ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକରେ ହେବ ଭୂତଳ ଆବର୍ଜନା ଗଦା
  • ପ୍ରତି ୱାର୍ଡରେ ୨ଟି ଲେଖାଏଁ ପଏଣ୍ଟ୍ ହେବ
  • ହାଇଡ୍ରୋଲିକ୍ ବ୍ୟବସ୍ଥାରେ ଉଠିବ ଆବର୍ଜନା

କଟକ: ଅସନା ସହର କଟକ। ଏହା ପ୍ରମାଣ କରିଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮। ଭାରତରେ ତାଲିକାଭୁକ୍ତ ସହର ମଧ୍ୟରେ କଟକ ୪୦୨ ନମ୍ବର ସ୍ଥାନରେ ରହିଥିଲା

ସର୍ବେକ୍ଷଣ କରିବାକୁ ଆସିଥିବା ଟିମ୍ ସହର ବୁଲି ଯାହା ଆଖିରେ ଦେଖିଲେ, ତାକୁ ରେକର୍ଡ ବି କରିଥିଲେ। ଚାରିଆଡେ କୁଢକୁଢ ଆବର୍ଜନାର ଦୃଶ୍ୟ ସର୍ବେକ୍ଷଣରେ ସହର ମର୍ଯ୍ୟାଦା ହାନୀ କରିଥିଲା। କିନ୍ତୁ ଆଗକୁ କଟକ ସହରକୁ ଏ ପରିସ୍ଥିତିର ମୁକାବିଲା କରିବାକୁ ପଡିବନାହିଁ।

ନା କେଉଁଠି ଆବର୍ଜନା ଗଦା ଦେଖିବାକୁ ମିଳିବ ନା ଏଥିଯୋଗୁଁ କେହି ନାକ ଟେକିବେ। କାରଣ ଖୁବ୍ ଶୀଘ୍ର କଟକରେ ଭୂତଳ ଆବର୍ଜନା ଗଦା କରିବାକୁ ଯୋଜନା କରାଯାଇଛି। ୱାର୍ଡ ପିଛା ୨ଟି ଭୂତଳ ଆବର୍ଜନା ପଏଣ୍ଟ୍ ପ୍ରତିଷ୍ଠା କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି।

ଆବର୍ଜନା ଉଠାଣ ଓ ପରିଚାଳନା ଏବେ କଟକ ସହରର ମୁଖ୍ୟ ସମସ୍ୟା। ଏ ନେଇ କଟକ ମହାନଗର ନିଗମ(ସିଏମ୍‌ସି) ମଧ୍ୟ ବିଶେଷ ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହିଁ। ପ୍ରାୟ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ପରିମଳ ଟେଣ୍ଡର ଚୂଡାନ୍ତ ହୋଇପାରୁନାହିଁ। ତେବେ ଏ କ୍ଷେତ୍ରରେ ସହରବାସୀ ପରିମଳ ଜନିତ ସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି।

ବିଶେଷକରି ସହରରେ ଆବର୍ଜନା ଡମ୍ପିଂ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ୱାର୍ଡ ପିଛା ଆବଶ୍ୟକ ତୁଳନାରେ ସଫେଇ କର୍ମଚାରୀ ଓ କୁଲି ନଥିବାରୁ ଆବର୍ଜନା ଉଠାଣରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏ ଦିଗରେ ସ୍ଥାୟୀ ପ୍ରତିକାର କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି।

କଟକ ସହରର ୫୯ଟି ୱାର୍ଡକୁ ୨ଟି ଲେଖାଏଁ ଭୂତଳ ଆବର୍ଜନା ପଏଣ୍ଟ ପ୍ରତିଷ୍ଠା କରିବାକୁ ପ୍ରଶାସନ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜିଲ୍ଲାପାଳଙ୍କ ଆବାସିକ ଅଧିକାରୀ ପ୍ରବୋଧ  କୁମାର ରାଉତ ପ୍ରକାଶ କରିଛନ୍ତି।

ଯୋଜନା ମୁତାବକ, ସଫେଇ କର୍ମଚାରୀ କିମ୍ବା ବ୍ୟକ୍ତିବିଶେଷ ସ୍ତରରେ ୱାର୍ଡର ଏହି ଦୁଇ ଭୂତଳ ଆବର୍ଜନା ପଏଣ୍ଟକୁ ଅଳିଆ ପକାଇବା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏଠାରେ ଆବର୍ଜନା ପକାଇଲେ ଅଳିଆଗୁଡିକ ରାସ୍ତା ଉପରେ ନପଡି ଭୂତଳକୁ ଖସିଯିବ।

ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ହାଇଡ୍ରୋଲିକ୍ ହେବ। ଅର୍ଥାତ୍ ଏହା ସୁଇଚ୍ ଦ୍ୱାରା ନିୟନ୍ତ୍ରଣ କରାଯିବ। ଗୋଟିଏ ସୁଇଚ୍ ଚିପିବା ମାତ୍ରେ ହାଇଡ୍ରୋଲିକ୍ ବ୍ୟବସ୍ଥା ଦ୍ୱାରା ଆବର୍ଜନାଗୁଡିକ ଉପରକୁ ଉଠି ଆସିବ। ଯାହାଫଳରେ ଏହାକୁ ଟ୍ରାକ୍ଟର ସହାୟତାରେ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିବ।

ବେଙ୍ଗାଳୁରୁ ସହରରେ ଏହି ବ୍ୟବସ୍ଥାରେ ଆବର୍ଜନା ପରିଚାଳନା କରାଯାଉଛି। ଏହି ବ୍ୟବସ୍ଥାକୁ ଅନୁସରଣ କରି କଟକରେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ସିଏମ୍‌ସିର ସହଯୋଗ ନେବ।

ଆସନ୍ତା କିଛି ମାସ ମଧ୍ୟରେ ଏହି ଯୋଜନାକୁ ରୂପରେଖ ଦେବାକୁ ଆପାତତଃ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅନ୍ତତଃପକ୍ଷେ ସହରରେ ଆବର୍ଜନା ଖୋଲାଜାଗାରେ ପଡିବନାହିଁ। ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ଲୋକେ ମୁକ୍ତି ପାଇପାରିବେ। ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ। ତେବେ ଏହି ବ୍ୟବସ୍ଥା ଲାଗୁ ହେଲେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ କଟକ ସହରର ମାନ ବୃଦ୍ଧି ପାଇବ।

Comment