ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐଶର୍ଯ୍ୟା @୪୬

୪୬ ବର୍ଷରେ ପାଦ ଥାପିଲେ ବିଶ୍ୱସୁନ୍ଦରୀ ଐଶର୍ଯ୍ୟା ରାୟ ବଚ୍ଚନ। ବଲିଉଡ ଅଭିନେତ୍ରୀ ତଥା ବିଶ୍ୱସୁନ୍ଦରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଆଜି ହେଉଛି ଜନ୍ମଦିନ। ଏହି ଅବସରରେ ବଲିଉଡ୍‌ଜଗତ ବହୁ ନାମୀଦାମୀ କଳାକାରମାନେ ଐଶର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଐଶର୍ଯ୍ୟା ବିଷୟରେ କିଛି ଅଜଣା କ’ଥା।

ମିସ୍‌ ୱାର୍ଲ୍ଡ ହେବାଠାରୁ ଆରମ୍ଭ କରି ବଲିଉଡ୍‌ରେ ଅଭିନୟର ଯାଦୁ ଏବଂ ଶେଷରେ ବଚ୍ଚନ ପରିବାରର ବୋହୂ, ଏମିତି ରହିଛି ବିଶ୍ୱସୁନ୍ଦରୀ ଐଶର୍ଯ୍ୟା ରାୟ ଜୀବନ। ୧୯୭୩ ମସିହା ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଳୁରୁ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କ୍ରିଷ୍ଣାରାଜ ଭାରତୀୟ ସେନା ଅଧିକାରୀ ଥିଲେ।

ଛୋଟ ବେଳୁ ଐଶର୍ଯ୍ୟା ଜଣେ ମେଧାବୀ ଛାତ୍ରୀ ଥିଲେ। ଦଶମ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖିବା ତାଙ୍କ ମେଧାବୀର ପରିଚୟ ଦିଏ। ତାଙ୍କର ପ୍ରିୟ ବିଷୟ ହେଉଛି ପ୍ରାଣୀ ବିଜ୍ଞାନ। ଛୋଟବେଳୁ ତାଙ୍କର ନୃତ୍ୟ ପ୍ରତି ଦୁର୍ବଳତା ଥିଲା। ଯାହା ତାଙ୍କୁ ଦିନେ ବଲିଉଡ ଜଗତକୁ ଆଣିବାରେ ସହାୟକ ହୋଇଥିଲା।

୧୯୯୧ ମସିହାରେ ଫର୍ଡ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସୁପର ମଡେଲ ପ୍ରତିଯୋଗୀତାରେ ଐଶର୍ଯ୍ୟା ବିଜୟ ଲାଗ କରିଥିଲେ। ତେବେ ୧୯୯୩ ମସିହାରେ ସେ ଲୋକଲୋଚନକୁ ଆସିଲେ, ଯେତେବେଳେ ଅଭିନେତା ଆମିର ଖାନ୍‌ ଏବଂ ମହିମା ଚୌଧୂରୀଙ୍କ ସହ ‘ପେପ୍ସି’ର ବିଜ୍ଞାପନାରେ ତାଙ୍କୁ ଦେଖିବାକୁ ମିଳିଥିଲା। କେବଳ ‘ହାଏ..ଆଇ ଆମ୍‌ ସଞ୍ଜନା’ ଡାଇଲୋଗ୍‌ରେ ସାରା ଦେଶର ଲୋକମାନଙ୍କ ମନ ଜାଣିପାରିଥିଲେ।

୧୯୯୪ ମସିହାରେ ଐଶର୍ଯ୍ୟା ରାୟ ମିସ୍‌ ଇଣ୍ଡିଆ ହେବା ପରେ ମିସ୍‌ ୱାର୍ଲ୍‌ଡ ମୁକୁଟ ପିନ୍ଧି ବିଶ୍ୱସୁନ୍ଦରୀର ମର୍ଯ୍ୟାଦା ଜିଣିଥିଲେ। ଏହାପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ୧୯୯୭ ମସିହାରେ ତାମିଲ ଫିଲ୍ମ ‘ଇରୁଭାର’ରେ ଏଶର୍ଯ୍ୟା ଡେବ୍ୟୁ କରିଥିଲେ। ସେହି ବର୍ଷ ଅଭିନେତା ବବି ଦେୱଲଙ୍କ ବିପକ୍ଷରେ ‘ଔର ପ୍ୟାର ହୋଗୟା’ ଫିଲ୍ମରେ ନଜର ଆସିଥିଲେ ଐଶର୍ଯ୍ୟା। କିନ୍ତୁ ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ହେଲେ ଐଶର୍ଯ୍ୟାଙ୍କୁ ମିଳିଥିଲା ବେଷ୍ଟ ଫିମେଲ ଡେବ୍ୟୁଟ୍‌ ସ୍କ୍ରିନ୍‌ ଆୱାର୍ଡ।

ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଐଶର୍ଯ୍ୟାକୁ ଅଫର ମିଳିଥିଲା। ହମ୍‌ ଦିଲ୍‌ ଦେ ଚୁକେ ସନମ, ତାଲ, ଜୋଶ୍‌, ହମାରେ ଦିଲ୍‌ ଆପ୍‌କେ ପାସ୍‌ ହୈ, ଧାଇ, ଅକ୍ଷର ପ୍ରେମ୍‌, ମହବତେଁ ଭଳି ଜବରଦସ୍ତ ଫିଲ୍ମରେ ଅଭିନ଼ୟ କରି ଦର୍ଶକଙ୍କ ମନ ଜିଣିଥିଲେ ଐଶର୍ଯ୍ୟା ରାୟ। ୨୦୦୨ ମସିହାରେ ରିଲିଜ ହୋଇଥିବା ଦେବଦାସ ଫିଲ୍ମ ଜରିଆରେ ଐଶର୍ଯ୍ୟା ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କ ନଜରକୁ ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଶାହାରୁଖ୍‌ ଖାନ୍‌ ଏବଂ ମାଦୁରୀ ଦିକ୍ଷୀତ୍‌ଙ୍କୁ ଦେଖିବାକୁ ମିଳିଥିଲା।

ଏହାପରେ ଐଶର୍ଯ୍ୟା ଆଉ ପଛକୁ ଚାହିଁ ଦେଖିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଅନେକ ପୁରସ୍କାର ସହ ପ୍ରଶଂସାର ଅଧିକାରୀ ହୋଇଛନ୍ତି। ୨୦୦୭ ମସିହାରେ ଐଶର୍ଯ୍ୟା ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏହା ପରେ ଅଭିନେତ୍ରୀ ସହ ବଚ୍ଚନ ପରିବାରର ବୋହୂ ଭାବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ବିଭିନ୍ନ ଭାଷା ତଥା ବଲିଉଡ୍‌ରେ ଚମତ୍କାର ଅଭିନୟ ଦେଖାଇଥିବା ଐଶର୍ଯ୍ୟା ରାୟ କିଛି ହିଟ୍‌ ଫିଲ୍ମ ହେଉଛି କଣ୍ଡୁକୋଣ୍ଡାଇନ୍‌ କଣ୍ଡୁକୋଣ୍ଡାଇନ୍‌(୨୦୦୨),  ବଙ୍ଗାଳି ଫିଲ୍ମ ‘ଚୋଖେର ବାଳି'(୨୦୦୩), ଡିପ୍ରେସ୍‌ଡ ମହିଳା ଭାବେ ରେଇନ୍‌କୋଟ(୨୦୦୪), ବ୍ରିଟିଶ ଡ୍ରାମା ଫିଲ୍ମ ପ୍ରୋଭୋକ୍‌ଡ(୨୦୦୬), ନର୍ସ ଭୂମିକାରେ ଗୁଜାରିଶ୍‌(୨୦୧୦), ବକ୍ସ ଅଫିସ୍‌ରେ ସଫଳତା ପାଇଥିବା ମହବତେଁ(୨୦୦୦), ଆକ୍ସନ ଫିଲ୍ମ ଧୁମ୍‌-୨(୨୦୦୬), ଐତିହାସିକ ଫିଲ୍ମ ଯୋଦ୍ଧା ଆକ୍‌ବର(୨୦୦୮), ସାଇନ୍ସ ଫ୍ରିକ୍ସନ ପିଲ୍ମ ରୋବୋଟ (୨୦୧୦), ଏ ଦିଲ୍‌ ହୈ ମୁସ୍‌କିଲ୍‌(୨୦୧୬)।

ବର୍ତ୍ତମାନ ଐଶର୍ଯ୍ୟା ରାୟ ଗୋଟିଏ ସନ୍ତାନର ମା’। ତାଙ୍କ ଝିଅ ଆରାଧ୍ୟା ବଚ୍ଚନ। ଆଜି ହେଉଛି ଐଶର୍ଯ୍ୟା ରାୟଙ୍କ ୪୬ତମ ଜନ୍ମଦିନ। ଚଳିତ ବର୍ଷ ନିଜ ଜନ୍ମଦିନକୁ ରୋମ୍‌ରେ ପାଳନ କରିବେ ଐଶର୍ଯ୍ୟା ।ଏଥିପାଇଁ ପତି ଅଭିଷେକ୍‌ ଝିଅ ଆରାଧ୍ୟା ସହ ବର୍ତ୍ତମାନ ରୋମ୍‌ରେ ଅଛନ୍ତି। ଆଜି ବିଶ୍ୱସୁନ୍ଦରୀ ଐଶର୍ଯ୍ୟାଙ୍କ ଜନ୍ମଦିନ ଅବସରରେ ଅଡ଼େକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

Comment