ଓଡ଼ିଶାଲାଇଭ ବ୍ୟୁରୋ

  

ବର୍ଡରରେ ଯବାନମାନଙ୍କୁ ସହଯୋଗ କରିବ ରୋବର୍ଟ। ଏମତି ଏକ ନୂଆ ଉଦ୍ଭାବନ କରିଛନ୍ତି ବାଲେଶ୍ଵର ପୁଅ ନୀଳମାଧବ ବେହେରା। ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ନୀଳମାଧବ ପ୍ରାୟ ବର୍ଷେ ହେବ ଗବେଷଣା କରି ‘ରୋବର୍ଟିକ ସୋଲଜର’ ତିଆରି କରି ଚର୍ଚ୍ଚାରେ ରହିଛନ୍ତି।

ତାଲାନଗର ଜୁନିଅର କଲେଜର ଛାତ୍ର ନୀଳମାଧବ ୨୦୧୬  ଜୁନରେ ଏହି ରୋବର୍ଟ ତିଆରି ଆରମ୍ଭ କରିଥିଲେ। ଏକ ବର୍ଷ ଧରି ତିଆରି ହୋଇଥିବା ରୋବର୍ଟ ପାଇଁ ସେ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାର ଉଚ୍ଚତା ୪ ଫୁଟ ୭ ଇଞ୍ଚ ଓ ଓଜନ ୩୦ କିଲୋଗ୍ରାମ। ଏହି ରୋବର୍ଟରେ ଲାଗିଛି ୧୪ଟି ସେନ୍ସର। ନିଳମାଧବ ତିଆରି କରିଥିବା ଏହି ମାନବ ଆକୃତିର ରୋବର୍ଟର ନାମ ଆଟୋମ ୩.୭ ରଖିଛନ୍ତି। ଏହା ସୀମାରେ ଯବାନଙ୍କୁ ସାହାଯ୍ୟ କରିବା ସହ ମନୋରଞ୍ଜନ, ଶିକ୍ଷା ଓ ବିଭିନ୍ନ ଘରୋଇ କାର୍ଯ୍ୟ କରିପାରିବ ବୋଲି ନିଳମାଧବ ଦାବି କରିଛନ୍ତି। ଏହା ଦିଆଯାଇଥିବା ଆଦେଶ ହିସାବରେ କାର୍ଯ୍ୟ କରେ।

ପିଲାବେଳୁ ବିଜ୍ଞାନରେ ରୁଚି ରଖୁଥିବା ନୀଳମାଧବ ସବୁବେଳେ ବିଜ୍ଞାନ ସହ ଜଡ଼ିତ ଖେଳନା ପ୍ରତି ଆକର୍ଷିତ ହୁଅନ୍ତି। ତୃତୀୟ ଶ୍ରେଣୀରୁ ସେ ବିଭିନ୍ନ ବିଜ୍ଞାନ ସମ୍ପର୍କୀୟ କାର୍ଯ୍ୟରେ ଲାଗିପଡ଼ିଥିଲେ। ରୋବଟ ତିଆରି କରିବାର ପ୍ରଥମ ଚେଷ୍ଟା ଷଷ୍ଠ ଶ୍ରେଣୀରେ କରିଥିଲେ ଯାହାକି ବିଫଳ ହୋଇଥିଲା।

ତାଙ୍କର ଏଭଳି କାର୍ଯ୍ୟରେ ରୁଚି ଦେଖି ତାଙ୍କ ବାପା ପ୍ରଥମେ ଏସବୁକୁ ବିଶ୍ଵାସ କରୁନଥିଲେ। ହେଲେ ନୀଳମାଧବଙ୍କ ଇଚ୍ଛା ଆଗରେ ସବୁ ହାର ମାନିଯାଇଥିଲା। ଇଣ୍ଟରନେଟ ମାଧ୍ୟମରେ ନିଜ ଜ୍ଞାନକୁ ସେହି କ୍ଷେତ୍ରରେ ବିସ୍ତାର କଲେ। ଶେଷରେ ତାଙ୍କ ପରିଶ୍ରମ ଓ ସଫଳତା ଦେଖି ତାଙ୍କ ବାପା ଅର୍ଥ ସହାୟତା କରିଥିଲେ।

ଏହିଭଳି ଉନ୍ନତ ବୈଜ୍ଞାନିକ ଉପକରଣ ତିଆରି କରିବାରେ ଅନେକ ଅର୍ଥ ଖର୍ଚ୍ଚ ହୁଏ। ସେ ରୋବୋର୍ଟିକରେ ଉଚ୍ଚଶିକ୍ଷା ହାସଲକରିବାକୁ ଚାହୁଁଛନ୍ତି। ଏହାପରେ ସେ ଭବିଷ୍ୟତରେ ମହିଳାମାନଙ୍କ ସୁରକ୍ଷା ପାଇଁ ଡ୍ରୋନର ନିର୍ମାଣ କରିବେ ବୋଲି କହିଛନ୍ତି।

Comment