ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ ଲୁଟ୍ ବେଳେ ସାହସ ଦେଖାଇଛନ୍ତି ଜଣେ ମହିଳା। ଲୁଟେରାଙ୍କ ସହ ଲଢ଼ି ତାକୁ କାବୁ କରି ପୋଲିସ ଜିମା ଦେବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଚେନ୍ ଲୁଟେରାଙ୍କ ସହ ଲଢ଼ିଥିବା ମହିଳା ଜଣକ ହେଲେ ବିନୋଦିନୀ ମହାପାତ୍ର। ସେ କଳାପଥର ଡିଗ୍ରୀ କଲେଜରେ ଅଧ୍ୟକ୍ଷା ଭାବେ ଚାକିରି କରିଛନ୍ତି।

ସୋମବାର ସକାଳେ ବିନୋଦିନୀ ତାଙ୍କ ସ୍ୱାମୀ ମହେଶ୍ୱର ମହାପାତ୍ରଙ୍କ ସହ ବାଇକରେ ଖୋର୍ଦ୍ଧାରୁ କଳାପଥର ଅଭିମୁଖେ ଯାଉଥିଲେ। ଏହି ସମୟରେ ଖୋର୍ଦ୍ଧାଠାରୁ ଜଣେ ଯୁବକ ଆଉ ଏକ ବାଇକରେ ବିନୋଦିନୀଙ୍କ ବାଇକକୁ ପିଛା କରିଥିଲା। ହେଲେ ସେ ଯୁବକ କେଉଁ ଉଦ୍ଦେଶ୍ୟ ନେଇ ଆସୁଛି ତାହା ଜାଣିପାରି ନଥିଲେ ବିନୋଦିନୀ ଏବଂ ତାଙ୍କ ସ୍ୱାମୀ।

ଖୋର୍ଦ୍ଧା ଜିଲ୍ଲାର ବାଘମାରୀ-ସମୋର ରାସ୍ତାର ଏକ ନିଛାଟିଆ ଜାଗାରେ ଯୁବକ ଜଣକ ବିନୋଦିନୀ ଏବଂ ତାଙ୍କ ସ୍ୱାମୀ ଯାଉଥିବା ବାଇକକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲେ। ଓଭରଟେକ୍ କରିବା ବେଳେ ବିନୋଦିନୀ ପିନ୍ଧିଥିବା ସୁନା ଚେନ୍ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ।

ଚେନ୍ ଛିଣ୍ଡାଇବାକୁ ଉଦ୍ୟମ କରିବା ବେଳେ ବିନୋଦିନୀ ଗାଡ଼ି ଉପରେ ବସି ସେହି ଯୁବକକୁ ସାହସର ସହ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ଯୁବକ ଜଣକ ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ତଳୁ ଉଠି ଯୁବକ ଜଣକ ଗାଡ଼ି ନେଇ ଖସିଯିବାକୁ ଚେଷ୍ଟା କରିବା ବେଳେ ବିନୋଦିନୀ ତାଙ୍କ ବାଇକ ଚାବି ହାତକୁ ନେଇ ଯାଇଥିଲେ।

ଶେଷରେ ଚେନ୍ ଲୁଟ୍ କରୁଥିବା ଯୁବକ ଏବଂ ବିନୋଦିନୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାସ୍ତାରେ ଜଣେ ମହିଳା ଏବଂ ଯୁବକ ଧସ୍ତାଧସ୍ତି ହେଉଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୁଟ୍ କରୁଥିବା ଯୁବକକୁ କାବୁ କରି ବାଘମାରୀ ଫାଣ୍ଡି ଜିମା ଦେଇଥିଲେ।

ବିନୋଦିନୀ ଏନେଇ ବାଘମାରୀ ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ଚେନ ଲୁଟେରାକୁ ଗିରଫ କରିଛି

Comment