ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ  ଉଠୁଛି ପଡ଼ୁଛି ଭୋଟ୍ ଗଣତି କେନ୍ଦ୍ର। ପ୍ରାର୍ଥୀଙ୍କ ଛାତି ଧଡ୍ ଧଡ୍ ହେଉଛି। କିଏ ଜିତିବେ ହାରିବେ କହିବା ମୁସ୍କିଲ୍। କିନ୍ତୁ ତା’ ଭିତରେ ଆଉ ଗୋଟିଏ ଦିଗ ହେଲା ଅନେକ ଭୋଟର୍ ସେମାନଙ୍କର ମନପସନ୍ଦର ଭୋଟ୍ ନ ପାଇ ନୋଟା ବଟନ୍ ଟିପିଛନ୍ତି। ଏହି ତାଲିକାରେ ନବରଙ୍ଗପୁର ସବୁଠୁ ଆଗରେ ରହିଛି।

ନବରଙ୍ଗପୁର ଦିନ ୧୨ଟା ସୁଦ୍ଧା ଭାରତୀୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୧୭,୧୫୨ ନୋଟା ଭୋଟ୍ ପଡ଼ିଛି।

ତା’ ପଛକୁ ରହିଛି କୋରାପୁଟ। ସେଠାରେ ୬୪୧୨ ଭୋଟର୍ ନୋଟା ବଟନ୍ ଚିପିଛନ୍ତି। ସେହିପରି କେନ୍ଦୁଝରରେ ୩୪୬୭, ଢେଙ୍କାନାଳରେ ୨୩୨୪ ଏବଂ ଆସିକାରେ ୨୧୫୯ ଜଣ ଭୋଟର୍  କୌଣସି ପ୍ରାର୍ଥୀଙ୍କୁ ନବାଛି ନୋଟା ବାଛିବାକୁ ପସନ୍ଦ କରିଛନ୍ତି।

ଆସନ୍ତୁ ନଜର ପକାଇବା ଓଡ଼ିଶାର ଅନ୍ୟ ଲୋକସଭା ଆସନଗୁଡ଼ିକ ଭିତରେ କେଉଁଠି କେତେ ନୋଟା ଭୋଟ୍ ପଡ଼ିଛି।

ଭୁବନେଶ୍ୱର – ୮୧୪। ପୁରୀ -୬୨୬। କେନ୍ଦ୍ରାପଡ଼ା- ୨୨୭। ବାଲେଶ୍ୱର – ୪୪୦। ବରଗଡ଼ – ୧୭୭୩। ବ୍ରହ୍ମପୁର – ୧୬୮୭। ଭଦ୍ରକ- ୨୭୭। ବଲାଙ୍ଗିର- ୧୬୬୧। କଟକ – ୪୦୬। ଜଗତ୍ସିଂହପୁର – ୨୭୬। ସମ୍ବଲପୁର – ୧୯୭୨। ସୁନ୍ଦରଗଡ଼ – ୧୦୯୨। ଯାଜପୁର – ୧୬୪୭। କଳାହାଣ୍ଡି – ୧୬୩୭ ଏବଂ କନ୍ଧମାଳ – ୧୮୯୭।

ନବରଙ୍ଗପୁରରେ ଏତେ ନୋଟା କାହିଁକି?

ନବରଙ୍ଗପୁର ଲୋକସଭା ଆସନରେ ତୁଳନାତ୍ମକ ଭାବେ ସର୍ବାଧିକ ନୋଟା ଭୋଟ୍ ପଡ଼ିଛି। ଏହା ଦ୍ବିତୀୟ ସ୍ଥାନରେ ଥିବା କୋରାପୁଟରେ ପ୍ରାୟ ୩ ଗୁଣ। ତେବେ ଗୋଟିଏ ଆସନରେ ଏତେ ସଂଖ୍ୟାରେ ଭୋଟର୍ କୌଣସି ପ୍ରାର୍ଥୀଙ୍କୁ ନ ବାଛି ନୋଟା ବଟନ୍ ଟିପିବା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ନବରଙ୍ଗପୁରରେ ଚାରି ମାଝୀଙ୍କ ଭିତରେ ହେଉଛି ଲଢ଼ାଇ। ବିଜେଡିର ରମେଶ ଚନ୍ଦ୍ର ମାଝୀ, ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଏବଂ ତାଙ୍କ ସାଙ୍ଗକୁ ବହୁଜନ ସମାଜପାର୍ଟିର ଚନ୍ଦ୍ରଧ୍ୱଜ ମାଝୀ।

ନିର୍ବାଚନ କମିଶନଙ୍କ ବ୍ୟବସ୍ଥା ଅନୁଯାୟୀ ଇଭିଏମ୍ ମେସିନରେ ପ୍ରତି ପ୍ରାର୍ଥୀଙ୍କ ନାଁ ଏବଂ ସଙ୍କେତ ରହିଥାଏ।  ସେହିପରି ଇଭିଏମ୍ ମେସିନରେ ଏକ ନୋଟା (ନନ୍ ଅଫ୍ ଦ ଏବଭ୍) ବଟନ୍ ରହିଛି। କୌଣସି ଭୋଟର୍ ଯଦି ଲଢ଼େଇ କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କାହାକୁ ବି ବାଛିବାକୁ ଚାହୁଁନାହାନ୍ତି ତେବେ ସେ ନୋଟା ବୋତାମ ଚିପି ତାଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରିବେ।

Comment