ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ବସ୍‌ ନାଳକୁ ଖସି ପଡ଼ିଛି। ଏହି ଘଟଣାରେ ୨୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ପାଖାପାଖି ୪.୩୦ ବେଳେ ବସ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ନାଳ ଭିତରକୁ ଖସି ପଡ଼ିଥିଲା। ବସ୍‌ଟିରେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣାର ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା।

ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାତ୍ରୀଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିବା ସହ ଯଖା ସମ୍ଭବ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment