ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ୩ ମାସ ପରେ ଏହି ଘଟଣା ଥମିବା ପରିବର୍ତ୍ତେ ବର୍ତ୍ତମାନ ଦେଶର ୪ଟି ରାଜ୍ୟର ରାଜନୀତିକୁ ସରଗରମ କରିବାରେ ଲାଗିଛି।  ଜୁନ୍ ୧୪ରେ ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଯେଉଁ ବିବାଦର ସୂତ୍ରପାତ କରିଥିଲା, ସେଥିରେ ରିୟା ଚକ୍ରବର୍ତ୍ତୀଙ୍କଠାରୁ ଆରମ୍ଭ କରି କଙ୍ଗନା ରାଣାୱତଙ୍କ ପର୍ଯ୍ୟନ୍ତ ଜଣଙ୍କ ପରେ ଜଣଙ୍କ ସମର୍ଥନରେ ବାହାରିଲେଣଇ ବିଭିନ୍ନ ରାଜନୈତିକ ଦଳ।

ଫଳରେ ଏହାକୁ ନେଇ ଉପୁଜିଥିବା ବିବାଦ ସଂକ୍ରମଣ ପରି ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ହିମାଚଳପ୍ରଦେଶ ଆଦି ୪ଟି ରାଜ୍ୟର ରାଜନୀତିରେ ଉତ୍ତେଜନା ଭରିଛି। କେତେକ ରାଜନୈତିକ ଦଳ ଏହି ବିବାଦରୁ ଆଗାମୀ ନିର୍ବାଚନ ପାଇଁ ନିଜ ଭୋଟ୍ ବ୍ୟାଙ୍କର ଆଧାର ପ୍ରସ୍ତୁତ କରିବା ଦିଗରେ ଲାଗିପଡ଼ିଛନ୍ତି।ବିହାରରେ ଭାଜପା ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ତୀବ୍ର କରିଛନ୍ତି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ତଦନ୍ତ ପରିସରଭୁକ୍ତ ଥିବାବେଳେ ଏଥିରେ ବେଙ୍ଗଲି ସ୍ବାଭିମାନ ପାଇଁ ସ୍ୱର ଉଠାଇଛି ପଡ଼ୋଶୀ ପଶ୍ଚିମବଙ୍ଗର କଂଗ୍ରେସ ଓ ତୃଣମୂଳ କଂଗ୍ରେସ। ଅନ୍ୟପକ୍ଷରେ ଏହି ବିବାଦ ବଳୟରେ ଥିବା ଅନ୍ୟତମ ପ୍ରମୁଖ ଚରିତ୍ର କଙ୍ଗନା ରାଣାୱତଙ୍କୁ ମହାରାଷ୍ଟ୍ରରେ ଶାସକ ଶିବସେନା ବିରୋଧ କରୁଥିବା ବେଳେ ନିଜ ରାଜ୍ୟର କନ୍ୟା ସପକ୍ଷରେ ବାହାରିଛନ୍ତି ହିମାଚଳପ୍ରଦେଶର ଭାଜପା ସରକାର।ପଶ୍ଚିମବଙ୍ଗ: ରିୟାଙ୍କ ପକ୍ଷ ନେଇ ଭାଜପାକୁ ନିନ୍ଦିଲା ଟିଏମ୍ସି

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପରିସରଭୁକ୍ତ ଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ସେବନ ଓ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏଇ ନିକଟରେ ଗିରଫ କରିଛି। ରିୟାଙ୍କ ମା’ ମରାଠି ଓ ବାପା ସେନାର ଜଣେ ପୂର୍ବତନ ଡାକ୍ତର ତଥା ବେଙ୍ଗଲି ବଂଶଜ।

ସେହି ଦୃଷ୍ଟିରୁ ଟିଏମ୍‌ସି ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ସୌଗାତ ରାୟ କହିଥିଲେ ଯେ ରିଆ ବେଙ୍ଗଲି ହୋଇଥିବାରୁ ତାଙ୍କୁ ଏଭଳି ଅଭିଯୁକ୍ତ ଚିତ୍ରଣ କରି କାଠଗଡ଼ାରେ ଠିଆ କରାଯାଉଛି। ଏଭଳି ଅଭିଯାନ ବେଙ୍ଗଲିଙ୍କ ପ୍ରତି ବିଜେପିର ଥିବା ଘୃଣା ମନୋଭାବକୁ ପୁଣିଥରେ ସାମ୍ନାକୁ ଆଣିଛି। ଆସାମରେ ଏନ୍ଆର୍‌ସି ଲାଗୁ ହେବାବେଳେ ମଧ୍ୟ ଭାଜପାର ସମାନ ମନୋଭାବ ଦେଖିବାକୁ ମିଳିଥିଲା।

ସେହିପରି ଲୋକସଭା ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରିୟାଙ୍କ ପ୍ରତି ବେଙ୍ଗଲି ଆନ୍ତରିକତା ଦେଖାଇବା ସହ ଭାଜପା ବିରୋଧରେ କହିଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ସମଗ୍ର ବିହାରୀମାନଙ୍କୁ ନ୍ୟାୟ ବୋଲି ଚିତ୍ରଣ କରାଯାଉଛି। ଆଗାମୀ ବିହାର ନିର୍ବାଚନ ପାଇଁ ବିଜେପି ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ରାଜନୈତିକ ପଶାପାଲିର ଗୋଟି ଭାବେ ବ୍ୟବହାର କରୁଛି ବୋଲି ସେ କହିଛନ୍ତି। କଂଗ୍ରେସ ଏନେଇ ପ୍ରତିବାଦ ଶୋଭାଯାତ୍ରାରେ ରାସ୍ତାକୁ ମଧ୍ୟ ଓହ୍ଲାଇଥିଲା।

ବିହାର: ନିର୍ବାଚନ ପାଇଁ ପ୍ରସଙ୍ଗ କରିଛି ବିଜେପି, ଜେଡିୟୁ

ସମ୍ଭବତଃ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ବିଜେପି ସୁଶାନ୍ତ ସିଂଙ୍କୁ ନ୍ୟାୟ ପାଇଁ ଏକ ପୂର୍ଣ୍ଣକାଳୀନ ଅଭିଯାନ ଆରମ୍ଭ କରିଛି। ଏପରିକି ବିଜେପିର ସାଂସ୍କୃତିକ ସେଲ୍ ସୁଶାନ୍ତଙ୍କ ଚିତ୍ର ଥିବା ୩୦ ହଜାର ପୋଷ୍ଟର ଛାପିଛି, ଯେଉଁଥିରେ ସ୍ଳୋଗାନ ରହିଛି, ‘ନା ଭୁଲେ ହେଁ, ନା ଭୁଲ୍‌ନେ ଦେଙ୍ଗେ।‘ ଏହି ଅଭିଯାନ ସହ ବିଜେପି ବିହାରର ରାଜପୁତ ଜନସମୁଦାୟକୁ ନିଜ ସପକ୍ଷରେ ଆଣିବା ପାଇଁ ଉଦ୍ୟମ ଚଳାଇଛି।

ସେହିପରି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆର୍‌ଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବିରେ ସ୍ୱର ଉଠାଇଛନ୍ତି। ବିହାର ନିର୍ବାଚନ ପାଇଁ ଏହା ହିଁ ସେଠାରେ ଏବେ ବିଭିନ୍ନ ରାଜନୈତିକ ପାର୍ଟି ପାଇଁ ପ୍ରସଙ୍ଗ ପାଲଟିଯାଇଛି।

 

ମହାରାଷ୍ଟ୍ର: କଙ୍ଗନାଶିବସେନା ମୁହାଁମୁହିଁ

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଚାଲିଥିବା ନେପୋଟିଜମ୍‌ ବିରୋଧରେ ସ୍ୱର ଉଠାଇବା ସହ ବଲିଉଡ୍ ଓ ଡ୍ରଗ୍‌ସ ମାଫିଆଙ୍କ ଲିଙ୍କକୁ ନେଇ ମନ୍ତବ୍ୟ ରଖି ବିବାଦୀୟ ହୋଇପଡ଼ିଥିଲେ ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କ ପ୍ରତି ବିପଦ ଥିବାବେଳେ ସେ ନିଜ ସୁରକ୍ଷା ପ୍ରସଙ୍ଗରେ ଟୁଇଟ୍ କରିଥିଲେ ଯେ, ସିନେ ମାଫିଆଙ୍କ ଅପେକ୍ଷା ସେ ମୁମ୍ବାଇ ପୋଲିସକୁ ବେଶି ଡରୁଛନ୍ତି।BGUଏହା ମହାରାଷ୍ଟ୍ର ସରକାରଙ୍କ ଭାବମୂର୍ତ୍ତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ପରେ ଶାସକ ମେଣ୍ଟର ମୁଖ୍ୟ ଅଂଶୀଦାର ଦଳ ଶିବସେନା ଏହାର ଜବାବରେ କଙ୍ଗନାଙ୍କୁ ମୁମ୍ବାଇରୁ ଦୂରେଇ ରହିବା ପାଇଁ କହିଥିଲା। ଏହାପରେ କଙ୍ଗନା ମୁମ୍ବାଇରେ ପିଓକେ ପରି ଅନୁଭବ ହେଉଛି କହିବା ପରେ ଏହାକୁ ନେଇ ମରାଠା ସ୍ବାଭିମାନ ପ୍ରସଙ୍ଗ ତେଜିଥିଲା। ମହାରାଷ୍ଟ୍ର ବିଜେପି ମଧ୍ୟ କଙ୍ଗନାଙ୍କ ସ୍ୱରରେ ସ୍ୱର ମିଳାଇ ମୁମ୍ବାଇକୁ ପିଓକେ କହିଥିଲା।

ଶିବସେନା ସଦସ୍ୟଙ୍କଠାରୁ ବିପଦ ଥିବାରୁ କେନ୍ଦ୍ର ସରକାର କଙ୍ଗନାଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା କରାଇଥିଲେ। ତେବେ ବ୍ରିହାନ ମୁମ୍ବାଇ ମ୍ୟୁନିସପାଲ କର୍ପୋରେଶନ (ବିଏମ୍‌ସି) କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସ୍ ଭାଙ୍ଗିଦେବା ପରେ ଏହାକୁ ନେଇ ରାଜନୀତି ଅଧିକ ଉଗ୍ର ହୋଇଥିଲା।

ହିମାଚଳପ୍ରଦେଶ: କଙ୍ଗନାଙ୍କ ସମର୍ଥନରେ ଜୟରାମ ସରକାର

କଙ୍ଗନାଙ୍କ ସମର୍ଥନରେ ହିମାଚଳର ଭାଜପା ସରକାର ଆଗେଇଆସିବା ସହ ତାଙ୍କ ମା’ଙ୍କୁ ଦଳରେ ସାମିଲ କରିଛି। ମହାରାଷ୍ଟ୍ରର ମେଣ୍ଟ ସରକାର ଶିବସେନା, କଂଗ୍ରେସ ଓ ଏନ୍‌ସିପିକୁ ହିମାଚଳର ବିଜେପି ମୁଖ୍ୟ ସୁରେଶ କଶ୍ୟପ ଭର୍ତ୍ସନା କରି ଟୁଇଟ୍ କରିବା ସହ ସମଗ୍ର ହିମାଚଳ ଓ ଭାରତ କଙ୍ଗନାଙ୍କ ସମର୍ଥନରେ ଥିବା କହିଛନ୍ତି। କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସ୍ ଭଙ୍ଗା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର।

Comment