ଓଡ଼ିଶାଲାଇଭ୍ ବ୍ୟୁରୋ

ୟାସ୍ ବାତ୍ୟା ପାଇଁ ରାଜଧାନୀ ଭୁବନେଶ୍ୱରର ହାଟ ବଜାରରେ ଅସମ୍ଭାଳ ଭିଡ଼। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘରେ ଜିନିଷ ପତ୍ର ମହଜୁଦ ରଖିବା ପାଇଁ ସୋମବାର ଓ ମଙ୍ଗଳବାର ଦୋକାନ ବଜାରରେ ଭୀଷଣ ଭିଡ଼ ଦେଖିବାକୁ ମିଳିଛି। ଏହି ସମୟରେ କୌଣସି ବ୍ୟକ୍ତି କୋଭିଡ୍ ନିୟମକୁ ମାନୁଥିବା ଦେଖିବାକୁ ମିଳୁନାହିଁ। କେବଳ ଭୁବନେଶ୍ୱରରେ ନୁହେଁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ଜିନିଷ ପତ୍ର କିଣିବା ପାଇଁ ରାଜ୍ୟ ସରକାର ସୋମବାର ଓ ମଙ୍ଗଳବାର ୧୦ଟି ଜିଲ୍ଲାରେ ଲକ୍‌ଡାଉନ୍ ଅବଧିକୁ କୋହଳ କରିଥିଲେ। ଏଥିପାଇଁ ଦିନ ୧୧ ପରିବର୍ତ୍ତେ ୧ଟା ପର୍ଯ୍ୟନ୍ତ ଲୋକମାନେ ବଜାରକୁ ଯାଇ ସାମଗ୍ରୀ କିଣିପାରିବେ ବୋଲି ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା।ଅନ୍ୟପକ୍ଷରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ଥିବାରୁ ସୋମବାର ହାଟ ଓ ଦୋକାନ ବଜାରରେ ନାହିଁ ନଥିବା ଭିଡ଼ ଲାଗିଥିଲା। ବିଶେଷକରି ପରିବା ଦୋକାନରେ ଗ୍ରାହକଙ୍କ ଗହଳି ଜମିଥିଲା। ଏହାର ସୁଯୋଗନେଇ ବ୍ୟବସାୟୀମାନେ ପରିବା ଦର ମଧ୍ୟ ବୃଦ୍ଧି କରିଥିଲେ। ଗତ ସପ୍ତାହରେ ଟମାଟୋ ଦର କେଜି ପିଛା ୨୦ଟଙ୍କା ରହିଥିବାବେଳେ, ସୋମବାର ଏହାର ଦର କେଜି ପିଛା ୪୦ଟଙ୍କା ରହିଥିଲା।

ଏଣେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଗଛିତ ରହିଛି। ଏଣୁ ତରବର ନହୋଇ ଚଢ଼ା ଦରରେ କୌଣସି ଜିନିଷ କିଣନ୍ତୁ ନାହିଁ।

Comment