(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାଉରକେଲା ପୋଲିସ ପକ୍ଷରୁ ଲୋକାର୍ପଣ କରାଯାଇଛି ସ୍ବତନ୍ତ୍ର ‘ମୋବାଇଲ୍‌ ଆପ୍‌’ ।

ରାଉରକେଲାବାସୀଙ୍କ ପାଇଁ ଖୁସି ଖବର। ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାଉରକେଲା ପୋଲିସ ପକ୍ଷରୁ ଆଜି ସ୍ବତନ୍ତ୍ର ‘ମୋବାଇଲ୍‌ ଆପ୍‌’ ଲୋକାର୍ପଣ କରାଯାଇଛି। କଟକସ୍ଥିତ ଡିଜି ଅଫିସରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ଶର୍ମା ଏହି ମୋବାଇଲ୍‌ ଆପ୍‌କୁ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ଡାକ୍ତର ଶର୍ମା କହିଛନ୍ତି, “ଏହି ଆପ୍‌ ଲୋକାର୍ପଣ ହେବା ଫଳରେ ଜନସାଧାରଣଙ୍କୁ ଅନେକ ସହାୟତା ମିଳିବ। ପୋଲିସ-ଜନତାଙ୍କ ମଧ୍ୟରେ ଦୂରତା ହ୍ରାସ ପାଇବ।”

ଏହି ଆପ୍‌ରେ ଭଲ ବୈଶିଷ୍ଟ୍ୟ ରହିଛି। ଯେକୌଣସି ବ୍ୟକ୍ତି ଅସୁବିଧା ସମୟରେ ଏହି ଆପ୍‌ ମାଧ୍ୟମରେ ପୋଲିସ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ ରାଉରକେଲାରେ ୨୪ ଘଣ୍ଟିଆ ପୋଲିସ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ଏହି ନିୟନ୍ତ୍ରଣ କ’ ସମସ୍ତ ପିସିଆର୍‌ ଭ୍ୟାନ୍‌ ସହ ସିଧାସଳଖ ସମ୍ପର୍କ ରଖିବ। ଅଭିଯୋଗ ଆସିବା ମାତ୍ରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବ ପୋଲିସ୍। ଏହି ଆପ୍‌ ଜରିଆରେ ଲୋକେ ନିଜର ଅଭିଯୋଗ ଜଣାଇବା ସହ ଫଟୋ ମଧ୍ୟ ପଠାଇ ପାରିବେ।

ବିଶେଷକରି ଟାକ୍ସି ଏବଂ ଅଟୋରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଏହି ଆପ୍‌ ବିଶେଷ ସହାୟକ ହେବ। ଅଟୋ ଏବଂ ଟାକ୍ସି ଚାଳକଙ୍କୁ ଦିଆଯାଇଥିବା ୪ ଡିଜିଟ୍ ସଂଖ୍ୟା ମାଧ୍ୟମରେ ଯାତ୍ରୀ ଗାଡ଼ି ଚାଳକ ଓ ଗାଡ଼ି ସମ୍ବନ୍ଧରେ ସବିଶେଷ ତଥ୍ୟ ଜାଣିପାରିବେ। ଏହାଛଡ଼ା ରାଉରକେଲା ପୋଲିସର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଲୋକେ ଏହି ଆପ୍‌ ଜରିଆରେ ଜାଣିପାରିବେ। ଏହି ଆପ୍‌ ଜରିଆରେ ଜଣେ ବ୍ୟକ୍ତି ରାଜ୍ୟର ବିଭିନ୍ନ ଥାନାର ଫୋନ୍ ନମ୍ବର ପାଇପାରିବ।

Comment