ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନର ନିଦ ହଜିଯାଇଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି। ଫଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଚଳିତ ହୋଇ ଟୁଇଟରରେ ଭାରତ ସରକାର ଉପରେ ମିଛ ଅଭିଯୋଗ ଲଗାଇ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି।

ଇମ୍ରାନ ଖାନ୍‌ ଟୁଇଟରେ କହିଛନ୍ତି, ”କଶ୍ମୀରରେ କର୍ଫ୍ୟୁ ଜାରି ରହିଛି ଓ ସେଠାରେ ଲୋକମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। କଶ୍ମୀରର ସ୍ଵାଧିନତା ଛଡ଼ାଇ ନିଆଯାଉଛି। ବିଶ୍ଵର ନେତାମାନେ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ।”

ଇମ୍ରାନ ଖାନ ଏବେ ଟୁଇଟରରେ ସମଗ୍ର ଦୁନିଆକୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି। ରୁଷ, ଆମେରିକା ଓ ଚୀନ ପରି ଦେଶ ଏଥି ପ୍ରତି ରୁଚି ନଦେଖାଇବାରୁ ବିଚଳିତ ଇମ୍ରାନ ଖାନ ଏବେ ଆରଏସଏସ ଉପରେ ମଧ୍ୟ ନିଜର କ୍ରୋଧ ଜାହିର କରିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି। ଜମ୍ମୁରେ ସ୍କୁଲ, କଲେଜ ମଧ୍ୟ ଖୋଲି ଯାଇଛି। ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କାମ ଆରମ୍ଭ ହୋଇ ଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ବକରିଦକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରିଛନ୍ତି। କଶ୍ମୀର ବିଷୟରେ ପୂରା ଦୁନିଆରେ ଏକ ଘରିଆ ହେବା ପରେ  ପାକିସ୍ତାନ ଏବେ ଭାରତ ଉପରେ ମିଛ ଅଭିଯୋଗ କରିବାରେ ଲାଗିଛି।

Comment