ଓଡ଼ିଶାଲାଇଭ୍ ବ୍ୟୁରୋ

ଆଣ୍ଡାମାନରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପାରାଦୀପର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରୁ ୯୨୦ କିଲୋମିଟର ଦୂରରେ ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ନାଁ ହେଉଛି ‘ବୁଲବୁଲ’। ଏହାକୁ ନାମକରଣ କରିଛି ପାକିସ୍ତାନ। ତେବେ ‘ବୁଲବୁଲର’ ଅର୍ଥ ହେଉଛି ପାରସୀୟ ନାଇଟିଙ୍ଗଲ।

ଦ ୱେଦର ଚ୍ୟାନେଲର ସଦ୍ୟତମ ରିପୋର୍ଟ କହୁଛି, ରବିବାର ରାତି କିମ୍ବା ସୋମବାର ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳ ଯାଏଁ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ, କିନ୍ତୁ ପାଗ ମେଘୁଆ ରହିବ। ତେବେ ଶନିବାର ଦିନଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।

୨୦୧୮ରେ ଭାରତ ମହାସାଗରର ଉତ୍ତରରେ ୭ଟି ବାତ୍ୟା ସୃଷ୍ଟି ହୋଇଥିଲା। ୨୦୧୯ରେ ବି ବୁଲବୁଲକୁ  ହିସାବକୁ ନେଲେ ୭ଟି ବାତ୍ୟା ସଂଘଟିତ ହେବ। ୧୯୮୫ ମସିହାରେ ଶେଷ ଥର ପାଇଁ ଭାରତ ମହାସାଗରରେ ୭ଟି ବାତ୍ୟା ଆସିଥିଲା।

ବିଶ୍ୱ ଜଳବାୟୁ ସଂଗଠନର ପରାମର୍ଶ କ୍ରମେ ଏକ ନିର୍ଦ୍ଦିଷ୍ଟ ସମୁଦ୍ର କୂଳରେ ଥିବା ଦେଶ ବାତ୍ୟାର ନାମକରଣ କରିଥା’ନ୍ତି। ଭାରତ ମହାସାଗରରେ ଯେତେ ବାତ୍ୟା ସୃଷ୍ଟି ହୁଏ ତାହାର ନାମକରଣ କରିଥା’ନ୍ତି ଭାରତ ସମେତ ୮ଟି ଦେଶ। ଏବେ ଏବେ ଆରବ ସାଗରରେ ଯେଉଁ ‘ମହା’ ବାତ୍ୟା ଚାଲିଛି ତାର ନାଁ ଦେଇଛି ଓମାନ।

Comment