ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୁରୀର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ପୁରୀର ପୁଅ ସମୀର ରିଶୁ ମହାନ୍ତି ଦର୍ଶକଙ୍କୁ ଆଉ ଏକ ରାପ୍‌ ଭେଟି ଦେଇଛନ୍ତି। ‘ପୁରୀ ଟୋକା’ ନାଁରେ ଏହି ରାପ୍‌ ଟି ଏବେ ଚର୍ଚ୍ଚାକୁ ଆସିଛି। ଏହି ରାପ୍‌ରେ ସମୀର ଓଡ଼ିଶୀ ନୃତ୍ୟ, ନାଗା ନାଚ, ଗୋଟିପୁଅ ଭଳି ନୃତ୍ୟ ସହ ଆଖଡ଼ାକୁ ସ୍ଥାନ ଦେଇଛନ୍ତି। ସେହିପରି ବଡ଼ଦାଣ୍ଡଠାରୁ ଆରମ୍ଭ କରି ବେଳାଭୂମି ଯାଏଁ ଏଥିରେ ପୁରୀର ବିଭିନ୍ନ ସ୍ଥାନକୁ ଦେଖାଯାଇଛି। ସମୀରଙ୍କ ଏହି ରାପ୍‌ରେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି।

ସମୀର ଏହି ଗୀତକୁ ଶୁକ୍ରବାର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ପୋଷ୍ଟିଂର କିଛି ସମୟ ମଧ୍ୟରେ ଦର୍ଶକ ଏହି ଗୀତକୁ ପସନ୍ଦ କରି କମେଣ୍ଟ ଦେଇଛନ୍ତି।

‘‘ପୁରୀରେ ମୋ ଜନ୍ମ। ଏଇଠି ପଢ଼ିଛି, ବଢ଼ିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପୁରୀ ବିଶ୍ୱ ବିଖ୍ୟାତ। ମୁଁ ପୁରୀ ପିଲା ହିସାବରେ ମୋ ରାପ୍‌ ମାଧ୍ୟମରେ ପୁରୀକୁ ବିଶ୍ୱ ମାନଚିତ୍ରରେ ଆହୁରି ସ୍ୱତନ୍ତ୍ର କରିବା ଲାଗି ଚେଷ୍ଟା କରିଛି। ଆଗାମୀ ଦିନରେ ଆମ ରାଜ୍ୟ, ଆମ ସଂସ୍କୃତିକୁ ନେଇ ମୁଁ ଏମିତି ଅନେକ ରାପ୍‌ କରିବି’’, କହିଛନ୍ତି ସମୀର ରିଶୁ ମହାନ୍ତି।

‘ମୁଁ ହେଲି ଓଡ଼ିଆ’ ଗୀତରୁ ପରିଚୟ ସୃଷ୍ଟି କରିଥିବା ସମୀରଙ୍କ ବାପା ଜଣେ ଓଡ଼ିଶାରର ହୋଇଥିବା ବେଳେ ତାଙ୍କ ମା’ ଜାପାନର। ସମୀରଙ୍କୁ ଦେଖିଲେ ଯେ କେହି ବିଦେଶୀ ବୋଲି ଭାବିବେ କିନ୍ତୁ ସେ ଖାଣ୍ଟି ଓଡ଼ିଆ । ତାଙ୍କ ରାପ୍‌ ଏହାର ପରିଚୟ।

୧୯୮୯, ସେପ୍ଟେମ୍ବର ୧୭ରେ ଜନ୍ମ ହୋଇଥିବା ସମୀର ଗତ ୮ ବର୍ଷ ହେଲା ରାପ୍‌ କରୁଛନ୍ତି। ପୂର୍ବରୁ ଇଂରାଜୀରେ ରାପ୍‌ କରୁଥିବା ବେଳେ ଏବେ ସେ ଓଡ଼ଆ ଭାଷାକୁ ଗୁରୁତ୍ୱ ଦେଇ ଚର୍ଚ୍ଚା ସାଉଣ୍ଟିଛନ୍ତି।

ପୂର୍ବରୁ ରିଲିଜ ହୋଇଥିବା ତାଙ୍କ ଗୀତ ‘ମୁଁ ହେଲି ଓଡ଼ିଆ’ କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ ଓଡ଼ିଆର ସଭ୍ୟତାକୁ ରାପ ମାଧ୍ୟମରେ ଗାଇଛନ୍ତି।

ସେହିପରି ‘ଖୁସି ତ’ ରାପ୍‌ କରି ମଧ୍ୟ ସେ ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି। ସେ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ଉତ୍ସର୍ଗ କରିଥିଲେ। ଏବେ ସେ ବିଗ୍‌ ଡିଲ୍‌ ନାଁରେ ବେଶ୍‌ ପରିଚିତ।

Comment