ଓଡ଼ିଶାଲାଇଭ ବ୍ୟୁରୋ

ଦେଶର ୧ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ଵାନି ୧୧ ବର୍ଷ ହେଲା ତାଙ୍କ ଦରମା ବଢ଼ାଇ ନାହାନ୍ତି। ଅମ୍ଵାନି ବର୍ଷକୁ ୧୫କୋଟି ଟଙ୍କା ଦରମା ନେଉଛନ୍ତି।୨୦୦୮-୦୯ ଆର୍ଥିକ ବର୍ଷରେ ମୁକେଶ ତାଙ୍କ ଦରମା, ଭତ୍ତା ଓ କମିସନ ବାବଦକୁ ୧୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଅଧିକ ଦରମା କମ୍ପାନୀରୁ ନେଉଥିଲେ। ଏହାକୁ ନେଇ ଅନେକ ବିବାଦ ହେବାରୁ ସେହି ସମୟରୁ ମୁକେଶ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ମୁକେଶ ନେଉଥିବା ୧୫ କୋଟି ଦରମାରୁ ଭତ୍ତା ବାବଦକୁ ୪.୪୫ କୋଟି, କମିସନ ବାବଦକୁ ୯.୫୩ କୋଟି, ସୁବିଧା ବାବଦକୁ ୩୧ଲକ୍ଷ ଓ ଅବସରକାଳୀନ ବାବଦରେ ୭୧ଲକ୍ଷ ଟଙ୍କା ନେଉଛନ୍ତି। ମାତ୍ର ରିଲାନ୍ସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦରମା ବଢ଼ିଚାଲିଛି। ମୁକେଶଙ୍କ ସମ୍ପର୍କୀୟ ନିଖିଳ ଆର ମେସଓ୍ଵାନି ଓ ହିତଲ ଆର ମେସଓ୍ଵାନିଙ୍କ ଦରମା ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ କୋଟି ୫୭ ଲକ୍ଷକୁ ବୃଦ୍ଧି ପାଇଛି।

ମୁକେଶଙ୍କ ପତ୍ନୀ ନୀତା ଅମ୍ଵାନି ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଦରମା ୧ କୋଟି ୬୫ ଲକ୍ଷ ଲେଖାଏଁ ବୃଦ୍ଧି ପାଇଛି। ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ  ୨୦୧୮ ଅକ୍ଟୋବର ୧୭ରୁ ରିଲାଏନ୍ସରେ ଯୋଗ ଦେଇଛନ୍ତି। ସେହି ଅନୁସାରେ ଗତ ଆର୍ଥିକ ବର୍ଷରେ ତାଙ୍କୁ ୭୫ ଲକ୍ଷ କମିସନ ମିଳିଛି।

ମୁକେଶ, ମେସଓ୍ଵାନି ଭ୍ରାତାଙ୍କ ସମେତ ପ୍ରସାଦ ଓ କପିଲ କମ୍ପାନୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ନୀତା ଅମ୍ଵାନି ଓ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସମେତ ମାନସିଂହ ଏଲ ଭକ୍ତ, ଯୋଗେନ୍ଦ୍ର ପି ତ୍ରୀବେଦି, ଦିପକ ସି ଜୈନ, ରଘୁନାଥ ଏ ମାସେଲକର ଆଦି ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି।

Comment