜି ମାଧ୍ୟମରେ ୨୪ ଘଣ୍ଟିଆ ପାୱାର ନିଶ୍ଚିତ କରି ନିଜର ଗ୍ରାହକମାନଙ୍କୁ ନିର୍ଦ୍ଧାରିତ ସେବା ଯୋଗାଇଦେବାରେ ସକ୍ଷମ ହୋଇଛି।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିଳ୍ପ କ୍ଷେତ୍ରରେ ଭୁବନେଶ୍ୱର କେବଳ ଭାରତ କାହିଁକି ଦେଶବିଦେଶରେ ଆଜି ନାଁ କରିଛି। ସରକାରୀ ଏବଂ ଘରୋଇ କ୍ଷେତ୍ରର ସହଯୋଗ ଫଳରେ ଆଜି ଓଡ଼ିଶାରୁ ପ୍ରସ୍ତୁତ ହେଉଥିବା ଆଇଟି ସେବା ଭାରତକୁ କୋଟି କୋଟି ଟଙ୍କାର ବିଦେଶୀ ମୁଦ୍ରା ଆଣିପାରୁଛି। ତେଣୁ ଫନି ଭଳି ପ୍ରଳୟଙ୍କରୀ ବାତ୍ୟା ସମୟରେ ନିରବଚ୍ଛିନ୍ନ ଇଣ୍ଟରନେଟ୍ ଓ ସର୍ଭର ସେବା ଯୋଗାଇଦେଇ ଏସଟିପିଆଇ ନେଇଥିବା ପଦକ୍ଷେପକୁ ଆଇଟି ଶିଳ୍ପ ସହିତ ସମ୍ପୃକ୍ତ ଅଂଶୀଦାରମାନେ ପ୍ରଶଂସା କରିଛନ୍ତି।

ଭୁବନେଶ୍ୱରରେ ଥିବା ଆଇଟି ପାର୍କଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ବିଜୁଳି ଯୋଗାଇଦେବାକୁ ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ମୁଖ୍ୟ ଶାସନ ସଚିବ ତଥା ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ବିଦେଶର ଗ୍ରାହକମାନଙ୍କୁ ଆଇଟି ସେବା ଯୋଗାଇ ଦେଉଥିବା ଓଡ଼ିଶାର ଆଇଟି କମ୍ପାନିଗୁଡ଼ିକ ଅନ୍ୟ ଯେ କୌଣସି ଶିଳ୍ପଠାରୁ ଭିନ୍ନ। ତେଣୁ ଏହାକୁ ବିଚାର କରି ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଜୁଳି ଯୋଗାଇ ଦେବା ଉପରେ ଜୋର୍ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Comment