ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ର ମୁକାବିଲାକୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

‘ଫନି’ ପ୍ରଭାବିତଙ୍କ ପାଇଁ ୧୬୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ଫନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଚାଷୀ, ମତ୍ସ୍ୟଜୀବୀ ଏବଂ ଏସ୍‌ଏଚ୍‌ଜି ଗ୍ରୁପ ପାଇଁ ଏହି ସହାୟତା ରାଶି ଘୋଷଣା ହୋଇଛି। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ଇନପୁଟ ସବସିଡ୍ ୬୮୦୦ ଟଙ୍କା, ନିଶ୍ଚିତ ଜଳସେଚିତ ଜମି ପାଇଁ ପ୍ରତି ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା, ସବୁ ଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା, ବାତ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୧ ଲକ୍ଷ ପରିବା ମନିକିଟ୍ ଯୋଗାଇବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୩ ତାରିଖ ସୁଦ୍ଧା ସ୍ୱାଭାବିକ ହେବ ବ୍ୟାଙ୍କ ସେବା

ଆସନ୍ତା ୧୩ ତାରିଖ ସୁଦ୍ଧା ସମସ୍ତ ବ୍ୟାଙ୍କ ଓ ଏଟିଏମଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବାକୁ ସ୍ୱାଭାବିକ କରାଯିବ। ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ଭ୍ରାମ୍ୟମାଣ ଏଟିଏମ ଏବଂ ପିଓଏସ୍ ମେସିନ ସୁବିଧା ଉପଲବ୍ଧ କରାଯିବ। ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ।

‘ଫନି’ ଉପାଡ଼ି ଦେଲା ଗଛ – ଜଙ୍ଗଲରେ ୯ ଲକ୍ଷ, ଜଙ୍ଗଲ ବାହାରେ ୫ ଲକ୍ଷ ଗଛ ନଷ୍ଟ

ଭୟଙ୍କର ବାତ୍ୟା ‘ଫନି’ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବ୍ୟାପକ ଗଛ ନଷ୍ଟ କରିଛି। ନୂଆ କରି ରୋପଣ କରାଯାଇଥିବା ଚାରା, ୨୦ଟି ଜଙ୍ଗଲର ଭିତ୍ତିଭୂମି ଓ ବନ୍ୟପ୍ରାଣୀ ଶାଖାରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ଜଣାପଡ଼ିଛି।

‘ଫନି’ ପ୍ରଭାବିତ ଓଡ଼ିଶାର ପୁନର୍ଗଠନ ପାଇଁ ଓ୍ୱେବସାଇଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘ଫନି’ ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ rebuild.odisha.gov.in ନାଁରେ ଓ୍ୱେବସାଇଟ୍ ଉଦଘାଟନ କରିଛନ୍ତି। ବାତ୍ୟା ପୀଡ଼ିତଙ୍କ ପାଇଁ ଯେଉଁମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଏହି ଓ୍ୱେବସାଇଟ୍ ମାଧ୍ୟମରେ ଦାନ ଦେଇ ପାରିବେ।ଓଡ଼ିଶାକୁ ପନର୍ଗଠନ କରିବାର ଆହ୍ୱାନ ଦେଇ ଏହି ଓ୍ୱେବସାଇଟ୍ ଉନ୍ମୋଚନ କରାଯାଇଛି।

ମେ’ ୨୧ରେ ଖୋଲିବ ନନ୍ଦନକାନନ

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଗତ ୨ ତାରିଖରୁ ବନ୍ଦ କରାଯାଇଥିଲା। ତେବେ ଆସନ୍ତା ୨୧ ତାରିଖରେ ନନ୍ଦନକାନନ ଖୋଲିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଏସ୍‌ କେ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଫନି ପରେ ବିଏମ୍‌ସିକୁ ଆବର୍ଜନା ସଫେଇ ଚିନ୍ତା

ସାମୁଦ୍ରିକ ଝଡ଼ ଫନିପରେ ଯେମିତି ରାଜଧାନୀର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ଯେଉଁଠି ଦେଖିବେ ସବୁଠି ଅଳିଆ ଓ ଆବର୍ଜନା। ତେବେ ପୂରା ରାଜଧାନୀରୁ କେମିତି ଯୁଦ୍ଧାକାଳୀନ ଭିତ୍ତିରେ ଅଳିଆ ଆବର୍ଜନା ସଫାକରାଯିବ ତାହା ବିଏମସି ଲାଗି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ଫନି ପରଠୁ ବିଏମସିର ସମସ୍ତ କର୍ମଚାରୀ ସଫେଇ କାମରେ ଲାଗିଛନ୍ତି।

ବାତ୍ୟା ‘ଫନି’ରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ରାଜ୍ୟରେ ବାତ୍ୟା ‘ଫନି’ରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ସରକାରୀ ହିସାବ ଅନୁଯାୟୀ ପୂର୍ବରୁ ବାତ୍ୟା ‘ଫନି’ରେ ୪୧ ଜଣଙ୍କ ମୃତ୍ୟ ହୋଇଥିବା ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଆଉ ୨ଜଣଙ୍କ ମୃତ ଦେବ ମିଳିଥିବା ନେଇ ଏସ୍ଆରସି ପକ୍ଷରୁ ସୂଚନା ଦିଆଯାଇଛି।

ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀମନ୍ଦିର ମରାମତି କାମ, ୩ ଦିନ ଭିତରେ ଖୋଲିବ କୋଣାର୍କ

‘ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀମନ୍ଦିରର ମରାମତି କାମ। ଏପଟେ ଆଉ ୩ ଦିନ ଭିତରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ।’’ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ଡିଜି ଉଷା ଶର୍ମା ଉଭୟ ଶ୍ରୀମନ୍ଦିର ଏବଂ କୋଣାର୍କର ସ୍ଥିତି ସମୀକ୍ଷା କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି।

Comment