ଓଡ଼ିଶାଲାଇଭ୍ ବ୍ୟୁରୋ 

“ଓଡ଼ିଶାରେ ଥିବା ସ୍ମାର୍ଟସିଟି କେବଳ କାଗଜପତ୍ର ଭିତରେ ସୀମିତ। ସତରେ ସ୍ମାର୍ଟସିଟି ହେବାକୁ ହେଲେ ଆମକୁ ଅନେକ କାମ କରିବାକୁ ପଡ଼ିବ। ଆଜି ପର୍ଯ୍ୟନ୍ତ ଓଡ଼ିଶାର ଗୋଟିଏ ବି ସହର ସମ୍ପୂର୍ଣ୍ଣ ଭାବେ ସ୍ମାର୍ଟ ହୋଇନାହିଁ”, ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି ଜବାହାରଲାଲ ନେହେରୁ ଜାତୀୟ ସହର ନବୀକରଣ ମିଶନର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ ହରିଚନ୍ଦନ।

ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ‘ସ୍ମାର୍ଟସିଟି’ ବିଷୟବସ୍ତୁକୁ ନେଇ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟଶାଳା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  ଜବାହାରଲାଲ ନେହେରୁ ଜାତୀୟ ସହର ନବୀକରଣ ମିଶନର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ ହରିଚନ୍ଦନ। ସ୍ମାର୍ଟସିଟି କିଭଳି ହେବା ଦରକାର ଏବଂ ଓଡ଼ିଶାରେ ଏହାର ରୂପରେଖ କିଭଳି ରହିଛି ସେ ବିଷୟରେ ଡକ୍ଟର ହରିଚନ୍ଦନ ଆଲୋଚନା କରିଥିଲେ।

ଏହି ଅବସରରେ ପ୍ରଦୀପ ହରିଚନ୍ଦନ କହିଥିଲେ, “ଯେପର୍ଯ୍ୟନ୍ତ ଆମେ ନିଜ ପାଖରେ ଥିବା ଶକ୍ତିକୁ ସଠିକ୍ ଭାବେ ବ୍ୟବହାର କରିନାହାନ୍ତି, ସେଯାଏଁ ଆମେ ନିଜକୁ ସ୍ମାର୍ଟ କହିପାରିବା ନାହିଁ। ଗୋଟିଏ ସହର ସ୍ମାର୍ଟ ସେତେବେଳେ କୁହାଯିବ ଯେତେବେଳେ ସହରରେ ପର୍ଯ୍ୟାପ୍ତ ଇଣ୍ଟରନେଟ୍ ସୁବିଧା ସହ ସ୍ମାର୍ଟ ସ୍ୱାସ୍ଥ୍ୟ ଚିକିତ୍ସା, ସଠିକ୍ ଶିକ୍ଷା, ଗମନାଗମନର ବ୍ୟାପକ ସୁବିଧା ଓ ଇ-ସରକାର କାର୍ଯ୍ୟ କରୁଥିବ। ଏହି ସମସ୍ତ ବ୍ୟବସ୍ଥା ବର୍ତ୍ତମାନ ଓଡ଼ିଶାର କୌଣସି ସହରରେ ଦେଖିବାକୁ ମିଳୁନାହିଁ।”

କାର୍ଯ୍ୟକ୍ରମରେ ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଡକ୍ଟର ହରିଚନ୍ଦନ ଉଦାହରଣ ମାଧ୍ୟମରେ ବୁଝାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରାଛାତ୍ରୀ ମଧ୍ୟ ଯୋଗଦେଇଥିଲେ। ବିଭାଗର ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comment