ଓଡିଶାଲାଇଭ୍ ବ୍ୟୁରୋcorona-1

ଆଜିର ଦିନରେ ଓଡ଼ିଶାରେ ଗଞ୍ଜାମ ଜିଲ୍ଳା ହେଉଛି କରୋନା ହଟ୍‌ସ୍ପଟ୍ ଯାହାକି ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଉଭୟ ନୂଆ ମାମଲା ଓ ମୃତ୍ୟୁସଂଖ୍ୟା କ୍ଷେତ୍ରରେ ଏହି ଜିଲ୍ଲା ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି। କାହିଁକି ଏଭଳି ହେଲା ଓ କେଉଁଠି ସରକାରଙ୍କ ନିଷ୍ପତ୍ତି ମାଡ଼ ଖାଇଲା? ଆସନ୍ତୁ ଦେଖିବା।

ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରିରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ୪ଟି ବସ ଆସି ଗଞ୍ଜାମ ସୀମାନ୍ତରେ ପହଁଚିଲା। ଏଥିରେ ଥିଲେ ୨୧୭ ଶ୍ରମିକ ଯେଉଁମାନେ ସୁରତ ସୂତାକଳରେ କାମ କରୁଥିଲେ। ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ଓ କାରଖାନା ସବୁ ବନ୍ଦ ହେବା ଯୋଗୁଁ ସେମାନଙ୍କ ମାଲିକ ଦରମା ଦେବା ବନ୍ଦ କରିଦେଇଥିଲେ। ଅଗତ୍ୟା ସେମାନେ ଘରକୁ ଫେରିବା ଆରମ୍ଭ କଲେ। କିନ୍ତୁ ଶ୍ରମିକମାନେ ଓଡ଼ିଶା ଫେରିବା କଥା ବହୁ ବିଳମ୍ବରେ ନିଷ୍ପତ୍ତି ହେଲା ଓ ସେତେବେଳକୁ ସେମାନଙ୍କର ସଞ୍ଚିତ ଅର୍ଥ ଶେଷ ହୋଇ ଆସୁଥିଲା।

ଗୁଜରାଟ ଫେରନ୍ତା ଶ୍ରମିକମାନେ ବସରୁ ଓହ୍ଲାଇବାବେଳେ ପିପିଇ କିଟ୍ ପିନ୍ଧିଥିବା ସ୍ୱାସ୍ଥ୍ୟ କର୍ମଚାରୀ ଯେତେବେଳେ ଥର୍ମାଲ ଗନ୍‌ରେ ତାପମାତ୍ରା ମାପିଲେ ଏକା ଏକାଥରକେ ୨୨ ଜଣ ପଜିଟିଭ୍ ବାହାରିଲେ। ସେମାନଙ୍କ ଦେହରେ ଜ୍ୱର ଥିବାରୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସେମାନଙ୍କୁ ପଠାଇ ଦିଆଗଲା। ବାକି ଯେଉଁମାନେ ରହିଲେ ସେମାନଙ୍କୁ ଅଖା ବସ୍ତାରେ ପୁରାଇବା ଭଳି ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସରେ ୧୪ ଦିନ ପାଇଁ  ପୃଥକବାସରେ ରଖାଗଲା।coronaସେହି ସମୟ ପର୍ଯ୍ୟନ୍ତ ଓଡ଼ିଶାର ସବୁଠୁ ଜନବହୁଳ ଜିଲ୍ଳା କୁହାଯାଉଥିବା ଗଞ୍ଜାମରେ ଗୋଟିଏ ବି କୋଭିଡ୍ କେସ୍ ବହାରିନଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଆହୁରି ଅଧିକ ଶ୍ରମିକ ଆସିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅବଶ୍ୟ ଅଲଗା ରଖାଗଲା ଯେମିତିକି ଗୋଷ୍ଠୀ ସଂକ୍ରମଣ ହୋଇ ପାରିବ ନାହିଁ।

ତେବେ ଯୋଜନା ମୁତାବକ କିଛି ଚାଲିପାରିଲା ନାହିଁ। ଟେଷ୍ଟିଙ୍ଗ୍ ହୋଇଥିବା ୨୨ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ଶ୍ରମିକ ଯେଉଁମାନଙ୍କ ତାପମାତ୍ରା ମପା ଯାଇନଥିଲା ଓ ଯେଉଁମାନେ ସ୍କ୍ରିନିଙ୍ଗ୍‌ରୁ ଲୁଚି ପଳାଇଥିଲେ ସେମାନେ କ୍ଵାରେଣ୍ଟାଇନ୍ ସେଣ୍ଟରରେ ଖୋଲାଖୋଲି ଅନ୍ୟମାନଙ୍କ ସହ ରହୁଥିଲେ, ଯେବେକି ସେମାନଙ୍କ ଠାରେ କରୋନା ଭୂତାଣୁ ଭଲ ଭାବରେ ବଢ଼ୁ଼ଥିଲା।

ଜିଲ୍ଲା ପ୍ରଶାସନ କ୍ରମାନୁସାରେ ଯେତେବେଳେ ଅନ୍ୟ ସୁରତ ଫେରାନ୍ତାଙ୍କ ଟେଷ୍ଟିଙ୍ଗ୍ କଲେ ଜଣେ ୨୨ ବର୍ଷର ଯୁବକ ଓ ୧୭ ବର୍ଷର ନାବାଳକ ଠାରେ ଆନୁଷ୍ଠାନିକ ଭାବେ ପଜିଟିଭ ବାହାରିଲା। ଏହା ମେ ୨ ତାରିଖର କଥା। ଏଇ ଦୁଇଟି ହେଉଛି ଗଞ୍ଜାମର ପ୍ରଥମ କେସ୍। ସରକାରୀ କାଗଜପତ୍ରରେ ୧୫୮ ଓ ୧୫୯ ନମ୍ବର କେସ୍। ଏହା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଛୁଳିବାକୁ ଲାଗିଲା ଓ ମାତ୍ର ଅଳ୍ପ ଦିନ ଭିତରେ ମାମଲା ୨୮ରେ ପହଞ୍ଚିଲା। ମେ ୭ ତାରିଖ ଦିନ ଗଞ୍ଜାମକୁ ଘୋଷଣା କରାଗଲା ଓଡ଼ିଶାର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା।ମେ ୭ ତାରିଖରୁ ଏପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ପ୍ରତିଦିନ ୧୦ରୁ ୧୨ ଜଣ ମୃତ୍ୟୁବରଣ କରୁଛନ୍ତି। ଅଗଷ୍ଟ ୫ ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୧୧,୮୧୨ ଓ ମୃତକଙ୍କ ସଂଖ୍ୟା ୧୧୭ରେ ପହଞ୍ଚିଛି। ଭାରତର ଅନ୍ୟ କେଉଁ ରାଜ୍ୟର କୌଣସି ଜିଲ୍ଲାରେ ଏତେ ସ୍ୱଳ୍ପ ସମୟ ବ୍ୟବଧାନ ଭିତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢ଼ିନାହିଁ। ଏବେ ପରିସ୍ଥିତି ଏଭଳି ହୋଇଛି ଯେ କରୋନା ଆଉ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସୀମିତ ରହିନାହିଁ। ଏହା ସାଧାରଣ ଲୋକମାନଙ୍କ ଭିତରେ ପଶି ଯାଇଛି।

ଗଞ୍ଜାମ ଜିଲ୍ଲାର ଦୁର୍ଭାଗ୍ୟ ଯେ, ରାଜ୍ୟର ରାଜଧାନୀ ନ ହୋଇ ମଧ୍ୟ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଗୋଟିଏ ଜିଲ୍ଲାରେ ଏତେ ପରିମାଣରେ କେସ୍ ଆସିବା ଘଟଣା ଅନ୍ୟତ୍ର ବିରଳ। ଭାରତର ଅଧିକାଂଶ ରାଜ୍ୟରେ କେବଳ ରାଜ୍ୟ ରାଜଧାନୀରେ ହିଁ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି। ଗଞ୍ଜାମ ସେହି ଦୃଷ୍ଟିରୁ ଏକ ବଡ଼ ବ୍ୟତିକ୍ରମ। ଗଞ୍ଜାମ ଆଜି ଯେଉଁ କରୋନା ବୋଝ ନେଇ ଚାଲିଛି ତା ପଛରେ ଅନେକ କାରଣ ରହିଛି ତାହା ପରବର୍ତ୍ତୀ କିସ୍ତିରେ ଆଲୋଚନା କରାଯିବ।

Comment