ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁସଲମାନ ସମ୍ପ୍ରଦାୟରେ ବହୁଦିନରୁ ଚଳିଆସୁଥିବା ‘ତିନି ତଲାକ୍‌’ ପରମ୍ପରା ଆଉ ଚାଲିପାରିବ ନାହିଁ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ରଦ୍ଦ କରି ମହିଳାମାନଙ୍କ ସ୍ୱାଧୀନତା କ୍ଷେତ୍ରରେ ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ!

ଦେଶର ସବୁଠାରୁ ବଡ଼ ସାମାଜିକ ପ୍ରସଙ୍ଗ ତିନି ତଲାକ୍‌ ବ୍ୟବସ୍ଥାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ରଦ୍ଦ କରିଦେଇଛନ୍ତି। ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ବିଚାର କରି ଏହି ଐତିହାସିକ ରାୟ ଶୁଣାଇଛନ୍ତି।

୫ ଜଣଙ୍କ ମଧ୍ୟରୁ ୩ ଜଣ ବିଚାରପତି ଜଷ୍ଟିସ କୁରିୟନ ଜୋସେଫ୍, ରୋହିନତନ ଫଲି ନରିମନ ଓ ଉଦୟ ଉମେଶ ଲଳିତ ତିନି ତଲାକ୍‌‍କୁ ‘ଅସାମ୍ବିଧାନିକ’ ବୋଲି କହିଛନ୍ତି। ତେବେ ଅନ୍ୟ ଦୁଇଜଣ ବିଚାରପତି ଭିନ୍ନ ମତ ଦେଇଛନ୍ତି। ଅର୍ଥାତ୍‍ ୫ ଜଣ ବିଚାରପତିଙ୍କ ମଧ୍ୟରୁ ୩ ଜଣଙ୍କ ବହୁମତକୁ ଆଧାରକରି ଏହି ରାୟ ପ୍ରକାଶ ପାଇଛି।

ତିନି ଜଣ ବିଚାରପତି ତିନି ତଲାକ୍‌‍କୁ ‘ସମ୍ବିଧାନର ଧାରା ୧୪’ର ଉଲ୍ଲଙ୍ଘନ ବୋଲି କହିଛନ୍ତି। ଏହି ଧାରା ଭାରତର ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ।

ଅନେକ ମୁସଲିମ-ପ୍ରଧାନ ଦେଶରେ ଏହି ବ୍ୟବସ୍ଥା ଉଠାଇ ଦିଆଯାଇଥିବା ବେଳେ ଭାରତରେ ତାହା କାହିଁକି ରହିବ ବୋଲି ବିଚାରପତି ତ୍ରୟ ପ୍ରଶ୍ନ କରିଛନ୍ତି।

ଆଜିଠାରୁ ତିନି ତଲାକ୍‍ ଅସିଦ୍ଧ ଘୋଷିତ ହୋ‍ଇଛି। ଅର୍ଥାତ୍‍ ଆଗକୁ ଏହା ଏକ ଅପରାଧ ହିସାବରେ ବିଚାର କରାଯିବ। ତେଣୁ ଆଗକୁ ଏହି ମାମଲାର ବିଚାର ଓ ଫ‌ଇସଲା କରିବା ପାଇଁ ବିଧିବଦ୍ଧ ଆଇନ୍‌ର ଆବଶ୍ୟକତା ସୃଷ୍ଟି ହୋ‍ଇଛି। ଆଗାମୀ ୬ ମାସ ମଧ୍ୟରେ ଏ ବାବଦରେ ଆଇନ୍‌ ପ୍ରଣୟନ କରିବା ପାଇଁ ସୁପ୍ରିମକୋର୍ଟ ସଂସଦକୁ ପରାମର୍ଶ ଦେଇଛନ୍ତି।

ସର୍ବପ୍ରଥମେ ପ୍ରଧାନ ବିଚାରପତି ଜଷ୍ଟିସ ଜେ‍ଏସ୍‍ କେହର ନିଜ ରାୟ ପଢିଥିଲେ। ସେ କହିଥିଲେ ଯେ ତିନି ତଲାକ୍‌‍ ସମ୍ବିଧାନର ମୌଳିକ ଅଧିକାରକୁ (ଧାରା ୧୪, ୧୫, ୨୧ ଓ ୨୫)କୁ ଆଦୌ ଉଲ୍ଲଙ୍ଘନ କରୁନାହିଁ। ଜଷ୍ଟିସ କେହରଙ୍କ ମତ ହେଉଛି ଏହି ପ୍ରଥା ସୁନ୍ନି ସଂପ୍ରଦାୟର ଅବିଛେଦ୍ୟ ଅଙ୍ଗ ଓ ହଜାର ବର୍ଷ ଧରି ଚାଲି ଆସିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ସବୁ ରାଜନୈତିକ ଦଳକୁ ତିନି ତଲାକ୍‌‍‌କୁ ରାଜନୀତିଠାରୁ ଅଲଗା କରି ଦେଖିବାକୁ ହେବ।

ଅନ୍ୟ ବିଚାରପତି ଜଷ୍ଟିସ ଅବଦୁଲ୍‍ ନଜିର ମଧ୍ୟ ତାଙ୍କ ରାୟରେ କହିଲେ ଯେ ତିନି ତଲାକ୍‌‍ ଏକ ଧାର୍ମିକ ପରମ୍ପରା, ଏଣୁ କୋର୍ଟ ଏଥିରେ ଦଖଲ ଦେବା ଠିକ୍ ନୁହେଁ। ତେବେ ଅନ୍ୟ ତିନିଜଣ ବିଚାରପତି ଏହି ପ୍ରଥା ବିରୁଦ୍ଧରେ ରାୟ ଦେଇଥିଲେ।

ରାୟ ପ୍ରକାଶ ସମୟରେ ବାଦି ପ୍ରତିବାଦି ସମସ୍ତେ ଉପସ୍ଥିତ ଥିଲେ।

ରୋଚକ କଥା ହେଉଛି ତିନି ତଲାକ୍‌‍ ରାୟ ଶୁଣାଇଥିବା ବିଚାରପତିମାନେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର। ଜଷ୍ଟିସ ଜେ‍ଏସ୍‍ କେହର ଶିଖ୍ ହୋଇଥିବା ବେଳେ ଜଷ୍ଟିସ କୁରିୟନ ଜୋସେଫ୍‌ ଖ୍ରୀଷ୍ଟିୟାନ, ଜଷ୍ଟିସ ରୋହିନତନ ଫଲି ନରିମନ ପାର୍ସି, ଜଷ୍ଟିସ ଉଦୟ ଉମେଶ ଲଳିତ ହିନ୍ଦୁ ଓ ଜଷ୍ଟିସ ଅବଦୁଲ ନଜିର ମୁସଲିମ ସଂପ୍ରଦାୟର।

ଆଜି ଏହି ରାୟ ପ୍ରକାଶ ପାଇବା ବେଳେ କୋର୍ଟ ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହା ଏକ ଐତିହାସିକ ମାମଲା ହୋ‍ଇଥିବାରୁ କୋର୍ଟ ଭିତରେ ଓ ବାହାରେ ଓକିଲ ଓ ସାମ୍ବାଦିକମାନଙ୍କ ଅସ୍ୱାଭାବିକ ଭିଡ଼ ଲାଗି ରହିଥିଲା। ତା’ ସହିତ ରାୟ ପ୍ରକାଶ ପାଇବାର କିଛି ସମୟ ମଧ୍ୟରେ ଏହି ଖବର ସାରା ଭାରତର ଗଣମାଧ୍ୟମରେ ଛାଇଯାଇଥିଲା। ବିଶେଷକରି ଡିଜିଟାଲ୍‍ ମିଡିଆରେ ଏ ବାବଦରେ ଖବର ବିଜୁଳି ବେଗରେ ପ୍ରସାରିତ ହେବା ସହ ସୋସିଆଲ ମିଡିଆରେ ଖୁବ୍‍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ତିନିମାସ ଧରି ଏହି ଚର୍ଚ୍ଚିତ ମାମଲାର ଶୁଣାଣି କରିଥିଲେ। ସ୍ୱାମୀଙ୍କଠାରୁ ତିନି ତଲାକ୍‍ ପାଇଥିବା ସାତ ଜଣ ମୁସଲିମ ମହିଳାଙ୍କ ଆବେଦନକୁ ଆଧାରକରି ଏହି ବିଚାର ପ୍ରକ୍ରିୟା ଆରମ୍ଭ ହୋ‍ଇଥିଲା।

ରାୟ ପ୍ରକାଶ ପାଇବା ପରେ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦଳର ନେତା ଏବଂ ଆଇନ୍‌ ବିଶେଷଜ୍ଞମାନେ ଏହାକୁ ସ୍ୱାଗତ କରିଛନ୍ତି। ଅଲ୍‌ ଇଣ୍ଡିଆ ମୁସଲିମ୍‌ ଓମେନ୍‌ ପର୍ସନାଲ୍‍ ଲ’ ବୋର୍ଡ ଏବଂ ଅଲ ଇଣ୍ଡିଆ ସିଆ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରାଯାଇଛି।

ତେବେ ଅଲ୍‍ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡର ସାଧାରଣ ସମ୍ପାଦକ ମୌଲାନା ୱାଲି ରେହେମାନି ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏ ବାବଦରେ ବୋର୍ଡର ବିଧିବଦ୍ଧ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟଧାରା ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି।

Tags: Supreme Court, Tini Talaaq, Talaq, TripleTalaaq, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

3 COMMENTS

  1. Seems the centre is not in a hurry to go for a new law.Because the existing domestic violence laws can take care of attrocities on Muslim women.Like many such stringent orders of SC, this too will fall short of implementation.

Comment