ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଡିଆଇଜି ଏଲକେଭି ରଙ୍ଗା ରାଓଙ୍କ ପାଖରେ ଜଣେ ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ସହ ଅନ୍ୟ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ପେଦାବାୟାଳୁ ଏରିଆ କମିଟି ମାଓ ଦଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ଜଣକ ହେଲେ କେ ସୀତା ସ୍ୱର୍ଣ୍ଣା ଷୈଲୁ। ୨୫ବର୍ଷୀୟ ସ୍ୱର୍ଣ୍ଣା ବିଶାଖାପାଟଣା ଜିଲ୍ଲାର ପେଦାବାୟାଳୁ ପଞ୍ଚାୟତର ଜମିଗୁଡା ବାସିନ୍ଦା। ସେ ଗତ ୨୦୧୦ ମସିହାଠାରୁ ମାଓ ଦଳରେ ସକ୍ରିୟ ଥିଲେ।

ସେ ପ୍ରଥମେ ଗାଲୀକୋଣ୍ଡା, ପରେ କୋରୁକୋଣ୍ଡା, ପେଦାବାୟାଳୁ, ମାଛକୁଣ୍ଡ ଏରିଆ କମିଟି ଭଳି ବହୁ ଦଳରେ ସକ୍ରିୟ ଥିଲେ।  ଏହାସହ ମାଓ ମହିଳା ସଂଘ, ଜନ ନାଟ୍ୟ ମଣ୍ଡଳୀ, ଆଦିବାସୀ ବିପ୍ଳବ ରହିତ କୁଲି ସଂଘ ସହ ସକ୍ରିୟ ମଧ୍ୟ ଥିଲେ। ଏବେ ସେ ପେଦାବାୟାଳୁ ମାଓ ଦଳରେ ଏରିଆ କମିଟି ମେମ୍ବର ରୂପେ କାର୍ଯ୍ୟରତ ଥିଲେ।

ତାଙ୍କ ନାମରେ ଆନ୍ଧ୍ର ଓ  ଓଡିଶା ରାଜ୍ୟର ବିଭିନ୍ନ ପୋଲିସ ଥାନାରେ  ୯ ଟି ହତ୍ୟା ମାମଲା, ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୬ ଟି ପୋଲିସ ମାଓବାଦୀ ଗୁଳିବିନିମୟ, ୨ ଟି ପୋଲିସ ଅସ୍ତ୍ରଶସ୍ତ୍ର ଚୋରି, ଗୋଟିଏ ବିଏସଏନଲ ମୋବାଇଲ ଟାୱାର ବିସ୍ଫୋରଣ, ଗୋଟିଏ ଚୋରି ଏବଂ ଆନ୍ଧ୍ରା ଓଡିଶାର ବହୁ ଜାଗାରେ ପ୍ରଜା କୋର୍ଟ କରି ନିରୀହ ଆଦିବାସୀଙ୍କୁ ହତ୍ୟା ଭଳି ବହୁ ମାମଲା ରହିଛି। ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ସ୍ୱର୍ଣ୍ଣା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ସ୍ୱର୍ଣ୍ଣା ସହିତ ପେଦାବାୟାଳୁ ଏରିଆ କମିଟି ମାଓ ଦଳର ଆତ୍ମ ସମର୍ପଣ କରିଥିବା ଅନ୍ୟ ୩ ଜଣ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ପାଙ୍ଗି ମୂସୁରୀ ଚିଟିବାବୁ, କେ. ଭେଙ୍କଟ ରାଓ ଓ ପାଙ୍ଗି ଗୋପାଳ ରାଓ। ଚିଟିବାବୁ ମାଓ ଦଳରେ ମିଲିସିଆ କମାଣ୍ଡର ରୂପେ ୨୦୧୦ ମସିହାଠାରୁ ସକ୍ରିୟ ଥିଲେ। ଚିଟିବାବୁ ନାମରେ ଆନ୍ଧ୍ରାଓଡ଼ିଶାର ବିଭିନ୍ନ ପୋଲିସ ଥାନାରେ ୧୦ ରୁ ଅଧିକ ମାମଲା ରହିଛି।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପୁରସ୍କାର ସେମାନଙ୍କୁ ପ୍ରଦାନ କରାଯିବା ସହ ଅନ୍ୟ ସମସ୍ତ ସୁବିଧା ପ୍ରଦାନ କରାଯିବା ବୋଲି ପୋଲିସ ଡିଆଇଜି ଏଲକେଭି ରଙ୍ଗା ରାଓ ପ୍ରକାଶ କରିଛନ୍ତି।

Comment