ଡକ୍ଟର ହରିହର କାନୁନ୍‌ଗୋ

 ଉଚ୍ଚଶିକ୍ଷା ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୩)

ପୁରାତନ ଛାତ୍ରସଂସଦ ମାଧ୍ୟମରେ କିମ୍ବା କଲେଜର ଅଧ୍ୟକ୍ଷ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କର ସରକାରୀ-ବେସରକାରୀ-ବିଭିନ୍ନ କମ୍ପାନିରେ ନିଯୁକ୍ତି ବା ଆତ୍ମନିଯୁକ୍ତି ସମ୍ବନ୍ଧୀୟ ତଥ୍ୟର ସଠିକ୍ ବିବରଣୀ ସଂଗ୍ରହ କରି ପ୍ରତିବର୍ଷ ପୁସ୍ତିକା ଆକାରରେ ବା କଲେଜ କ୍ୟାଲେଣ୍ଡରରେ ବା ପତ୍ରିକାରେ ପ୍ରକାଶ ପାଇବା ଉଚିତ୍। ଫଳରେ ପୁରାତନ ଓ ନୂତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି ହେବା ସଙ୍ଗେସଙ୍ଗେ ସେମାନଙ୍କୁ ଜୀବିକାର୍ଜନର ପ୍ରେରଣା ଯୋଗାଇବ।

ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ଶିକ୍ଷା ଦିଆଯାଉ

ବର୍ତ୍ତମାନର ଶିକ୍ଷା ଜୀବିକାର୍ଜନର ଶିକ୍ଷା ହେଉ। ବୃତ୍ତିରେ ସହାୟକ ହେଲାଭଳି ଶିକ୍ଷାଦାନର ଆବଶ୍ୟକତା ରହିଛି। ମାତୃଭାଷା ଓଡ଼ିଆ ଏବଂ ଇଂରାଜୀ ବିଷୟ ସହିତ ନିଜ ମନପସନ୍ଦର ବୃତ୍ତିଭିତ୍ତିକ ଦୁଇଟି ବିଷୟ ପଢ଼ିବାର ସୁଯୋଗ ସୃଷ୍ଟିକରାଯାଉ। ଫଳରେ ପାଠପଢ଼ା ଶେଷରେ ନିଯୁକ୍ତି ବା ଆତ୍ମନିଯୁକ୍ତି ପାଇପାରିବ। ଏହା ବ୍ୟତୀତ ନିଜ ଜୀବନକୁ ପ୍ରଭାବିତ କଲାଭଳି ନୈତିକ ମୂଲ୍ୟବୋଧ ଆଧାରିତ ଇତିହାସ, ସାହିତ୍ୟ, ସଂସ୍କୃତି, ଧର୍ମ, ଦର୍ଶନ, ପରମ୍ପରା, ବିଜ୍ଞାନ, ବାଣିଜ୍ୟ ତଥା ଅନ୍ୟାନ୍ୟ ବିଷୟ ସମ୍ବନ୍ଧୀୟ ଶିକ୍ଷାଦାନର ବ୍ୟବସ୍ଥା କରାଯାଉ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ- ‘Education should be made self supporting through some productive work. Education should lead to economic independence and self reliance for livelihood.’ ଅର୍ଥାତ୍- ଶିକ୍ଷା ନିଜକୁ ସ୍ୱୟଂସିଦ୍ଧ, ଆତ୍ମନିର୍ଭରଶୀଳ କରିବା ସଙ୍ଗେସଙ୍ଗେ ଆର୍ଥିକ ସ୍ୱଚ୍ଛଳତା ସହିତ ଜୀବିକା ନିର୍ବାହରେ ସହାୟକ ବା ଫଳପ୍ରଦ ହୋଇପାରିବ।

କଲେଜରେ ଛାତ୍ର-ଶିକ୍ଷକ ଅନୁପାତ ହାର ଠିକ୍ ରହିଲେ ଶିକ୍ଷକର ଗୁଣାତ୍ମକ ଶିକ୍ଷାଦାନର ମାନ ବୃଦ୍ଧିରେ ସହାୟକ ହେବ। ଗୋଟିଏ ଶ୍ରେଣୀ ଗୃହରେ ଅନ୍ୟୁନ ୧୨୮ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ସେମାନଙ୍କ ଉପସ୍ଥାନ ଖାତାରେ ଗୋଟି ଗୋଟି ଡାକିଲେ ଅନ୍ୟୁନ ୧୦ରୁ ୧୫ ମିନିଟ୍ ସମୟ ଲାଗିବ। ୪୫ ମିନିଟ୍‌ରୁ ୧୫ ମିନିଟ୍ ଚାଲିଗଲେ ବାକି ୩୦ ମିନିଟ୍ ପାଠ ପଢ଼ାଇବା ପର୍ଯ୍ୟାପ୍ତ ନୁହେଁ କି ତା’ର ଅଗ୍ରଗତି ସମ୍ଭବପର ନୁହେଁ। ତେଣୁ ଟ୍ୟୁଟରିଆଲ୍ କ୍ଲାସ ଭଳି ୧୨୮ ପିଲାଙ୍କୁ ଦୁଇ ଭାଗ କରାଯାଉ କିମ୍ବା ୪୫ ମିନିଟ୍ ପରିବର୍ତ୍ତେ ୬୦ ମିନିଟ୍ କରାଯାଉ।

ଅଧ୍ୟକ୍ଷ ଶ୍ରେଣୀ ଗୃହରେ ଲାଗିଥିବା ସିସି ଟିଭି କ୍ୟାମେରା, କ୍ୟାମ୍ପସ୍‌ରେ ଶୃଙ୍ଖଳା, ବାହାର ଅପରାଧୀ ବା ଅଣଛାତ୍ର ଯେଭଳି ଅନୁପ୍ରବେଶ କରି ନପାରିବେ, ସେଥିପ୍ରତି କଡ଼ାକଡ଼ି ନିରୀକ୍ଷଣ କରାଯିବା ଆବଶ୍ୟକ। ଏହା ଦ୍ୱାରା ଶ୍ରେଣୀ ଗୃହରେ ଛାତ୍ର ଉପସ୍ଥାନ ଜାଣିହେବ। ସେହିପରି ଅଧ୍ୟକ୍ଷ, ଶିକ୍ଷକ ଓ କର୍ମଚାରୀ ଏଥିପ୍ରତି ତୀକ୍ଷ୍ଣ ନଜର ରଖିବା ସଙ୍ଗେସଙ୍ଗେ ସର୍ବଦା ସଜାଗ ରହିବା ଆବଶ୍ୟକ।

ପାଠାଗାରକୁ ଅଧିକରୁ ଅଧିକ ମାତ୍ରାରେ ଛାତ୍ର ଓ ଶିକ୍ଷକ ଯେଭଳି ବ୍ୟବହାର କରିପାରିବେ, ଅଧ୍ୟକ୍ଷ ସେଥିପ୍ରତି ସର୍ବଦା ଦୃଷ୍ଟିଦେବା ଆବଶ୍ୟକ ଓ ସେଥିପାଇଁ ପାଠାଗାରରେ ସିସି ଟିଭି କ୍ୟାମେରା ଶ୍ରେଣୀଗୃହ ଭଳି ଲଗାଯିବା ଜରୁରୀ। ଶିକ୍ଷକମାନେ ପାଠାଗାରକୁ କେତେ ମାତ୍ରାରେ ଓ କିଭଳି ଭାବରେ ବ୍ୟବହାର କରୁଛନ୍ତି, ତା’ର ହିସାବ ଅଧ୍ୟକ୍ଷ ରଖିବେ ଓ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅବଗତ କରାଇବେ ଏବଂ ଶେଷରେ ସିସିଆର୍‌ରେ ତା’ର ପ୍ରତିଫଳନ ହେବା ବାଞ୍ଛନୀୟ। ଅଧ୍ୟକ୍ଷ ଶିକ୍ଷକଙ୍କର ସିସିଆର୍ ଲେଖିଲାବେଳେ ଶିକ୍ଷାଦାନ ଓ ଶିକ୍ଷକର ମାନ ଉପରେ ଧ୍ୟାନ ଦେବେ।

ସେହିଭଳି ଶିକ୍ଷକର ଗବେଷଣା ଜ୍ଞାନ ଓ ମାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯେଉଁମାନେ ଭଲ ଶିକ୍ଷକ ଓ ଉଚ୍ଚକୋଟୀର ଗବେଷକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଓ ପଦୋନ୍ନତି ସର୍ବାଗ୍ରେ ଦିଆଯିବା ଆବଶ୍ୟକ। ଅଧ୍ୟାପକମାନଙ୍କର ସିସିଆର୍ ଲେଖିଲାବେଳେ ଆବଶ୍ୟକ ପଡ଼ିଲେ ଅଧ୍ୟକ୍ଷ ଗୋପନୀୟ ଭାବେ ଛାତ୍ରଛାତ୍ରୀଙ୍କଠାରୁ ଅଭିମତ ନେଇପାରିବେ; କିନ୍ତୁ ସିଧାସଳଖ ସମସ୍ତଙ୍କ ଗୋଚରରେ ପିଲାଙ୍କଠାରୁ ଅଭିମତ ନେଲେ ତାହା ଶିକ୍ଷକର ଆତ୍ମମର୍ଯ୍ୟାଦା ଉପରେ ଆଞ୍ଚ୍ ଆସିବ।

କଲେଜରେ ମାସକୁ ଥରେ ବା ଦୁଇଥର ବିଭିନ୍ନ ବିଭାଗରେ ପାଠଚକ୍ରର ଆୟୋଜନ କରାଯାଇ ନୀତି ନୈତିକତା ମୂଲ୍ୟବୋଧ ଆଧାରିତ ବକ୍ତବ୍ୟ ନିଜ ଅଧ୍ୟାପକ କିମ୍ବା ବାହାରର ବିଦ୍ୱାନ ବକ୍ତା ଓ ଗବେଷକମାନଙ୍କୁ ନେଇ ବ୍ୟବସ୍ଥା କରାଯିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଓ ନ ଦେବା ବିଷୟ ସେମାନଙ୍କ ଚରିତ୍ର ପଞ୍ଜିକାରେ ସ୍ଥାନିତ ହେବ। କାରଣ ପାଠ୍ୟଖସଡ଼ା ଅନୁସାରେ ବିଷୟ ଶିକ୍ଷାଜ୍ଞାନ ବିଦ୍ୟାର୍ଥୀଙ୍କୁ କୃତିତ୍ୱ ପ୍ରଦାନ କରିପାରେ; ମାତ୍ର ଭଲ ମଣିଷ ହେବାରେ ଏହା ସହାୟକ ହୋଇପାରେ ନାହିଁ। ତେଣୁ ଯୋଗ୍ୟ ଶିକ୍ଷକର ବ୍ୟକ୍ତିତ୍ୱର ପ୍ରଭାବ ଛାତ୍ର ଉପରେ ଯେ ପଡ଼ିଥାଏ, ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

ବିନମ୍ରତା ହିଁ ବିଦ୍ୟାର୍ଥୀ ବା ବିଦ୍ୟାଦାତାଙ୍କର ଭୂଷଣ ବା ସର୍ବୋଚ୍ଚ ଗୁଣ। ଅଧ୍ୟାପନା ଅପେକ୍ଷା ଗଭୀର ଅଧ୍ୟୟନ-ଅନୁଶୀଳନ ଓ ମୌଳିକ ଚିନ୍ତନ ହିଁ ବାସ୍ତବରେ ଯୋଗ୍ୟ ଶିକ୍ଷକର ମାପକାଠି। ପଢ଼ିବା କହିବା ଓ ଲେଖିବା ପ୍ରତ୍ୟେକ ଶିକ୍ଷକର ଜ୍ଞାନର ଗଭୀରତାର ପରିଚୟ ଦିଏ। ତେଣୁ ଯୋଗ୍ୟ ଶିକ୍ଷକଙ୍କୁ ଚିହ୍ନି ସମାଜରେ ଚିହ୍ନେଇ ଦେବାର ଆବଶ୍ୟକତା ଜରୁରୀ। 

ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଶିକ୍ଷା ପଦ୍ଧତିରେ ସଂସ୍କାର ଆବଶ୍ୟକ

ଓଡ଼ିଶାର ପ୍ରତି ଜିଲ୍ଲାରେ ଛତୁଫୁଟିଲା ଭଳି ଯେଉଁ ବେସରକାରୀ ଶିକ୍ଷାନୁଷ୍ଠାନ, ଆର୍ଥିକ ରୂପରେ ଅନିର୍ଭରଶୀଳ ଅନୁଷ୍ଠାନ (Self Financing Institution) ଓ ବେସରକାରୀ କୋଚିଂ ସେଣ୍ଟର ଆଦି ବ୍ୟବସାୟୀକ ଢଙ୍ଗରେ ଖୋଲାଯାଇଛି ବା ଯାଉଛି, ତା’ ଉପରେ ରୋକ୍ ବା କଟକଣା ଲାଗୁହେବା ଦରକାର। ସେଗୁଡ଼ିକୁ ପ୍ରଥମେ ପଞ୍ଜିକରଣ କରାଯାଇ ସେମାନଙ୍କ ଆୟବ୍ୟୟର ହିସାବ ବା ଅଡିଟ୍ ରିପୋର୍ଟ ଦାଖଲ କରିବାର ବ୍ୟବସ୍ଥା ରହୁ। ଶିକ୍ଷା ଟିକସ ଆଦାୟର ମଧ୍ୟ ବ୍ୟବସ୍ଥା ରହୁ। ପାଠ ପଢାଉଥିବା ଶିକ୍ଷକମାନଙ୍କ ଯୋଗ୍ୟତାର ବିବରଣୀ ସରକାରଙ୍କ ପାଖରେ ରହୁ। ଏହି ଅନୁଷ୍ଠାନ ଗୁଡ଼ିକର ସ୍ୱୀକୃତି ପ୍ରତି ତିନିବର୍ଷରେ ଥରେ ନବୀକରଣର ବ୍ୟବସ୍ଥା ରହୁ।

ବର୍ଷର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବର୍ତ୍ତମାନର ସେମିଷ୍ଟାର ପଦ୍ଧତିରେ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା କ୍ଷେତ୍ରରେ ଯେଉଁସବୁ ତ୍ରୁଟି-ବିଚ୍ୟୁତି ରହିଛି, ତା’ର ନିରାକରଣ ନିମନ୍ତେ ଅଭିଜ୍ଞ ଓ ବରିଷ୍ଠ ଶିକ୍ଷାବିତ୍ମାନଙ୍କୁ ନେଇ କର୍ମଶାଳାର ଆୟୋଜନ କରାଯାଇ ଏ ଦିଗରେ ବିହୀତ ପଦକ୍ଷେପ ନିଆଯାଉ।

ଅତଏବ ଶିକ୍ଷା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ପ୍ରଚଳିତ ଶିକ୍ଷା ପଦ୍ଧତିର ସଂସ୍କାର ଆବଶ୍ୟକ। ଯଦି ଉପରୋକ୍ତ ପ୍ରସ୍ତାବଗୁଡ଼ିକ ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ, ତେବେ ଏ ସଂକ୍ରାନ୍ତରେ ଏକ ବିଶେଷଜ୍ଞ କମିଟି ଦ୍ୱାରା ତା’ର ବିସ୍ତୃତ ଯୋଜନା ଓ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ। ଇଂରେଜ ଅମଳର କିରାଣୀ ପ୍ରସ୍ତୁତ ଶିକ୍ଷାପଦ୍ଧତିକୁ ପରିତ୍ୟାଗ କରି ଆମ ଭାରତୀୟ ବା ଦେଶୀୟ ଶିକ୍ଷାପଦ୍ଧତିର ପ୍ରଚଳନ ଓ ପ୍ରଚାର-ପ୍ରସାର ହେବା ଆବଶ୍ୟକ।

ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ

‘ସା ବିଦ୍ୟା ଯା ବିମୁକ୍ତୟେ’ – ଅର୍ଥାତ୍ ସେଇ ହେଉଛି ବିଦ୍ୟା, ଯିଏ ମୁକ୍ତି ଦିଏ- ଜ୍ଞାନ ଦିଏ- ବିବେକାନୁମୋଦିତ କର୍ମ କରିବା ପାଇଁ ପ୍ରେରଣା ଦିଏ। ମଣିଷର ଜ୍ଞାନ- ବିଚାର ନ ରହିଲେ ତାକୁ ପ୍ରକୃତ ଜ୍ଞାନୀ ବା ବିଦ୍ୟାର୍ଥୀ ବୋଲି କୁହାଯାଇପାରିବ ନାହିଁ। କାରଣ ବିଦ୍ୟାଠାରୁ ବଳି ମହାନ୍ ଧନ ଏ ସଂସାରରେ ନାହିଁ। ବିଦ୍ୟା ବା ପ୍ରକୃତ ଜ୍ଞାନକୁ କେହି ଚୋରାଇ ନେଇପାରେ ନାହିଁ। ଟଙ୍କା, ସୁନା, ରୂପା, ହୀରା ଓ ନୀଳା ଆଦି ମୂଲ୍ୟବାନ ବସ୍ତୁକୁ କେହି ଲୋଭରେ ହରଣକରି ନେଇପାରେ; କିନ୍ତୁ ବିଦ୍ୟାରୂପକ ଜ୍ଞାନକୁ କେହି ନେଇପାରନ୍ତି ନାହିଁ। ସେଇଥିପାଇଁ ବର୍ଣ୍ଣବୋଧରେ କୁହାଯାଇଛି- ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।’

ଶିକ୍ଷାୟତନ ହେଉଛି ମଣିଷ ତିଆରି କାରଖାନା ଓ ଶିକ୍ଷକ ତା’ର କାରିଗର

ବିଦ୍ୟାରୂପକ ପବିତ୍ର ଓ ଅମୂଳ୍ୟ ଧନକୁ ଯିଏ ନିଃସ୍ୱାର୍ଥପର ଭାବେ ଜୀବନବ୍ୟାପୀ ବାଣ୍ଟିଚାଲେ, ସେ ହିଁ ଶିକ୍ଷକ-ଅଧ୍ୟାପକ। ବିଦ୍ୟା ବା ଶିକ୍ଷା ବ୍ୟବସ୍ଥାର ମୁଖ୍ୟବିନ୍ଧାଣୀ ହେଉଛନ୍ତି ଶିକ୍ଷକ। ଶିକ୍ଷାୟତନ ହେଉଛି ମଣିଷ ତିଆରି କାରଖାନା ଓ ଶିକ୍ଷକ ତା’ର କାରିଗର। ସେଇଥିପାଇଁ ଆମ ଦେଶର ଶିକ୍ଷକ-ଶିକ୍ଷାବିତ୍-ଦାର୍ଶନିକ-କୂଟନୀତିଜ୍ଞ ଓ ସ୍ୱାଧୀନ ଭାରତର ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିବସକୁ ‘ଗୁରୁଦିବସ’ ଭାବରେ ସମଗ୍ର ଦେଶ ୧୯୬୨ ମସିହାରୁ ପ୍ରତିବର୍ଷ ପାଳନ କରିଆସୁଛି। ପ୍ରାଚୀନ ପୁରାଣଶାସ୍ତ୍ର ଓ ଧର୍ମଗ୍ରନ୍ଥରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ‘ଗୁରୁ’ ଭାବରେ ଯାହା ବର୍ଣ୍ଣନା କରାଯାଇଛି। ତାହା ସତ୍ୟ ଓ ଆମେ ବିଶ୍ୱାସର ସହିତ କାଳକାଳ ଧରି ମାନି ଆସିଛୁ ଓ ଏବେ ମଧ୍ୟ ମାନୁଛୁ।

ଏହାବ୍ୟତୀତ ପିତାଗୁରୁ-ମାତାଗୁରୁ-ଦୀକ୍ଷାଗୁରୁ-ଶିକ୍ଷାଗୁରୁ ଭାବେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଅନ୍ୟତମ ଶ୍ରେଷ୍ଠ ଗୁରୁଭାବେ ସ୍ୱୀକୃତ ଓ ସର୍ବଜନ ବିଦିତ। ତେଣୁ ପ୍ରାଚୀନ ଭାରତବର୍ଷର ଆତ୍ମା ହେଉଛି ଗୁରୁପରମ୍ପରା। ଗୁରୁବିନା ସବୁକିଛି ଅସମ୍ଭବ ଓ ଜୀବନ ମଧ୍ୟ ବ୍ୟର୍ଥ। ଅତୀତରେ ଭାରତବର୍ଷର ଭବିଷ୍ୟତ ତିଆରି ହେଉଥିଲା ଶିକ୍ଷାୟତନର ଶ୍ରେଣୀଗୃହରୁ। ମେଧାଚୟନ ଆପେଆପେ ହୋଇଯାଉଥିଲା। ଗୁରୁଙ୍କ ବିଚାର ଥିଲା ସେତେବେଳେ ନିରପେକ୍ଷ ଓ ସର୍ବଶ୍ରେଷ୍ଠ। କାରଣ ମେଧା ବା ପ୍ରତିଭା ଜନ୍ମଗତ; ମାତ୍ର କଳ-ବଳ-କୌଶଳରେ ତାହାକୁ ଆୟତ୍ତ କରାଯାଇପାରେ। ତେଣୁ ଜନ୍ମିତ ପ୍ରତିଭାର ପରିବର୍ତ୍ତନ କେବେ ସମ୍ଭବ ନୁହେଁ। ସ୍ୱତଃସ୍ପୂର୍ତ୍ତ ଭାବେ ପ୍ରତିଭାର ବିକାଶ ଯେତିକି ଫଳପ୍ରସୁ, ନିଜ ଅଧ୍ୟବସାୟ ସାଧନା ବଳରେ ଉଦ୍ୟମକରି ଶିକ୍ଷାଦାନ କରିବା ସେତିକି ଫଳପ୍ରଦ ନୁହେଁ। ପ୍ରତିଭା ହେଉଛି ଈଶ୍ୱରଦତ୍ତ; ମାତ୍ର ସାଧନା ମନୁଷ୍ୟକୃତ। ତେଣୁ ଉପଯୁକ୍ତ ଗୁରୁଙ୍କ ପ୍ରତିଭାକୁ ଚିହ୍ନି ଠିକ୍ ସ୍ଥାନରେ ଅବସ୍ଥାପିତ କରିବା ହିଁ ସାମାଜିକ ଧର୍ମ ଓ ତାହା ଗୁଣାତ୍ମକ ଶିକ୍ଷାର ଭିତ୍ତିଭୂମି।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ଶିକ୍ଷାବିତ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ପୂର୍ବତନ ନିର୍ଦ୍ଦେଶକ ଓଡ଼ିଶା ଭାଷା ପ୍ରତିଷ୍ଠାନ)

Comment